Image Courtesy of India Today
ବ୍ୟାଙ୍ଗ୍କକ୍: ଗତରାତିରେ ଥାଇଲାଣ୍ଡ୍ର ରାଜଧାନୀ ବ୍ୟାଙ୍ଗ୍କକ୍ର ଦକ୍ଷିଣପୂର୍ବ ପ୍ରାନ୍ତସ୍ଥିତ ଚନ୍ବୁରି ପ୍ରଦେଶ ଅନ୍ତର୍ଗତ ଗୋଟାଏ ନାଇଟ୍କ୍ଲବ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ୧୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୩୫ଜଣ ଆହତ ହୋଇଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି।
ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ୪ଜଣ ମହିଳା ଏବଂ ୯ଜଣ ପୁରୁଷ। ଭୀଷଣ ପୋଡ଼ିଯାଇଥିବା ସେମାନଙ୍କ ଶବ କ୍ଲବ୍ର ପ୍ରବେଶ ପଥ ଓ ସ୍ନାନାଗାରରୁ ଉଦ୍ଧାର କରାଯାଇଛି।
ପୁଲିସ କର୍ଣ୍ଣେଲ୍ ଉତ୍ତିପୋଙ୍ଗ୍ ସୋମ୍ଜାଇ ଟେଲିଫୋନ୍ ଯୋଗେ କହିଛନ୍ତି ଯେ, ରାତି ପ୍ରାୟ ୧ଟା ବେଳେ ସତ୍ତାହିପ୍ ଜିଲ୍ଲାରେ ଥିବା ଏକମହଲାବିଶିଷ୍ଟ ‘ମାଉଣ୍ଟେନ୍ ବିଇ’ ନାଇଟ୍କ୍ଲବ୍ରେ ନିଆଁ ଲାଗିଥିଲା। ନିଆଁ ଲାଗିଲା ବେଳେ କ୍ଲବ୍ରେ ‘ଲାଇଭ୍ ମ୍ୟୁଜିକ୍’ ଚାଲିଥିଲା। ଏବେସୁଦ୍ଧା ଜଣାପଡ଼ିଥିବା ମୃତାହତମାନେ ହେଉଛନ୍ତି ଥାଇଲାଣ୍ଡ୍ର ନାଗରିକ।
ଅଗ୍ନିକାଣ୍ଡରେ ପୋଡ଼ି ହୋଇ କେତେକ ସାମାନ୍ୟ ଆହତ ହୋଇଥିବା ବେଳେ ଆଉ କେତେକ ସାଙ୍ଘାତିକ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ନିର୍ଦ୍ଧାରଣ କରିବା ଲାଗି ତଦନ୍ତ ଆରମ୍ଭ ହୋଇଥିବା କଥା ସେ କହିଛନ୍ତି।
Image Courtesy of The Starଘଟଣାସ୍ଥଳରେ ‘ସୱାଙ୍ଗ୍ ରୋଜାନାଥାମ୍ମାସାଥାନ୍ ରେସ୍କ୍ୟୁ ଫାଉଣ୍ଡେସନ୍’ ଉଦ୍ଧାର କାର୍ଯ୍ୟ ଚଳାଇଥିବା କଥା ନିଜ ପରିଚୟ ଗୋପନ ରଖିବାକୁ ଅନୁରୋଧ କରି ଜଣେ ସରକାରୀ ଅଧିକାରୀ କହିଛନ୍ତି।
ଉଦ୍ଧାରକାରୀ ସଂସ୍ଥାନ ଉତ୍ତୋଳନ କରିଥିବା ଭିଡିଓରେ ଦେଖାଯାଉଛି ପୋଷାକପତ୍ରରେ ନିଆଁ ଲାଗିଯାଇଥିବା ବ୍ୟକ୍ତିମାନେ ଚିତ୍କାର କରି ଜଳନ୍ତା ନାଇଟ୍କ୍ଲବ୍ରୁ ବାହାରକୁ ଧାଇଁ ଆସୁଛନ୍ତି।
ପ୍ରାୟ ୩ ଘଣ୍ଟାର ଉଦ୍ୟମ ପରେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାରେ ସମର୍ଥ ହୋଇଥିଲେ।
ସୂଚନାଯୋଗ୍ୟ, ସତ୍ତାହିପ୍ ହେଉଛି ପତ୍ତାୟା ନଗରୀର ଦକ୍ଷିଣକୁ ୩୦ କିଲୋମିଟର୍ ଦୂରରେ ଥିବା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ।
Follow Us