କେରଳର କୋଝିକୋଡ଼ରେ ‘ନିପା ଭାଇରସ୍‌’ଦ୍ବାରା ଆକ୍ରାନ୍ତ ୧୨ ବର୍ଷିୟ ବାଳକର ମୃତ୍ୟୁ; ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌

Advertisment
କେରଳର କୋଝିକୋଡ଼ରେ ‘ନିପା ଭାଇରସ୍‌’ଦ୍ବାରା ଆକ୍ରାନ୍ତ ୧୨ ବର୍ଷିୟ ବାଳକର ମୃତ୍ୟୁ; ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌

Image Courtesy of India Today

କୋଝିକୋଡ଼: କେରଳର କୋଝିକୋଡ଼ ଜିଲ୍ଲାରେ ‘ନିପା ଭାଇରସ୍‌’ଦ୍ବାରା ଆକ୍ରାନ୍ତ ‌ହୋଇଥିବା ଜଣେ ୧୨ ବର୍ଷିୟ ବାଳକର ରବିବାର ପ୍ରତ୍ୟୁଷରେ ମୃତ୍ୟୁ ଘଟିଛି। ଚିକିତ୍ସା ପାଇଁ ପିଲାଟିକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶନିବାର ଦିନ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଆଜି ଭୋର୍‌ ୫ଟା ବେଳେ ତା’ର ମୃତ୍ୟୁ ଘଟିଲା।

ସେପ୍ଟେମ୍ବର ୩ ତାରିଖ ଦିନ ପିଲାଟିର ଅବସ୍ଥା ଦେଖିବା ପରେ, ତାହା ‘ନିପା ଭାଇରସ୍‌’ ସଂକ୍ରମଣ ମାମଲା ବୋଲି ପ୍ରଥମେ ରିପୋର୍ଟ କରାଯାଇଥିଲା। ତା’ ଶରୀରରେ ‘ଏନ୍‌ସିଫାଲାଇଟିସ୍‌’ ଏବଂ ‘ମାୟୋକାର୍ଡିଟିସ୍‌’ ଲକ୍ଷଣ ଦେଖାଯାଇଥିଲା।

କେରଳରୁ ସଂଗୃହୀତ ଉକ୍ତ ନମୁନା ‘ନିପା ଭାଇରସ୍‌’ ପଜିଟିଭ୍ ଆସିଥିବା କଥା ପୁଣେସ୍ଥିତ ‘ଦି ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି’ ସୁନିଶ୍ଚିତ କରି କହିଛି।

କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ୧୨ ବର୍ଷିୟ ବାଳକଟିକୁ ପ୍ରଥମେ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯି‌ବା ପରେ ଏକ ମେଡିକାଲ୍‌ କଲେଜକୁ ଅଣାଯାଇଥିଲା। ଶେଷକୁ ପୁଣି ତାକୁ ଉକ୍ତ ଘରୋଇ ଡାକ୍ତରଖାନାକୁ ଫେରାଇ ନିଆଯାଇଥିଲା।

publive-image Image Courtesy of Mint

ଆଜି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଅନ୍ୟତମ ମନ୍ତ୍ରୀ ପିଏ ମହମ୍ମଦ୍ ରିୟାସ୍‌ଙ୍କ ସହ କୋଝିକୋଡ଼ ଗସ୍ତରେ ଯିବେ।

ଏହା ବ୍ୟତିରେକେ, କେରଳକୁ ବୈଷୟିକ ସହାୟତା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ମଧ୍ୟ ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌’ (ଏନ୍‌ସିଡିସି) ଏକ ଟିମ୍‌ ପଠାଇଛନ୍ତି। ଆଜି ସେମାନେ ସେଠାରେ ପହଞ୍ଚିବେ।

ସୂଚନାଯୋଗ୍ୟ, ‘ନିପା’ ହେଉଛି ଗୋଟାଏ ‘ଜୁନୋଟିକ୍‌ ଭାଇରସ୍‌’ ବା ଭୂତାଣୁ। ଏହା ପ୍ରାଣୀମାନଙ୍କ ଶରୀରରୁ ମଣିଷ ଶରୀରକୁ ବ୍ୟାପେ। ‘ଫଳଭୋଜୀ ବାଦୁଡ଼ି’ ବା ‘ଫ୍ଲାଇଙ୍ଗ୍‌ ଫକ୍ସ୍‌’ର ଲାଳରୁ ଏହା ଅନ୍ୟ ପ୍ରାଣୀ ଓ ମଣିଷ ଶରୀରକୁ ପ୍ରବେଶ କରେ। ଏହା ସାଧାରଣତଃ, ଘୁଷୁରି, କୁକୁର, ଘୋଡ଼ା ଆଦି ପ୍ରାଣୀଙ୍କୁ ଆକ୍ରାନ୍ତ କରେ। ମଣିଷ ଶରୀରକୁ ବ୍ୟାପିଲେ ‘ନିପା’ ସାଙ୍ଘାତିକ ଅସୁସ୍ଥତାର କାରଣ ହୋଇ ଶେଷରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରାଣ ନେଇପାରେ।

୨୦୧୮ରେ କେରଳର କୋଝିକୋଡ଼ ଏବଂ ମାଲାପୁରମ୍‌ ଜିଲ୍ଲାରେ ‘ନିପା ଭାଇରସ୍‌’ ବ୍ୟାପିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe