Image Courtesy of India Today
ମେକ୍ସିକୋ ସିଟି: ଉତ୍ତରାଞ୍ଚଳ ରାଜ୍ୟ ସିନାଲୋଆରେ ସେନା ହେଲିକପ୍ଟର୍ ‘ବ୍ଲାକ୍ ହକ୍’ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଥିବା କଥା ଶୁକ୍ରବାର ଦିନ ମେକ୍ସିକୋ ନୌସେନା କହିଛି।
ଦୁର୍ଘଟଣାର କାରଣ ଜାଣିବା ଲାଗି ତଦନ୍ତ ଚାଲିଛି। ଏହି ଦୁର୍ଘଟଣା ସହିତ କୁଖ୍ୟାତ ଡ୍ରଗ୍ ମାଫିଆ ରାଫେଲ୍ କେରୋ କ୍ବିଣ୍ଟେରୋଙ୍କ ଗିରଫଦାରି ସହିତ କୌଣସି ସମ୍ପର୍କ ଥିବାର ସୂଚନା ମିଳିନାହିଁ ବୋଲି ନୌସେନା କହିଛି।
୧୯୮୫ରେ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ‘ଆଣ୍ଟି-ନାକ୍ରୋଟିକ୍ ଏଜେଣ୍ଟ୍’ଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟକ୍ତ ହୋଇଥିବା କ୍ବିଣ୍ଟେରୋଙ୍କୁ ଶୁକ୍ରବାର ଦିନ ନୌସେନା ସିନାଲୋଆର ଅନ୍ୟ ଏକ ପ୍ରାନ୍ତରୁ ଗିରଫ କରିଥିଲା।
ନୌସେନା ଏବଂ ଆଟର୍ଣ୍ଣି ଜେନେରାଲ୍ଙ୍କ କାର୍ଯ୍ୟାଳୟ ମିଳିତ ଭାବେ ତଲାସ ଅଭିଯାନ ଚଳାଇଥିବା ବେଳେ ସିନାଲାଓର ସାନ୍ ସାଇମନ୍ ନଗରୀ ଅନ୍ତର୍ଗତ ବୁଦୁବୁଦୁକିଆ ଅରଣ୍ୟାଞ୍ଚଳରେ ଆତ୍ମଗୋପନ କରିଥିବା ୬୯ ବର୍ଷିୟ କେରୋ କ୍ବିଣ୍ଟେରୋଙ୍କୁ ମ୍ୟାକ୍ସ୍ ନାମରେ ଗୋଟାଏ ସନ୍ଧାନୀ କୁକୁର ଠାବ କରିଥିଲା ବୋଲି ମେକ୍ସିକୀୟ ନୌସେନା କହିଛି।
Image Courtesy of Sky Newsସୂଚନାଯୋଗ୍ୟ, ୧୯୮୦ ଦଶକର ଲାଟିନ୍ ଆମେରିକାର ଅନ୍ୟତମ ଡ୍ରଗ୍ ଚୋରା ଚାଲାଣକାରୀ ସଙ୍ଗଠନ ‘ଗୁଆଡ଼ାଲାଜାରା କାର୍ଟେଲ୍’ର ସହ-ସଂସ୍ଥାପକ ଭାବେ ଡ୍ରଗ୍ ମାଫିଆ କ୍ବିଣ୍ଟେରୋ ଲୋକଲୋଚନକୁ ଆସିଥିଲେ। ତେଣୁ, ଆମେରିକାର ସରକାରୀ ଅଧିକାରୀମାନଙ୍କ ଦୃଷ୍ଟି ତାଙ୍କ ଉପରେ ଥିଲା।
ତାଙ୍କୁ ଗିରଫ କରାଯାଇଥିବାରୁ ଆମେରିକା ସରକାର ମେକ୍ସିକୋ ନୌସେନାକୁ ପ୍ରଶଂସା କରିବା ସହିତ କହିଛି ଯେ, କ୍ବଣ୍ଟେରୋଙ୍କ ପ୍ରତ୍ୟର୍ପଣ କରିବା ଲାଗି ତୁରନ୍ତ ଅନୁରୋଧ କରାଯିବ। ଟୁଇଟ୍ କରି ହ୍ବାଇଟ୍ ହାଉସ୍ର ବରିଷ୍ଠ ଲାଟିନ୍ ଆମେରିକା ଉପଦେଷ୍ଟା ଜୁଆନ୍ ଗନ୍ଜାଲେଜ୍ କହିଛନ୍ତି, ଗୁରୁତ୍ବପୂର୍ଣ୍ଣ ସଫଳତା।
Follow Us