ନୂଆଦିଲ୍ଲୀ/ଭୁବନେଶ୍ୱର: କାନାଡ଼ାରୁ ଭାରତ ଫେରାଇ ଅଣାଯାଇଥିବା ମା’ ଅନ୍ନପୂର୍ଣ୍ଣାଙ୍କ ୧୦୦ ବର୍ଷର ପ୍ରାଚୀନ ଦୁର୍ଲଭ ମୂର୍ତ୍ତିକୁ ଉତ୍ତରପ୍ରଦେଶ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଉତ୍ତର ପ୍ରଦେଶ ସରକାର ଗ୍ରହଣ କରିଛନ୍ତି। ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଭାରତର ପ୍ରାଚୀନ କଳାକୃତିକୁ ସୁରକ୍ଷିତ ଭାବରେ ସ୍ୱଦେଶ ଫେରାଇ ଆଣିବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ନିରନ୍ତର ଉଦ୍ୟମ କାରଣରୁ ଆଜି ଭାରତର ଅନେକ ଐତିହାସିକ
କଳାକୃତିକୁ ଫେରାଇ ଅଣାଯାଉଛି । କାନାଡ଼ାରୁ ମା’ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ସୁରକ୍ଷିତ ଭାବରେ ଅଣାଯିବା ଏବଂ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ପୁନଃସ୍ଥାପନା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପଥ ପରିଷ୍କାର କରାଯାଇଛି ।
ମା’ ଅନ୍ନପୂର୍ଣ୍ଣାଙ୍କ ଏହି ମୂର୍ତ୍ତିକୁ ବାରଣାସୀର ଏକ ମନ୍ଦିରରୁ ଚୋରି କରାଯାଇଥିଲା, ଯାହା କାନାଡାରେ ଅବସ୍ଥାପିତ ଥିଲା । ଭାରତ ସରକାରଙ୍କ ଉଦ୍ୟମରେ କାନାଡା ସରକାରଙ୍କ ସହଯୋଗରେ ଏହାକୁ ସ୍ୱଦେଶକୁ ଫେରାଇ ଅଣାଯାଇଛି । ଏହି ମୂର୍ତ୍ତିକୁ ୟୁପି ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ଏକ ୪ ଦିନିଆ ଯାତ୍ରାର ଆୟୋଜନ ସହ ରଥରେ ମାଆଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୧୪ ନଭେମ୍ବରରେ ଏହି ଯାତ୍ରା ଶେଷ ହେବା ଅବସରରେ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଏହି ମୂର୍ତ୍ତିର ପୁନଃ ସ୍ଥାପନ କରାଯିବ ।
ବିଶ୍ୱଶକ୍ତି ଅନ୍ନପୂର୍ଣ୍ଣେଶ୍ୱରୀ ଦେବୀଙ୍କ ମହେଶ୍ୱର ମହାଦେବଙ୍କ ନଗରୀ କାଶୀରେ ଆଗମନକୁ ନେଇ ସମଗ୍ର ଦେଶବାସୀଙ୍କୁ ଖୁସି ଦେଇଛି । ଭାରତୀୟ ସଭ୍ୟତା, କଳା ଏବଂ ସାଂସ୍କୃତିକ ଐତିହ୍ୟର ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ଏହିଭଳି ପ୍ରାଚୀନ ମୂର୍ତ୍ତି ତଥା କଳାକୃତିକୁ ସୁରକ୍ଷିତ ଭାବରେ ଭାରତକୁ ଆଣିବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ।
Follow Us