ନୂଆଦିଲ୍ଲୀ/ଭୁବନେଶ୍ବର: ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। କଟକ ସାଂସଦ ତଥା ଡ. ହରେକୃଷ୍ଣ ମହତାବଙ୍କ ପୁତ୍ର ଭର୍ତ୍ତୃହରି ମହତାବ  ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Advertisment

ଡକ୍ଟର ହରେକୃଷ୍ଣ ମହତାବଙ୍କ ସମ୍ମାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରାଯାଇଛି। ଏହା ସହିତ ଓଡ଼ିଆରେ ମୋନୋଗ୍ରାଫ୍, ଗାଁ ମଜଲିସର ଇଂରାଜୀ ଅନୁବାଦ ଏବଂ ଗାଁ ମଜଲିସର ହିନ୍ଦୀ ଅନୁବାଦ ମଧ୍ୟ ଉନ୍ମୋଚନ କରାଯାଇଛି।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ହରେକୃଷ୍ଣ ମହତାବ ଜଣେ ପ୍ରେରଣାଦାୟକ ନେତା ଥିଲେ। ଭାରତର ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ସେ କାରାବରଣ କରିଥିଲେ।  ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଡାକରାରେ ଲବଣ ସତ୍ୟାଗ୍ରହରେ ଯୋଗଦେଇଥିଲେ। ୧୯୪୨ ଭାରତ ଛାଡ ଆନ୍ଦୋଳନରେ ଯୋଗଦେଇ ଅହମଦନଗର କିଲ୍ଲା ଜେଲରେ କାରାବରଣ କରିଥିଲେ।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଆନନ୍ଦର ବିଷୟ କେନ୍ଦ୍ର ସରକାର ମହତାବଙ୍କ ୧୨୫ ଜନ୍ମବାର୍ଷିକୀ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ତାଙ୍କର ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି, ଡକ୍ଟର ମହତାବ ଓଡ଼ିଶାର ସର୍ଦ୍ଦାର ପଟେଲ ଥିଲେ। ମହାନ ରାଷ୍ଟ୍ରନେତା, ସ୍ବାଧୀନତା ସଂଗ୍ରାମୀ ଭାବେ ତାଙ୍କର ଅବଦାନ ଅତୁଳନୀୟ

ସୂଚନାଯୋଗ୍ୟ,"ଉତ୍କଳ କେଶରୀ" ନାମରେ ପରିଚିତ ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଓଡ଼ିଶାର ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତ ଇତିହାସରେ ଜଣେ ବହୁମୁଖୀ ନେତା ଥିଲେ। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଏବଂ ସାମ୍ବାଦିକ ଭାବରେ ପରିଚିତ ଥିଲେ। ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଏବଂ ମହାତ୍ମା ଗାନ୍ଧୀଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ।

କଲେଜ ଜୀବନରୁ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଇତ୍ୟାଦି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ସ୍ଵାଧୀନତା ଆନ୍ଦୋଳନରେ ସକ୍ରିୟତା ପାଇଁ ସେ ଏକାଧିକ ଥର ଗିରଫ ହୋଇଥିଲେ ଏବଂ ଓଡ଼ିଶାକୁ ଭାରତରେ ମିଶ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

9a

ଡକ୍ଟର ହରେକୃଷ୍ଣ ମହତାବ ଗଡ଼ଜାତ ରାଜ୍ୟର ଶେଷ ପ୍ରଧାନମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ସ୍ୱାଧୀନ ଭାରତର ମୁଖ୍ୟମନ୍ତ୍ରୀ ଭାବରେ ସେ ଓଡ଼ିଶାର ଶିଳ୍ପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ରାଜ୍ୟର ଆର୍ଥିକ ବିକାଶ ପାଇଁ ପରାମର୍ଶ ଦେଇଥିଲେ। ହରେକୃଷ୍ଣ ମହତାବ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ବ୍ୟାପକ ଭାବରେ ଲେଖିଥିଲେ। ରାଜ୍ଯର ଐତିହାସିକ ବିବରଣୀ 'ଓଡ଼ିଶାର ଇତିହାସ' ସମେତ ତାଙ୍କର ଅନ୍ୟନ୍ୟ କୃତି ପାଇଁ ସେ ପ୍ରଶଂସିତ ହୋଇଥିଲେ ଏବଂ ୧୯୮୩ ମସିହାରେ 'ଗାଁ ମଜଲିସ' ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।

ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ୧୯୬୨ରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଡକ୍ଟର ହରେକୃଷ୍ଣ ମହତାବ ତାଙ୍କ ଦୃଢ଼ ଇଚ୍ଛାଶକ୍ତି, ସଂକଳ୍ପ ଓ ପ୍ରଭାବ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି। ରାଜ୍ୟର ଅନ୍ୟତମ ଅଗ୍ରଣୀ ନେତା ଭାବରେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। 

ଅଧିକ ପଢ଼ନ୍ତୁ: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ୬ ଅଟକ

ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ଉତ୍ସବ ସହକାରେ ପାଳନ କରିବା ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଗୃହ ଓ ସମବାୟ ବ୍ୟାପାର ମନ୍ତ୍ରୀ ଅମିତ୍ ଶାହ ଅଧ୍ୟକ୍ଷ ଭାବରେ ରହିଛନ୍ତି।

କମିଟିର ଅନ୍ୟ ପ୍ରମୁଖ ସଦସ୍ୟମାନଙ୍କ ମଧ୍ୟରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳବାଇ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ  ଅଶ୍ବିନୀ ବୈଷ୍ଣବ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଭର୍ତ୍ତୃହରି ମହତାବ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପୁସ୍ତକାଳୟର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର, ଗୃହ ସଚିବ ଗୋବିନ୍ଦ ମୋହନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଯାଜୁ, ସଂସ୍କୃତି ସଚିବ, ଅରୁନିଶ୍ ଚାୱଲା, ଏବଂ ପିଏମ୍ଓ ଆର୍ଥିକ ପରାମର୍ଶ ପରିଷଦ ସଦସ୍ୟ  ସଞ୍ଜୀବ ସାନୟାଲ ପ୍ରମୁଖ ସାମିଲ ରହିଛନ୍ତି। ଏହା ସହିତ ଏହି କମିଟିରେ ମଧ୍ୟ ପ୍ରସିଦ୍ଧ ସାହିତ୍ୟିକ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସଦସ୍ୟ ଭାବେ ରହିଛନ୍ତି।

ଅଧିକ ପଢ଼ନ୍ତୁ: ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା