୨୫ ମିନିଟର ସର୍ଜିକାଲ୍ ଷ୍ଟ୍ରାଇକରେ ସ୍କାଲ୍‌ପ ମିସାଇଲ୍ ଏବଂ ହାମର୍‌ ସ୍ମାର୍ଟ ବୋମା ଭଳି ହତିଆର ବ୍ୟବହାର କରି ପାକିସ୍ତାନ ଏବଂ ପିଓକେର ୯ଟି ଆତଙ୍କୀ ସ୍ଥାନକୁ ଧୂଳିସାତ୍ କରିଛି ଭାରତ। ପହଲଗାମ୍ ଆତଙ୍କୀ ଆକ୍ରମଣରେ ସଧବାଙ୍କ ମୁଣ୍ଡରୁ ସିନ୍ଦୂର ପୋଛିଥିବା ଆତଙ୍କୀଙ୍କୁ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଯେସାକୁ ତେସା ଜବାବ୍ ଦେଇଛି ଭାରତ। 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ। ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାଡଗେ କଂଗ୍ରେସ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ବେଳେ, ତୃଣମୂଳ କଂଗ୍ରେସ ପକ୍ଷରୁ ସନ୍ଦୀପ ବନ୍ଦୋପାଧ୍ୟାୟ ଏବଂ ଡିଏମକେର ଟିଆର ବାଲୁ ବୈଠକରେ ଯୋଗ ଦେଇଥିଲେ।

ଅନ୍ୟ ବିରୋଧୀଦଳ ନେତାଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ, ଆପର ସଞ୍ଜୟ ସିଂ, ଶିବସେନା (ୟୁବିଟି)ର ସଞ୍ଜୟ ରାଉତ, ଏନସିପି (ଏସପି) ର ସୁପ୍ରିୟା ସୁଲେ, ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ୍ ଓଭାଇସି ଏବଂ ବିଜେଡିର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।