୩୮ ହଜାର ଫୁଟ୍‌ ଉପରେ ବିମାନ ଦୋହଲି ଯିବାରୁ ୧୨ ଆହତ; ସିଲିଂରେ ଛେଚି ହୋଇଗଲା ମହିଳାଙ୍କ ନାକ

Advertisment
୩୮ ହଜାର ଫୁଟ୍‌ ଉପରେ ବିମାନ ଦୋହଲି ଯିବାରୁ ୧୨ ଆହତ; ସିଲିଂରେ ଛେଚି ହୋଇଗଲା ମହିଳାଙ୍କ ନାକ

ନୂଆଦିଲ୍ଲୀ: ସ୍ପେନ୍‌ରୁ ବେନୋସ ଆୟାରେସ୍‌ ଯାଉଥିବା ‘ଏରୋଲିନାଜ୍‌ ଆର୍ଜେଣ୍ଟିନାଜ୍‌’ର ଗୋଟାଏ ବିମାନ ଉଡ଼ାଣରେ ଭାରସାମ୍ୟ ନ ରହି ଭୀଷଣ ଦୋହଲି ଯିବାରୁ ୧୨ଜଣ ଯାତ୍ରୀ କ୍ୟାବିନ୍‌ ଓ ବିମାନର ସିଲିଂରେ ପିଟି ହୋଇ ଆହତ ହୋଇଛନ୍ତି। ବିମାନର ସିଲିଂରେ (ଛାତର ତଳପାର୍ଶ୍ବ) ପିଟି ହୋଇ ଜଣେ ମହିଳାଙ୍କ ନାକ ମଧ୍ୟ ଫାଟି ଯାଇଥିବା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।

‘ଦି ୟୁଏସ୍‌ ସନ୍‌’ ରିପୋର୍ଟ ଅନୁସାରେ, ୨୮୪ଜଣ ଯାତ୍ରୀଙ୍କୁ ନେଇ ‘ଫ୍ଲାଇଟ୍‌ ଏଆର୍‌୧୧୩୩’ (ଏୟାର୍‌ବସ୍‌ ଏ୩୩୦-୨୦୦) ଯୁଗ୍ମ ଇଞ୍ଜିନ୍‌ବିଶିଷ୍ଟ ବିମାନଟି ମଙ୍ଗଳବାର ରାତି ୮ଟା ବେଳେ ମାର୍ଡିଡ୍‌ରୁ ଉଡ଼ାଣ ଆରମ୍ଭ କରି ବେନୋସ ଆୟାରେସ୍‌ର ଏଜିଜା ବିମାନ ବନ୍ଦର ଅଭିମୁଖେ ଯାତ୍ରା କରୁଥିଲା। ଆଟ୍‌ଲାଣ୍ଟିକ୍‌ ମହାସାଗର ଉପରେ ୩୮,୦୦୦ ଫୁଟ୍‌ ଉଚ୍ଚରେ ଉଡୁଥିବା ବେଳେ ଉଡ଼ାଣରେ ଅସ୍ଥିରତା ଯୋଗୁଁ ବିମାନଟି ଭୀଷଣ ଦୋହଲି ଯାଇଥିଲା।

ଏହି ସମୟରେ ବିମାନରେ ଥିବା ୨୭୧ ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଶୋଇପଡ଼ିଥିଲେ। କିନ୍ତୁ, ସିଟ୍‌ ବେଲ୍‌ଟ୍‌ ବାନ୍ଧି ନ ଥିବା ଯାତ୍ରୀମାନେ ନିଜ ନିଜର ଜିନିପତ୍ର ସହ ବିମାନ ଭିତରେ ଏଣେ ତେଣେ ଛିଟିକି ପଡ଼ିଥିଲେ।

publive-image Image Courtesy of New York Post

ଉକ୍ତ ବିମାନ ଭିତରୁ ଉଠାଯାଇ ଅନ୍‌ଲାଇନ୍‌ରେ ପୋଷ୍ଟ୍‌ ହୋଇଥିବା ଫଟୋରେ ଦେଖାଯାଉଛି ଯାତ୍ରୀମାନଙ୍କ ବିଭିନ୍ନ ଜିନିଷପତ୍ର ବିଛାଡ଼ି ହୋଇ ପଡ଼ିଛି ଏବଂ ଜଣେ ମହିଳା ରକ୍ତାକ୍ତ ନାକରେ ବ୍ୟାଣ୍ଡେଜ୍‌ ବାନ୍ଧି ବସିଛନ୍ତି।

‘ଦି ଇଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟ ଅନୁସାରେ, ଏୟାର୍‌ଲାଇନ୍‌ ଦେଇଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ବିମାନ ଛାତରେ ଯାତ୍ରୀମାନଙ୍କ ମୁଣ୍ଡ ମାଡ଼ ହେବାରୁ କ୍ୟାବିନ୍‌ରେ ଯଥେଷ୍ଟ କ୍ଷୟକ୍ଷତି ହୋଇଛି। ଆହତ ୧୨ଜଣଙ୍କ ମଧ୍ୟରୁ ୯ଜଣ ଏୟାରପୋର୍ଟ ଡାକ୍ତରୀ କର୍ମଚାରୀଙ୍କଦ୍ବାରା ଚିକିତ୍ସିତ ହୋଇଥିବା ବେଳେ ୩ଜଣଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଯାତ୍ରୀମାନଙ୍କୁ ସିଟ୍‌ ବେଲ୍‌ଟ୍‌ ବାନ୍ଧିବାକୁ କୁହାଯିବା ସହ ସିଟ୍‌ବେଲ୍‌ଟ୍‌ ସାଇନ୍‌ ମଧ୍ୟ ଅନ୍‌ କରାଯାଇଥିଲା, କିନ୍ତୁ କେତେକ ଯାତ୍ରୀ ତାହା ମାନି ନ ଥିଲେ ବୋଲି ଏୟାର୍‌ ଲାଇନ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe