ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆକ୍ରମଣର ତଦନ୍ତରେ ଏକ ନୂତନ ମୋଡ଼ ଆସିଛି। ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ୧୫ ଜଣ ସ୍ଥାନୀୟ ଲୋକ ଆକ୍ରମଣକାରୀଙ୍କୁ ସାହାଯ୍ୟ କରିଥିଲେ। ସେମାନେ ସମସ୍ତେ କାଶ୍ମୀର ଉପତ୍ୟକାର ବାସିନ୍ଦା। ଇଲେକ୍ଟ୍ରୋନିକ୍ ନିରୀକ୍ଷଣରୁ ଜଣାପଡିଛି, ଏହି ଲୋକମାନେ ଆକ୍ରମଣକାରୀଙ୍କୁ ଲଜିଷ୍ଟିକ୍ସ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ସାହାଯ୍ୟ କରିଥିଲେ। ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ପାକିସ୍ତାନରୁ ଆସିଥିବା ଅନୁମାନ କରାଯାଉଛି।
ହାଇଲାଇଟ୍ସ :
ଆକ୍ରମଣକାରୀଙ୍କୁ ସାହାଯ୍ୟ କରିଥିଲେ ୧୫ ଜଣ ସ୍ଥାନୀୟ ଲୋକ, ତଦନ୍ତରେ ଏକ ନୂଆ ମୋଡ଼।
ପୁଲିସ ୫ ଜଣ ସନ୍ଦିଗ୍ଧ ଏବଂ ୨୦୦ ଜଣ ଓଜିଡବ୍ଲୁଙ୍କୁ ପଚରାଉଚରା କରୁଛି।
ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଚିହ୍ନଟ କରିବା ପାଇଁ ସନ୍ଧାନ ଜାରି।
ତଦନ୍ତକାରୀ ଏଜେନ୍ସିଗୁଡ଼ିକ ପାଞ୍ଚ ଜଣ ମୁଖ୍ୟ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ଧ୍ୟାନ ଦେଉଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଧରାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି। ପୂଲିସ ବାକି ଦୁଇ ଓଜିଡବ୍ଲୁ(ଓଭର ଗ୍ରାଉଣ୍ଡ ୱାର୍କର)ଙ୍କୁ ଖୋଜୁଛି। ଆକ୍ରମଣ ଦିନ ଏହି ପାଞ୍ଚ ଜଣ ସନ୍ଦିଗ୍ଧ ବ୍ୟକ୍ତି ଘଟଣାସ୍ଥଳ ନିକଟରେ ଥିଲେ। ତାଙ୍କ ଫୋନଗୁଡ଼ିକ ମଧ୍ୟ ସେହି ଅଞ୍ଚଳରେ ସକ୍ରିୟ ଥିଲା।
ଇଲେକ୍ଟ୍ରୋନିକ୍ ନିରୀକ୍ଷଣରେ ଏକ ଚାଟ୍ ସାମ୍ନାକୁ ଆସିଛି। ଏଥିରେ ଧରାପଡ଼ିଥିବା ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତି ନିଜ ନିଜ ମଧ୍ୟରେ କଥାବାର୍ତ୍ତା କରୁଛନ୍ତି। ସେମାନେ ପହଲଗାମରେ ଉପସ୍ଥିତ ପାକିସ୍ତାନୀ ଆତଙ୍କବାଦୀଙ୍କୁ "ସହାୟତା" କରିବା ବିଷୟରେ କଥା ହେଉଥିଲେ।
ଇତିମଧ୍ୟରେ, ୨୦୦ ରୁ ଅଧିକ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଆକ୍ରମଣ ପୂର୍ବ ଘଟଣାବଳୀ ବିଷୟରେ ତାଙ୍କଠାରୁ ସୂଚନା ସଂଗ୍ରହ କରାଯାଉଛି। ସୂତ୍ର ଅନୁସାରେ, ପୁଲିସ ଆକ୍ରମଣର ଯୋଜନା କିପରି ଥିଲା ତାହା ଜାଣିବାକୁ ଚେଷ୍ଟା କରୁଛି।
ପହଲଗାମ ଆକ୍ରମଣରେ ଏହି ପାଞ୍ଚ ଜଣ ସନ୍ଦିଗ୍ଧଙ୍କ ଭୂମିକା ଥାଇପାରେ ବୋଲି ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି। ଏଥିପାଇଁ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ଅଛି। ଏନଆଇଏ, ଜମ୍ମୁ-କଶ୍ମୀର ପୁଲିସ, ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ର’(ଆରଏଡବ୍ଲୁ)ର ମିଳିତ ଦଳ ଅନ୍ୟ ୧୦ ଜଣ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ମଧ୍ୟ ପଚରାଉଚରା କରୁଛନ୍ତି। ଏହି ଲୋକମାନେ ପୂର୍ବରୁ ମଧ୍ୟ କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବାର ପ୍ରମାଣ ରହିଛି। ଆକ୍ରମଣ ଦିନ ସେମାନେ ସମସ୍ତେ ଘଟଣାସ୍ଥଳ ନିକଟରେ ଉପସ୍ଥିତ ଥିଲେ।
ଜାମ୍ମୁ-କଶ୍ମୀର ପୁଲିସ ଅନୁଯାୟୀ, ଏହି ୧୫ ଜଣ ସ୍ଥାନୀୟ ସହାୟକ ପୂର୍ବରୁ ଓଭର ଗ୍ରାଉଣ୍ଡ ୱାର୍କର ଭାବରେ ପଞ୍ଜୀକୃତ ହୋଇଥିଲେ। ଗତ କିଛି ବର୍ଷ ମଧ୍ୟରେ ଦକ୍ଷିଣ କଶ୍ମୀରରେ ଅନେକ ଆକ୍ରମଣରେ ସମ୍ପୃକ୍ତ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସେମାନେ ସହାୟତା କରିଥିବା ସନ୍ଦେହ କରାଯାଉଛି।
ସେମାନେ ଆତଙ୍କବାଦୀଙ୍କୁ ଲଜିଷ୍ଟିକ୍ସ ଯୋଗାଣ, ଜଙ୍ଗଲରେ ଦିଗଦର୍ଶନ ଦେଖାଇବା ଏବଂ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆଣିବାରେ ସାହାଯ୍ୟ କରୁଥିଲେ। ଏକ ସୂତ୍ରରୁ ଜଣାପଡ଼ିଛି, ସେମାନଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ଅଛି ଯେ, ଏହି ଲୋକମାନେ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରିଥିଲେ।
ଜଣେ ଅଧିକାରୀ କହିଛନ୍ତି, ପହଲଗାମ ଆକ୍ରମଣରେ ୪-୫ ଜଣ ଆତଙ୍କବାଦୀ ସାମିଲ ଥିଲେ। ଏମାନଙ୍କ ମଧ୍ୟରୁ ଅତି କମରେ ଦୁଇଜଣ ପାକିସ୍ତାନୀ ଏବଂ ଦୁଇଜଣ ସ୍ଥାନୀୟ କଶ୍ମୀରୀ ଥିଲେ। ଷଡ଼ଯନ୍ତ୍ରକୁ ବୁଝିବା ପାଇଁ ଆମେ ଏହି ୧୫ ଜଣ ଅଟକ ଓଭର ଗ୍ରାଉଣ୍ଡ ୱାର୍କରଙ୍କଠାରୁ ଅଧିକ ସୂଚନା ବାହାର କରିବାକୁ ଚେଷ୍ଟା କରୁଛୁ। ଏହା ପରେ ହିଁ ତାଙ୍କ ଗିରଫଦାରୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଶନିବାର ସୁଦ୍ଧା, ୨୦୦ ରୁ ଅଧିକ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଛି। ପହଲଗାମ ଆକ୍ରମଣ ପୂର୍ବ ଘଟଣାବଳୀ ବିଷୟରେ ତାଙ୍କଠାରୁ ସୂଚନା ପାଇବାକୁ ଚେଷ୍ଟା କରାଯାଉଛି।
ଜଣେ ଅଧିକାରୀ କହିଛନ୍ତି ଯେ, ପ୍ରାୟ ୨୦-୨୫ ଜଣ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଏହି ଓଭର ଗ୍ରାଉଣ୍ଡ ୱାର୍କରମାନେ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ରହିଥାନ୍ତି। ସେମାନଙ୍କୁ ଆଶ୍ରୟ ଦିଅନ୍ତି ଏବଂ ସେମାନଙ୍କର "ପଥପ୍ରଦର୍ଶକ" ଭାବରେ କାର୍ଯ୍ୟ କରନ୍ତି। ପୂଲିସ ଓଭର ଗ୍ରାଉଣ୍ଡ ୱାର୍କର ଡାଟାବେସ୍ ଫିଲ୍ଟର କରୁଛି। ଏହା ସହିତ ୧୫୦୦ ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଛି।
ଅଧିକ ପଢ଼ନ୍ତୁ: ପାକିସ୍ତାନ ସହିତ ଉତ୍ତେଜନା: ଭାରତୀୟ ନୌସେନା ଜାହାଜ ପ୍ରତିରୋଧୀ କ୍ଷେପଣାସ୍ତ୍ର ପରୀକ୍ଷଣ କଲା
ବର୍ତ୍ତମାନ ୧୫ ଜଣ ସମ୍ଭାବ୍ୟ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ଧ୍ୟାନ ଦିଆଯାଉଛି। ଏହା ସହିତ, ଦକ୍ଷିଣ କଶ୍ମୀରରେ ସକ୍ରିୟ ଥିବା ଅନ୍ୟ ଓଭର ଗ୍ରାଉଣ୍ଡ ୱାର୍କରମାନଙ୍କୁ ମଧ୍ୟ ଏହି ଅଞ୍ଚଳରେ ଦେଖାଯାଇଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ପରିଚୟ ଏବଂ ସେମାନଙ୍କର ସମ୍ଭାବ୍ୟ ଆଡ୍ଡା ବିଷୟରେ ସୂଚନା ପାଇବା ପାଇଁ ପଚରାଉଚରା କରାଯାଉଛି।
ସୂତ୍ର ଅନୁଯାୟୀ, ସୁରକ୍ଷା ବାହିନୀ ବୈସାରନ ଆଖପାଖ ଜଙ୍ଗଲକୁ ପଳାଇଯାଇଥିବା ଆତଙ୍କବାଦୀମାନଙ୍କୁ ଖୋଜୁଛନ୍ତି। ନିକଟବର୍ତ୍ତୀ ସହର ଏବଂ ଜିଲ୍ଲାଗୁଡ଼ିକରେ ଖୋଜାଖୋଜି ସତ୍ତ୍ୱେ, ଆକ୍ରମଣକାରୀଙ୍କ ପତ୍ତା ମିଳିନାହିଁ। ତେଣୁ, ସେମାନେ ଘନ ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହ କରାଯାଉଛି।
ଅଧିକ ପଢ଼ନ୍ତୁ: ପୁଲିସ ପିଛା କରୁଥିବା ବେଳେ ଓଲଟିଲା ଦୁଇ ପିକଅପ, ଚାଲିଗଲା ଚାଳକର ଜୀବନ, ୩ ଗୋରୁ ମୃତ
Massacre of terrorists | pahalgam-attack | Over Ground Worker(OGW)