ବୈଷ୍ଣୋଦେବୀ ପୀଠରେ ଦଳାଚକଟା, ୧୨ ମୃତ

ବୈଷ୍ଣୋଦେବୀ ପୀଠରେ ଦଳାଚକଟା, ୧୨ ମୃତ

Prag News

ଜମ୍ମୁ  : ମାତା ବୈଷ୍ଣୋଦେବୀ ପୀଠରେ ଶନିବାର ଭୋର୍‌ ସମୟରେ ବଡ଼ ଅଘଟଣ ଘଟିଛି। ଦଳଚକଟା ଯୋଗୁଁ ୧୨ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି। ଭୋର ପ୍ରାୟ ୩ଟା ସମୟରେ ପ୍ରବଳ ଗହଳି ଭିତରେ ଦଳାଚକଟା‌ ଆରମ୍ଭ ହୋଇଯାଇଥିଲା ଏବଂ ପୁଲିସର ଲାଠିମାଡ଼ ଯୋଗୁଁ ପରିସ୍ଥିତି ଗମ୍ଭୀର ରୂପ ନେଇଥିଲା। ମୃତକଙ୍କ ମଧ୍ୟରୁ ୮ ଜଣଙ୍କ ପରିଚୟ ମିଳିଛି। ସେମାନଙ୍କ ମଧ୍ୟରେ ୪ ଜଣ ଗାଜିୟାବାଦର ଏବଂ ୨ ଜଣ ଦିଲ୍ଲୀର ବୋଲି ଜଣାପଡ଼ିଛି। ହରିୟାଣାର ଜଣେ ଏବଂ ଜମ୍ମୁ କାଶ୍ମୀରରୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କର ମଧ୍ୟ ମୃତ୍ୟୁ ହୋଇଛି। ପ୍ରଥମ ଥର ପାଇଁ ବୈ‌ଷ୍ଣୋଦେବୀ ପୀଠରେ ଏଭଳି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନାନୁଯାୟୀ ବୈଷ୍ଣୋଦେବୀ ପୀଠ ପରିସରରେ ଦୁଇ ଭକ୍ତ ଗୋଷ୍ଠୀଙ୍କ ମଧ୍ୟରେ କୌଣସି କାରଣ ଯୋଗୁଁ ବଚସା ହେବାରୁ ଏହାକୁ ‌ନେଇ ଦଳାଚକଟା‌ ସ୍ଥିତି ଉପୁଜିଥିଲା। ଯେଉଁ ସ୍ଥାନରେ ପ୍ରାୟ ୨୦ ହଜାର ଲୋକ ରହିବାପାଇଁ କ୍ଷମତା ଥିଲା ସେଠାରେ ୫୦ ହଜାର ଲୋକ ରୁଣ୍ଡ ହୋଇଥିଲେ।

ଧାଁ ଧଉଡ଼ ଆରମ୍ଭ ହେବାପରେ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସତର୍କତାର ସହ ପଦକ୍ଷେପ ନେବା ପରିବର୍ତ୍ତେ ହଠାତ୍‌ ଲାଠିମାଡ଼ ଆରମ୍ଭ କରିବାରୁ ସ୍ଥିତି ଅଣାୟତ୍ତ ହୋଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଦଳା‌ ଚକଟା ଯୋଗୁଁ ୧୫ ଜଣ ଆହତ ମଧ୍ୟ ହୋଇଛି।

ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ତଦନ୍ତ ପାଇଁ ଡିଭିଜନାଲ କମିସନର ଏବଂ ଜମ୍ମୁ ଅତିରିକ୍ତ ଡିଜିପିଙ୍କ ସମେତ ପ୍ରମୁଖ ଗୃହ ସଚିବଙ୍କ ନେତୃତ୍ବରେ ଏକ ୩ ଜଣିଆ କମିଟି ଗଠନ ହୋଇଛି। ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ମାତା ବୈଷ୍ଣୋ ଦେବୀ ଶ୍ରାଇନ୍‌ ବୋର୍ଡ‌୍‌ର ଅଧ୍ୟକ୍ଷ। ମୃତକଙ୍କ ପରିବାର ସଦସ୍ୟଙ୍କୁ ସେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା‌ କରିଛନ୍ତି ଏବଂ ଆହତଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଆହତମାନଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା ହୋଇଛି। ଆହତମାନେ ଏବେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe