Image Courtesy of India Today
ଅକ୍ସଫୋର୍ଡ ଟାଉନ୍ସିପ୍: ମିଚିଗାନ୍ ହାଇସ୍କୁଲ୍ରେ ମଙ୍ଗଳବାର ଦିନ ଜଣେ ୧୫ ବର୍ଷିୟ ଦ୍ବିତୀୟ ବାର୍ଷିକ ଶିକ୍ଷାର୍ଥୀ ଗୁଳି ଚଳାଇବାରୁ ୩ଜଣ ଶିକ୍ଷାର୍ଥୀଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଶିକ୍ଷକଙ୍କ ସମେତେ ଅନ୍ୟ ୬ଜଣ ଆହତ ହୋଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।
ଓକ୍ଲାଣ୍ଡ୍ କାଉଣ୍ଟିର ଅଣ୍ଡର୍ସେରିଫ୍ ମାଇକ୍ ମ୍ୟାକ୍କେବ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅକ୍ସଫୋର୍ଡ ଟାଉନ୍ସିପ୍ସ୍ଥିତ ଅକ୍ସଫୋର୍ଡ ହାଇସ୍କୁଲ୍ରେ କରିଥିବା ଆକ୍ରମଣ ଘଟଣାରେ ଆତତାୟୀଙ୍କର ଉଦ୍ଦେଶ୍ୟ ସେ ଜାଣନ୍ତି ନାହିଁ।
ସ୍କୁଲ୍ରେ ଛାତ୍ରଜଣକ ଗୁଳି ଚଳାଉଥିବା ବିଷୟରେ ପୁଲିସ ଅପରାହ୍ଣ ୧୨:୫୫ରେ ଫୋନ୍ ଯୋଗେ ଜାଣିବାକୁ ପାଇଥିଲା ବୋଲି ସେ କହିଛନ୍ତି। ପୁଲିସ ଅଧିକାରୀମାନେ ସ୍କୁଲ୍ରେ ପହଞ୍ଚି ସନ୍ଦିଗ୍ଧ ଛାତ୍ରଙ୍କୁ ଧରିବା ପରେ ତାଙ୍କ ଠାରୁ ଗୋଟାଏ ‘ସେମି ଅଟୋମେଟିକ୍ ହ୍ୟାଣ୍ଡ୍ ଗନ୍’ ଏବଂ କେତୋଟି ‘କ୍ଲିପ୍’ ଉଦ୍ଧାର କରିଛନ୍ତି। ସ୍କୁଲ୍କୁ କେମିତି ବନ୍ଧୁକ ଆଣିଲା ସେ କଥା କହିବାକୁ ସମ୍ପ୍ରତି ଥାନା ହାଜତରେ ଥିବା ସେ ଛାତ୍ରଜଣ ମନା କରୁଛନ୍ତି।
Image Courtesy of The Boston Globeଗୁଳିକାଣ୍ଡ ସମୟରେ ସେ ସ୍କୁଲ୍ରେ ପ୍ରାୟ ୧୭୦୦ ଛାତ୍ରଛାତ୍ରୀ ଥିଲେ। ସରକାରୀ କର୍ତ୍ତୃପକ୍ଷମାନେ ହଠାତ୍ ସନ୍ଦିଗ୍ଧ କିଂବା ମୃତାହତଙ୍କ ନାମ ପ୍ରକାଶ କରି ନାହାନ୍ତି।
ଆକ୍ରମଣ ଘଟଣା ପରେ ସ୍କୁଲ୍ରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ପୁଲିସ ଅଧିକାରୀମାନେ ସ୍କୁଲ୍ ପରିସର ତଲାସ କରୁଥିବା ବେଳେ କିଛି ପିଲା ରୁଦ୍ଧଦ୍ବାର ଶ୍ରେଣୀ କୋଠରିରେ ଆଶ୍ରୟ ନେଇଥିଲେ। ପରେ ସେମାନଙ୍କୁ ନିକଟବର୍ତ୍ତୀ ‘ମିଜେର୍ ଗ୍ରସରି ଷ୍ଟୋର୍’କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଅଭିଭାବକମାନେ ଆସି ସେଠାରୁ ସେମାନଙ୍କୁ ଘରକୁ ନେଇଥିଲେ।
Follow Us