Image Courtesy of India Today
ଗାଜା ସିଟି: ମଧ୍ୟରାତ୍ର ସୁଦ୍ଧା ଦ୍ବିତୀୟ ‘ବ୍ୟାଚ୍’ର ପଣବନ୍ଦୀଙ୍କୁ ମୁକ୍ତ କରା ନ ଗଲେ ଯୁଦ୍ଧବିରତି ଶେଷ କରାଯାଇ ପୁଣି ଗାଜାରେ ଆକ୍ରମଣ ଚାଲିବ ବୋଲି ଇସ୍ରାଏଲ୍ କହିବା ପରେ ଶନିବାର ବିଳମ୍ବିତ ରାତ୍ରରେ ହମାସ ୧୩ଜଣ ଇସ୍ରାଏଲୀୟ ଓ ୪ଜଣ ଥାଇଲାଣ୍ଡ୍ ନାଗରିକଙ୍କୁ ‘ରେଡ୍ କ୍ରସ୍’କୁ ହସ୍ତାନ୍ତର କରିଛି।
ଇସ୍ରାଏଲ୍ ଚୁକ୍ତି ଉଲ୍ଲଂଘନ କରିଛି କହି ହମାସ୍ ଉକ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବାରେ ବିଳମ୍ବ କରିଥିଲା। ଚୁକ୍ତି ଉଲ୍ଲଂଘନର ଗୋଟିଏ ବିଷୟ ହେଉଛି, ମାନବୀୟ ସହାୟତା ନିମନ୍ତେ ଉତ୍ତର ଗାଜାକୁ ଯେତୋଟି ଟ୍ରକ୍ ଛାଡ଼ିବାକୁ ଇସ୍ରାଏଲ୍ କହିଥିଲା ତା’ର ଅର୍ଦ୍ଧେକରୁ କମ୍ ଟ୍ରକ୍ ଛାଡ଼ିଛି।
ଏହି ୧୭ଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯିବା ପ୍ରତିବଦଳରେ ଇସ୍ରାଏଲ୍ର ବିଭିନ୍ନ ଜେଲ୍ରେ ବନ୍ଦୀ ହୋଇ ରହିଥିବା ୩୩ଜଣ ନାବାଳକଙ୍କ ସମେତ ୩୯ଜଣ ପାଲେଷ୍ଟିନୀୟ ନାଗରିକଙ୍କୁ ମୁକ୍ତ କରାଯିବ।
Image Courtesy of India Todayହମାସ କବଳରୁ ମୁକ୍ତ ହୋଇଥିବା ୧୭ଜଣ ପଣବନ୍ଦୀ ଇଜିପ୍ଟ ବାଟ ଦେଇ ଇସ୍ରାଏଲ୍ରେ ପହଞ୍ଚିଯାଇଛନ୍ତି ବୋଲି ଇସ୍ରାଏଲୀୟ ସେନା ଶନିବାର ରାତିରେ କହିଛି। ‘ରେଡ୍ କ୍ରସ୍’ର ପ୍ରତିନିଧିମାନେ ସେମାନଙ୍କୁ ଇଜିପ୍ଟକୁ ହସ୍ତାନ୍ତର କରିଥିଲେ।
ମୁକ୍ତ କରିଥିବା ପଣବନ୍ଦୀମାନଙ୍କର ଫଟୋ ମଧ୍ୟ ହମାସ୍ ରିଲିଜ୍ କରିଛି।
ସେନା କହିଛି, ‘ଇସ୍ରାଏଲ୍ ଡିଫେନ୍ସ୍ ଫୋର୍ସ’ର ସୈନିକମାନେ ସେମାନଙ୍କ ସହିତ ଯାଇ ଇସ୍ରାଏଲ୍ର ବିଭିନ୍ନ ହସ୍ପିଟାଲ୍ରେ ସେମାନେ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ। ହସ୍ପିଟାଲ୍ମାନଙ୍କରେ ହିଁ ପଣବନ୍ଦୀମାନଙ୍କୁ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
ଇସ୍ରାଏଲ୍ ସରକାର ମଧ୍ୟ ସୁନିଶ୍ଚି କରି କହିଛନ୍ତି ଯେ ୬ଜଣ ପ୍ରାପ୍ତ ବୟସ୍କା ମହିଳା ଓ ୭ଜଣ ଶିଶୁ/କିଶୋରଙ୍କୁ ଗାଜାରେ ହମାସ୍ଠାରୁ ମୁକ୍ତ କରାଯାଇଛି।
Follow Us