କରୋନାରୁ ସୁସ୍ଥ ହେଲେ ୧୦୩ ବର୍ଷୀୟା ଇଟାଲୀୟ ବୃଦ୍ଧା

କରୋନାରୁ ସୁସ୍ଥ ହେଲେ ୧୦୩ ବର୍ଷୀୟା ଇଟାଲୀୟ ବୃଦ୍ଧା

ରୋମ: କରୋନା ଭାଇରସ ସମଗ୍ର ଇଟାଲୀରେ ମୃତ୍ୟୁର ତାଣ୍ଡବ ଲୀଳା ରଚିଥିବା ବେଳେ ଜଣେ ୧୦୩ ବର୍ଷୀୟା ବୃଦ୍ଧା କରୋନା ପୀଡ଼ିତ ହେବା ପରେ ବି ସୁସ୍ଥ ହୋଇ ମେଡିକାଲରୁ ଘରକୁ ଫେରିଛନ୍ତି। ଇଟାଲୀର ଏହି ବୃଦ୍ଧାଙ୍କ ସଫଳ କାହାଣୀ ଏବେ ସମଗ୍ର ୟୁରୋପ‌ ପାଇଁ ଆଶ୍ବାସନା ଆଣିଦେଇଛି। ଇଟାଲୀର ୧୦୩ ବର୍ଷୀୟା ବୃଦ୍ଧା ଆଡା ଜାନୁସୋ କରୋନା ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ମାତ୍ର ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମଗ୍ର ଇଟାଲୀରେ ଏହି 'ସୁପର ଓଲ୍‌ଡ' ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଦୃଢ ଆତ୍ମବିଶ୍ବାସ ଓ ମନୋବଳ ଯୋଗୁଁ ସେ କୋଭିଡ-୧୯ କବଳରୁ ମୁକ୍ତ ହୋଇପାରିଛନ୍ତି ବୋଲି ଜାନୁସୋଙ୍କ ଡାକ୍ତର କାର୍ଲା ଫୁର୍ଣ୍ଣୋ ମର୍ଚେଜ୍‌ କହିଛନ୍ତି। କୋଭିଡ-୧୯ ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଇଟାଲୀ ପାଇଁ ଆଡା ଜାନୁସୋଙ୍କ ଆରୋଗ୍ୟ ଏକ ଶୁଭ ଖବର ପାଲଟିଛି। କୋଭିଡ-୧୯ ସଂକ୍ରମଣରେ ସମଗ୍ର ବିଶ୍ବରେ ଆମେରିକା ଓ ଇଟାଲୀ ଭଳି ଦେଶରେ ହିଁ ସର୍ବାଧିକ ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା ଜାନୁସୋ କରୋନା କବଳରୁ ମୁକ୍ତ ହୋଇ ଫେରିବା ପରେ ଏକ ଭିଡ଼ିଓ ଜରିଆରେ ସେ ସୁସ୍ଥ ହୋଇଛନ୍ତି ବୋଲି ବାର୍ତ୍ତା ଦେଇଛନ୍ତି, ଯାହା ଏବେ ସବୁଠୁ ବେଶି ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଜାନୁସୋ କୋଭିଡ-୧୯ କବଳରୁ ସୁସ୍ଥ ହୋଇ ଏବେ ସ୍ବାଭାବିକ ଭାବେ ସବୁ କାର୍ଯ୍ୟ କରିପାରୁଛନ୍ତି। ସେ ଏବେ ଖବରକାଗଜ ପଢ଼ିବା ସହ ଟିଭି ଦେଖି ପାରୁଛନ୍ତି। କୋଭିଡ-୧୯ ସଂକ୍ରମଣ ହେବା ପରେ ସେ ଏକ ସପ୍ତାହ ହସ୍ପିଟାଲରେ ରହିଥିଲେ। ସେତେବେଳେ ସେ ଖାଦ୍ୟ ଛାଡ଼ିଦେଇଥିଲେ। ମାତ୍ର ତାଙ୍କୁ କୃତ୍ରିମ ଉପାୟରେ ତରଳ ଖାଦ୍ୟ ଦିଆଯାଉଥିଲା ବୋଲି ଡାକ୍ତର କାର୍ଲା ଫୁର୍ଣ୍ଣୋ ମର୍ଚେଜ୍‌ କହିଛନ୍ତି। ସେ ନିୟମିତ ମୁହଁରେ ମୁଖା ପିନ୍ଧୁଥିଲେ। ତାଙ୍କୁ ଭୀଷଣ ଜ୍ବର ହୋଇଥିଲା। ସେ ଗଳାରେ କଷ୍ଟ ଅନୁଭବ କରିଥିଲେ। ମାତ୍ର, ଆଶ୍ଚର୍ଯ୍ୟଜନକ ଭାବେ ସେ କରୋନା କବଳରୁ ମୁକ୍ତ ହୋଇଯାଇଛନ୍ତି। ସେ ଏବେ ଚଲାବୁଲା କରିପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe