Image Courtesy of India Today
ନୂଆଦିଲ୍ଲୀ: ‘ସିଏପିଏଫ୍’ ଓ ‘ଆସାମ ରାଇଫଲ୍ସ୍’ରେ ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାର ୧୦% ସ୍ଥାନ ସଂରକ୍ଷଣ ରଖିବେ ବୋଲି ଆଜି ଘୋଷଣା କରିଛନ୍ତି।
ଏ ସଂକ୍ରାନ୍ତରେ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ କରିଥିବା ଟୁଇଟ୍ରେ ଉଲ୍ଲେଖ ଅଛି: ‘ସିଏପିଏଫ୍’ ଓ ‘ଆସାମ ରାଇଫଲ୍ସ୍’ରେ ନିଯୁକ୍ତି ନିମନ୍ତେ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ କରିବା ନିମନ୍ତେ ଗୃହ ବ୍ୟାପାର ମନ୍ତ୍ରାଳୟ ନିଷ୍ପତ୍ତି ଗ୍ରହଣ କରିଛି।
ଉପରୋକ୍ତ ଦୁଇ ଫୋର୍ସରେ ଭର୍ତ୍ତି ହେବା ନିମନ୍ତେ ଥିବା ସର୍ବୋଚ୍ଚ ବୟସ ସୀମାଠାରୁ ସେମାନଙ୍କ ଲାଗି ୩ ବର୍ଷ କୋହଳ କରାଯିବ। ଏବଂ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ସକାଶେ ନିର୍ଦ୍ଧାରିତ ସର୍ବୋଚ୍ଚ ବୟସ ସୀମାଠାରୁ ୫ ବର୍ଷ କୋହଳ କରାଯିବ ବୋଲି ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।
ତେଣେ, ତେଲେଙ୍ଗାନାରେ ‘ଅଗ୍ନିପଥ’କୁ ବିରୋଧ କରି ଆୟୋଜିତ ଧାରଣାରେ ଅଂଶ ଗ୍ରହଣ କରି ରେଳବାଇ ପୁଲିସ ଗୁଳି ଚୋଟରେ ପ୍ରାଣ ହରାଇଥିବା ୱାରାଙ୍ଗଲ୍ର ରାକେଶଙ୍କ ପ୍ରତି ଶୋକବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କେସିଆର୍ ତାଙ୍କ ପରିବାରବର୍ଗଙ୍କ ପ୍ରତି ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ତା’ଛଡ଼ା ତାଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ସରକାରୀ ଚାକିରି ମିଳିବ ବୋଲି ସେ କହିଛନ୍ତି।
Image Courtesy of India Todayକେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପ୍ରତିବାଦକାରୀମାନେ ବସ୍ ଭଙ୍ଗାରୁଜା କରିଛନ୍ତି। ସେପଟେ ବାରାଣସୀରେ ୨୭ଜଣ ପ୍ରତିବାଦକାରୀଙ୍କୁ ଗିରଫ କରାଯାଇଛି। ବିହାରର ଜେହନାବାଦରେ ୧୨ଜଣ ପ୍ରତିବାଦକାରୀଙ୍କୁ ଗିରଫ କରାଯାଇଛି।
କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ ମଧ୍ୟ ସମାଲୋଚନା କରି ପ୍ରଧାନମନ୍ତ୍ରୀଙ୍କୁ ‘ମାଫିବୀର’ କହିବା ସହ ‘ଅଗ୍ନିପଥ’କୁ ପ୍ରତ୍ୟାହାର କରିବେ ବୋଲି କହିଛନ୍ତି। ଟୁଇଟ୍ କରି ସେ କହିଛନ୍ତି, ୮ ବର୍ଷ ଧରି ‘ବିଜେପି’ ସରକାର ‘ଜୟ ଯବାନ, ଜୟ କିଷାନ୍’ ମୂଲ୍ୟବୋଧକୁ ଅପମାନିତ କରିଛନ୍ତି। ମୁଁ ଆଗରୁ ବି କହିଥିଲି ଯେ, ପ୍ରଧାନମନ୍ତ୍ରୀଙ୍କୁ କଳା କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡ଼ିବ। ଠିକ୍ ସେମିତି, ତାଙ୍କୁ ‘ମାଫିବୀର’ ହୋଇ ଦେଶର ଯୁବକମାନଙ୍କ କଥା ମାନି ‘ଅଗ୍ନିପଥ’ ପ୍ରତ୍ୟାହାର କରିବାକୁ ପଡ଼ିବ।
Follow Us