ଖୋର୍ଦ୍ଧା, କଟକରେ ୧୧ ସିଏନ୍‌ଜି ଷ୍ଟେସନ୍ ଖୋଲିଲା, ଦେଶରେ ୨୦୧ ଷ୍ଟେସନ୍‌କୁ ଲୋକାର୍ପିତ କଲେ ଧ‌ର୍ମେନ୍ଦ୍ର

Advertisment

୧୦ ହଜାର ସିଏନ୍‌ଜି ଷ୍ଟେସନ୍ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ

୧୦ ହଜାର ସିଏନ୍‌ଜି ଷ୍ଟେସନ୍ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ

ଖୋର୍ଦ୍ଧା, କଟକରେ ୧୧ ସିଏନ୍‌ଜି ଷ୍ଟେସନ୍ ଖୋଲିଲା, ଦେଶରେ ୨୦୧ ଷ୍ଟେସନ୍‌କୁ ଲୋକାର୍ପିତ କଲେ ଧ‌ର୍ମେନ୍ଦ୍ର

ଭୁବନେଶ୍ୱର: ପେଟ୍ରୋଲିୟମ୍‌ ଓ ଗ୍ୟାସ୍‌ ମନ୍ତ୍ରଣାଳୟ ପକ୍ଷରୁ ପରିବେଶ ସୁରକ୍ଷା ତଥା ସମସ୍ତଙ୍କ ପାଖରେ ସ୍ବଚ୍ଛ ଇନ୍ଧନ ପହଞ୍ଚାଇବା ଉଦ୍ଦେଶ୍ୟରେ ସାରା ଦେଶରେ ଆଜି ୨୦୧ଟି ସିଏନ୍‌ଜି ଷ୍ଟେସନ୍‌ର ଲୋକାର୍ପଣ କରାଯାଇଛି। ତାହା ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ୭ଟି ଓ କଟକ ଜିଲ୍ଲାରେ ୪ଟି ସିଏନ୍‌ଜି ଷ୍ଟେସନ୍ ରହିଛି। ଆଜି ଭିଡିଓ କନ୍‌ଫରେନ୍ସିଂ ଯୋଗେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଷ୍ଟେସନ୍‌ଗୁଡ଼ିକର ଲୋକାର୍ପଣ କରିଥିଲେ। ଏହା ସହ ଉତ୍ତରପ୍ରଦେଶର ଝାନ୍ସିଠାରେ ପାଇପ୍‌ ଯୋଗେ ପ୍ରାକୃତିକ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପ ଓ ମହାରାଷ୍ଟ୍ରର ରାଇଗଡ଼ଠାରେ ମୋବାଇଲ ରିଫ୍ୟୁଲିଂ ୟୁନିଟ୍‌(ଏମଆରୟୁ) ଉଦ୍‌ଘାଟନ କରାଯାଇଥିଲା।

ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟର ପରିବେଶ ସୁରକ୍ଷା ତଥା ସମସ୍ତଙ୍କ ପାଖରେ ସ୍ୱଚ୍ଛ ଇନ୍ଧନ ପହଞ୍ଚାଇବାର ପ୍ରତିବଦ୍ଧତା ଦିଗରେ ଆଗାମୀ ଦିନରେ ସମଗ୍ର ଭାରତବର୍ଷରେ ୧୦ ହଜାର ସିଏନ୍‌ଜି ଷ୍ଟେସନ୍‌ ଏବଂ ୫ କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ(ପିଏନ୍‌ଜି) ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି। ଆଜିର ଲୋକାର୍ପିତ ଷ୍ଟେସନ୍‌କୁ ମିଶାଇଲେ ଦେଶରେ ମୋଟ୍‌ ୩,୧୪୨ ସିଏନ୍‌ଜି ଷ୍ଟେସନ୍‌ ରହିଛି। ଏହା ଦ୍ୱାରା ପରିବେଶ ସୁରକ୍ଷିତ ରହିବ ଓ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିବ। ଇନ୍ଧନ କ୍ଷେତ୍ରରେ ଦେଶର ଆମଦାନୀର ଭାର ହ୍ରାସ ହେବ। ଆଜି ଦୁନିଆର ସବୁଠୁ ବଡ଼ ଏଲ୍‌ପିଜି ଉପଭୋକ୍ତା ବେସ୍ ଆମର କମ୍ପାନି ପାଖରେ ଅଛି। ଦେଶରେ ଏଲ୍‌ପିଜି ଉପଭୋକ୍ତାଙ୍କ ସଂଖ୍ୟା ୩୦ କୋଟିରେ ପହଞ୍ଚିଛି। ଦେଶରେ ଏକ ହଜାର ଏଲ୍‌ଏନ୍‌ଜି ଷ୍ଟେସନ ପ୍ରତିଷ୍ଠା କରାଯିବା ପାଇଁ କାମ ଚାଲିଛି। ନିକଟରେ ବିଶ୍ୱ ପରିବେଶ ଦିବସରେ ଇଥାନଲ୍‌କୁ ଗତି ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତିନିଟି ଇ-୧୦୦ ବିତରଣ ଷ୍ଟେସନ୍‌ ମଧ୍ୟ ଶୁଭାରମ୍ଭ ହୋଇଛି। ୨୦୨୫ ସୁଦ୍ଧା ପେଟ୍ରୋଲରେ ଇଥାନଲ୍‌ର ଭାଗ ୨୦ ପ୍ରତିଶତ ମିଶ୍ରଣ କରାଯିବାର ଯୋଜନା ରହିଛି। ଗୁଜୁରାଟରେ ପ୍ରଥମ ହାଇଡ୍ରୋଜେନ୍‌ ବିତରଣ ଷ୍ଟେସନର ଖୋଲାଯିବାର ଯୋଜନା ହୋଇଛି । ଦେଶରେ ୪୦୦ ଜିଲ୍ଲାରେ ସିଜିଡି ନେଟୱାର୍କକୁ ସମ୍ପ୍ରସାରଣ କରାଯାଇଛି । ଯାନବାହାନରେ ବିଏସ୍‌-୬ ଭଳି ସ୍ୱଚ୍ଛ ଇନ୍ଧନ ଉପଲବ୍ଧ କରାଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରେ ଲୋକାର୍ପିତ ହୋଇଥିବା ଷ୍ଟେସନ୍‌ଗୁଡ଼ିକ ହେଲା ଭୁବନେଶ୍ୱର ସାମନ୍ତରାପୁରଠାରେ ଆଇଓସିଏଲ୍‌ର ଲିଙ୍ଗରାଜ ଫିଲିଂ ଷ୍ଟେସନ, ଏନ୍‌ଏଚ୍‌-୧୬ ନିକଟରେ ଥିବା ଏଚ୍‌ପିସିଏଲ୍‌ର ରାଜପଥ ମୋଟର, ଏନ୍‌ଏଚ୍-୧୬ ଦଳେଇପୁଟ ଠାରେ ଥିବା କୋକୋ ଖୋର୍ଦ୍ଧା ଫିଲିଂ ଷ୍ଟେସନ୍‌, କିଆଝରିଠାରେ ଥିବା ନନ୍ଦି ଫିଲିଂ ଷ୍ଟେସନ୍‌, ଟାଙ୍ଗୀ ରାମେଶ୍ୱର ଛକଠାରେ ଥିବା ପାଇକରାୟ ଫିଲିଂ ଷ୍ଟେସନ୍‌, ପାହାଳରେ ଥିବା ମା’ ବିଶେଶ୍ୱରୀ ଫିଲିଂ ଷ୍ଟେସନ୍‌, ଖୋର୍ଦ୍ଧା ଅଗଲପଡ଼ା ଠାରେ ଥିବା ବାଲାଜୀ ଫିଲିଂ ଷ୍ଟେସନ୍‌। ସେହିପରି କଟକ ଜିଲ୍ଲାର ବାଣପୁର ଠାରେ ଥିବା ଟ୍ୱିନ୍ ସିଟି ପେଟ୍ରୋଲିୟମ ଲିମିଟେଡ୍‌, ଟାଙ୍ଗୀ କାଇରାପାରିଠାରେ ଥିବା ମା ଦୁର୍ଗା ଫିଲିଂ ଷ୍ଟେସନ୍‌, ଟାଙ୍ଗୀର କଟୋ ସାହିସ୍ଥିତ ଗୁରୁ ମହାରାଜ ଫିଲିଂ ଷ୍ଟେସନ୍‌, ଚୌଦ୍ୱାର କଟକ ସ୍ଥିତ ରଶ୍ମି ଫିଲିଂ ଷ୍ଟେସନ୍‌ରେ ମଧ୍ୟ ସିଏନ୍‌ଜି ଯୋଗାଣର ଆରମ୍ଭ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe