ଦେଶରେ ସାପ୍ତାହିକ ସଂକ୍ରମଣ ୧୧% ବୃଦ୍ଧି: ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ କୋଭିଡ ମକଡ୍ରିଲ

ଦେଶରେ ସାପ୍ତାହିକ ସଂକ୍ରମଣ ୧୧% ବୃଦ୍ଧି: ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ କୋଭିଡ ମକଡ୍ରିଲ

ନୂଆଦିଲ୍ଲୀ: ଚୀନ ସମେତ କେତେକ ଦେଶରେ କରୋନା ସଂକ୍ରମଣ ବଢ଼ିବାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି। ଭାରତରେ ସଂକ୍ରମଣ କମ୍‌ ରହୁଥିଲେ ସୁଦ୍ଧା ଦୀର୍ଘ ୨ ମାସ ପରେ ସାପ୍ତାହିକ ସଂକ୍ରମଣରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। ଗତ ରବିବାର ଶେଷ ହୋଇଥିବା ସପ୍ତାହରେ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୧୨୧୯ ଥିବା ରିପୋର୍ଟ କରାଯାଇଛି। ଅନ୍ୟପକ୍ଷେ ଏହାର ପୂର୍ବ ସପ୍ତାହରେ ସଂକ୍ରମଣ ମାମଲା ୧୧୦୩ ଥିଲା। ଇତି ମଧ୍ୟରେ ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲ୍‌ରେ ଆଜି କରୋନା ପ୍ରସ୍ତୁତି ପାଇଁ ମକଡ୍ରିଲ୍‌ କରାଯାଇଛି। ଲୋକଙ୍କୁ ଉପଯୁକ୍ତ ଚିକିତ୍ସା‌ ଯୋଗାଇ ଦେବାକୁ ସୁନିଶ୍ଚିତ କରିବାପାଇଁ ଦେଶବ୍ୟାପୀ କୋଭିଡ୍‌ ହସ୍ପିଟାଲ୍‌ ମାନଙ୍କରେ ମକଡ୍ରିଲ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ କୋଭିଡ୍‌ ମକଡ୍ରିଲ ସମୀକ୍ଷା କରିଛନ୍ତି।

ତାମିଲନାଡ଼ୁ ସ୍ବାସ୍ଥ୍ୟ ମନ୍ତ୍ରୀ ଏମ୍‌ଏ ସୁବ୍ରମନ୍ୟନ୍‌ ଚେନ୍ନାଇର ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲ ଗସ୍ତ କରି କୋଭିଡ୍‌ ମକଡ୍ରିଲ ସମୀକ୍ଷା କରିଛନ୍ତି। ସେହିପରି ତେଲେଙ୍ଗାନା ଏବଂ ଗୋଆ ହସ୍ପିଟାଲ୍‌ରେ ମଧ୍ୟ କୋଭିଡ୍‌ ପ୍ରସ୍ତୁତିର ମକଡ୍ରିଲ୍‌ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡା ଭାରତୀ ପ୍ରବୀଣ ପାୱାର ପୋର୍ଟ ବ୍ଲେୟାର୍‌ର ଜିବି ପନ୍ତ ହସ୍ପିଟାଲ୍‌ରେ କୋଭିଡ୍‌ ପ୍ରସ୍ତୁତି ମକଡ୍ରିଲ୍‌ ସମୀକ୍ଷା କରିଛନ୍ତି। ଦିଲ୍ଲୀ ଏବଂ ମୁମ୍ବାଇର ଅନ୍ୟ ହସ୍ପିଟାଲ୍‌ ଗୁଡ଼ିକରେ ମଧ୍ୟ କୋଭିଡ ମକଡ୍ରିଲ କରାଯାଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ମନୀଷ ସିସୋଦିଆ ଦିଲ୍ଲୀର ଏନଏଲ୍‌ଜେପି (ଲୋକ ନାୟକ ଜୟ ପ୍ରକାଶ) ହସ୍ପିଟାଲରେ ମକଡ୍ରିଲ୍‌ ସମୀକ୍ଷା କରିଛନ୍ତି। ଗୁଜରାଟରେ ୧ ଲକ୍ଷ ବେଡ୍‌ ଏବଂ ୧୫ ହଜାର ଆଇସିୟୁ ବେଡ୍‌ ପ୍ରସ୍ତୁତ ରହିଛି।

ଉଲ୍ଲେଖଯୋଗ୍ୟ ‌ଯେ ମହାରାଷ୍ଟ୍ର, ରାଜସ୍ଥାନ, ପଂଜାବ, ଦିଲ୍ଲୀ, ହିମାଚଳପ୍ରଦେଶ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ସମେତ ମୋଟ୍‌ ୧୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ସାପ୍ତାହିକ ସଂକ୍ରମଣ ମାମଲାରେ ସାମାନ୍ୟ ବୃଦ୍ଧି ହୋଇଛି। ଚୀନ୍‌ରେ କରୋନା ସଂକ୍ରମଣ ବୃଦ୍ଧି ଭୟ ବଢ଼ାଇବାପରେ ଦେଶରେ ଟେଷ୍ଟିଂ ବୃଦ୍ଧି ପାଇଛି। ଏହି କାରଣ ପାଇଁ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ହୋଇଛି ବୋଲି କୁହାଯାଉଛି। ଦେଶରେ କରୋନା ମୃତ୍ୟୁ ବହୁତ କମ୍‌ ରହିଛି। ଗତ ସପ୍ତାହରେ କରୋନା ମୃତ୍ୟୁ ୧୨ ରହିଥିବାବେଳେ ଚଳିତ ସପ୍ତାହରେ କରୋନା ମୃତ୍ୟୁ ୨୦ ରହିଛି। ଦେଶରେ ଆଜି ୧୫୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୭୭,୪୫୯। ଦେଶରେ ସକ୍ରିୟ ମାମଲା ୩,୪୨୧ ଏବଂ କରୋନା ମୃତ୍ୟୁସଂଖ୍ୟା ୫,୩୦,୬୯୬ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe