Image Courtesy of India Today
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ବିତୀୟ ଲହର ଏବେ ପ୍ରାୟତଃ ଶୀର୍ଷରେ ରହିଛି। ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଟିକା ହିଁ ସଂଜୀବନୀ ବୋଲି କୁହାଯାଉଛି। କମ୍ ସମୟ ମଧ୍ୟରେ ଯେତେ ଅଧିକ ଲୋକଙ୍କୁ ଟିକା ଦିଆଯିବ ସେତେ ଲୋକଙ୍କର ଜୀବନ ସୁରକ୍ଷିତ ରହିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। କିନ୍ତୁ ଏବେ ଟିକାର ବଣ୍ଟନ ଏବଂ ଉପଲବ୍ଧତାକୁ ନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି।
ଟିକାର ଅଭାବ ଯୋଗୁ ବିଭିନ୍ନ ରାଜ୍ୟରେ ଟିକାକରଣ ମନ୍ଥର ହୋଇଯାଇଛି। ଏପରିକି କେତେକ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଟିକାକରଣ ଦୀର୍ଘଦିନ ହେଲା ବନ୍ଦ ରହିଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଆଜି କହିଛନ୍ତି, ଆମେ ଅଧିକରୁ ଅଧିକ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ କହୁଛୁ। କିନ୍ତୁ କେନ୍ଦ୍ର ସରକାର ତାହା କରୁନାହାନ୍ତି। ଟିକା ଯଦି ଆମକୁ ଯୋଗାଇ ଦିଆ ନଯାଏ ତାହେଲେ ଆମକୁ ଟିକାକରଣ କେନ୍ଦ୍ରଗୁଡ଼ିକୁ ବନ୍ଦ କରିବାକୁ ପଡ଼ିବ। ସିସୋଦିଆ କହିଛନ୍ତି, ତାଙ୍କ ସରକାର ୧.୩୪ କୋଟି ଡୋଜ୍ ଟିକା ପାଇଁ ଅର୍ଡର ଦେଇଥିଲେ। କିନ୍ତୁ କେନ୍ଦ୍ର ସରକାର ମେ ମାସ ନିମନ୍ତେ ଦିଲ୍ଲୀକୁ ମାତ୍ର ୩.୫ ଲକ୍ଷ ଡୋଜ୍ ଟିକା ଦେବାକୁ ମଞ୍ଜୁରି ଦେଇଛନ୍ତି।
ଏହି ବିବାଦ କେବଳ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ସୀମିତ ନାହିଁ। ଅନେକ ରାଜ୍ୟ ମଧ୍ୟ ଟିକା ଅଭାବ ଯୋଗୁ ବିଶ୍ବ ବଜାରରୁ ଟିକା କିଣିବା ଲାଗି ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଓଡ଼ିଶା ସମେତ ୧୦ଟି ରାଜ୍ୟ ଏହି ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ରାଜ୍ୟ ଟିକା ନିର୍ମାତାଙ୍କ ଠାରୁ ପର୍ଯ୍ୟାପ୍ତ ଟିକା କିଣିବା ପାଇଁ ଆଦେଶ ଦେଇସାରିଛନ୍ତି। ତେଣୁ ରାଜ୍ୟଗୁଡ଼ିକ ଏବେ ଅନ୍ତର୍ଜାତୀୟ ବଜାରରେ ଟିକା ନିର୍ମାତାଙ୍କ ଠାରୁ ଟିକା କିଣିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହା କେତେ ଫଳପ୍ରଦ ହେବ ସେ ନେଇ କିଛି ସ୍ପଷ୍ଟତା ନାହିଁ। ଏଥିସହିତ ରାଜ୍ୟଗୁଡ଼ିକ ଟିକା ଆମଦାନି କରିବା କ୍ଷେତ୍ରରେ ଆଉ ଏକ ବଡ଼ ପ୍ରତିବନ୍ଧକ ମଧ୍ୟ ରହିଛି। ତାହା ହେଉଛି ଭାରତର ଔଷଧ ନିୟାମକ ପ୍ରଥମେ ଏସବୁ ଟିକା ଆମଦାନି ପାଇଁ ଅନୁମତି ଦେବା ଆବଶ୍ୟକ। ବର୍ତ୍ତମାନ ସୁଦ୍ଧା ଭାରତର ଔଷଧ ନିୟାମକ ଡିସିଜିଆଇ ମାତ୍ର ୩ଟି ଟିକାର ବ୍ୟବହାର ପାଇଁ ଅନୁମତି ଦେଇଛି। ସେଗୁଡ଼ିକ ହେଲା ସିରମ ଇନଷ୍ଟିଚ୍ୟୁଟର କୋଭିସିଲଡ, ଭାରତ ବାୟାଟେକର କୋଭାକ୍ସିନ ଏବଂ ରୁଷ ଟିକା ସ୍ପୁଟନିକ୍-ଭି।
ମଙ୍ଗଳବାର ଦିଲ୍ଲୀ ସମେତ କର୍ଣ୍ଣାଟକ, ଉତ୍ତରାଖଣ୍ଡ ଏବଂ ତେଲେଙ୍ଗାନା ସରକାର ବିଶ୍ବ ବଜାରରୁ ଟିକା ଆମଦାନି ପାଇଁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଓଡ଼ିଶା ସମେତ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ ବିଶ୍ବ ବଜାରକୁ ଟିକା କିଣିବା ପାଇଁ ଘୋଷଣା କରି ସାରିଛନ୍ତି। ତେବେ ବିହାର, ପଞ୍ଜାବ, ଗୋଆ ଏବଂ ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ଟିକାର ଅଭାବ ନାହିଁ ବୋଲି ସେସବୁ ରାଜ୍ୟର ଅଧିକାରୀମାନେ କହିଛନ୍ତି।
Follow Us