ଦେଶରେ ୧୫୭ ନୂଆ ମେଡିକାଲ କଲେଜ ସ୍ଥାପନ ହେବ, ୨୦୨୪ ମାର୍ଚ ୩୧ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ

Advertisment
ଦେଶରେ ୧୫୭ ନୂଆ ମେଡିକାଲ କଲେଜ ସ୍ଥାପନ ହେବ, ୨୦୨୪ ମାର୍ଚ ୩୧ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ

ନୂଆଦିଲ୍ଲୀ : ଦେଶର ୧୪ଟି ରାଜ୍ୟରେ ସଦର ମହକୁମା ହସ୍‌ପିଟାଲ ସହିତ ସମ୍ପୃକ୍ତ ନୂଆ ମେଡିକାଲ କଲେଜଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । ଏସବୁ ନୂଆ ମେଡିକାଲ କଲେଜ ସ୍ଥାପନ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଅର୍ଥ ଯୋଗାଇ ଦେଉଛନ୍ତି । ସମ୍ପୃକ୍ତ ପାଣ୍ଠିକୁ ତୁରନ୍ତ ବିନିଯୋଗ କରି ସେସବୁ ମେଡିକାଲ କଲେଜଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମ ଯଥାଶୀଘ୍ର ଆରମ୍ଭ କରିବାକୁ କୁହାଯାଇଛି।

ଗୁରୁବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନୂଆ ମେଡିକାଲ କଲେଜଗୁଡିକର ପ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହି ମେଡିକାଲ କଲେଜଗୁଡିକର ପ୍ରଗତି ଅତ୍ୟନ୍ତ ମନ୍ଥର ଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉଦ୍‌ବେଗ ପ୍ରକାଶ କରିଥିଲେ। ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସମ୍ପୃକ୍ତ ୧୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବ ଓ ଡାକ୍ତରୀ ଶିକ୍ଷା ନିର୍ଦ୍ଦେଶକମାନେ ଯୋଗଦେଇଥିଲେ । ଏହି କେନ୍ଦ୍ରୀୟ ଯୋଜନାରେ ଦେଶରେ ୧୫୭ ନୂଆ ମେଡିକାଲ କଲେଜ ସ୍ଥାପନ କରିବାକୁ ୨୦୧୪ରୁ ନିଷ୍ପତ୍ତି ଗ୍ରହଣ କରାଯାଇ ତିନିଟି ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି । ଆଜିର ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ହିମାଚଳ ପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ମେଘାଳୟ, ମିଜୋରାମ, ଓଡ଼ିଶା, ନାଗାଲାଣ୍ଡ, ପଞ୍ଜାବ, ଜାମ୍ମୁ ଓ କାଶ୍ମୀର ଏବଂ ଆଣ୍ଡାମାନ ନିକୋବରର ସ୍ୱାସ୍ଥ୍ୟ ସଚିବ ଏବଂ ଡିଏମ୍‌ଇଟିମାନେ ଯୋଗଦେଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏସବୁ ରାଜ୍ୟର ମେଡିକାଲ କଲେଜର ମନ୍ଥର ପ୍ରଗତି ଘେନି ଉଦ୍‌ବେଗ ପ୍ରକାଶ କରିବା ସହିତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରି ୨୦୨୩-୨୪ ଶିକ୍ଷାବର୍ଷରୁ ମେଡିକାଲ ୟୁଜି ଶିକ୍ଷା ଆରମ୍ଭ କରିବାକୁ ଗୁରୁତ୍ୱ ଦେଇଥିଲେ । ସେ ଆହୁରି କହିଥିଲେ ଯେ ଏହି ଯୋଜନାକୁ ୨୦୨୪ ମାର୍ଚ ୩୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେଣୁ ଏହି ସମୟ ସୀମା ସୁଦ୍ଧା ନୂଆ ମେଡିକାଲ କଲେଜ ସବୁର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାଠପଢ଼ା ଆରମ୍ଭ ହେବା ଜରୁରୀ।

ବୈଠକର ସୂଚନା ଅନୁସାରେ ଏହି ଯୋଜନାରେ ସମ୍ପୃକ୍ତ ୧୪ ରାଜ୍ୟ ଓ ଦୁଇ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ୭୫୦୦ କୋଟି ଟଙ୍କା ଯୋଗାଣ ବ୍ୟବସ୍ଥା କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟସେବା ପାଇଁ ମାନବ ସମ୍ବଳ ଯୋଜନା ଓ ମେଡିକାଲ ଶିକ୍ଷା ବାବଦରେ ଏହି ଅର୍ଥ ପ୍ରଦାନ ବ୍ୟବସ୍ଥା କରାଯାଇଛି । ତେବେ ସମ୍ପୃକ୍ତ ନୂଆ ମେଡିକାଲ କଲେଜଗୁଡିକର ନିର୍ମାଣ କାର୍ଯ୍ୟରେ ମନ୍ଥରତା ଯୋଗୁଁ ରାଜ୍ୟ ସରକାରମାନେ ସେ ବାବଦ ଅର୍ଥ କେନ୍ଦ୍ର ସରକାରଙ୍କଠାରୁ ନେଉନାହାନ୍ତି । ସମ୍ପୃକ୍ତ ରାଜ୍ୟମାନଙ୍କର ବରାଦ ବିନା ଏହି ଅର୍ଥ କେନ୍ଦ୍ର ସରକାର ଯେଗାଇବାରେ ଅସୁବିଧା ସୃଷ୍ଟି ହେଉଛି । ତେଣୁ ସମ୍ପୃକ୍ତ ରାଜ୍ୟ ସରକାରମାନେ ନୂଆ ମେଡିକାଲ କଲେଜ ନିର୍ମାଣ ବାବଦ ଖର୍ଚ୍ଚର ବିନିଯୋଗ ପ୍ରମାଣପତ୍ର ତୁରନ୍ତ ଦାଖଲ କରି କେନ୍ଦ୍ର ନିକଟରୁ ଟଙ୍କା ନେବାକୁ ପରାମର୍ଶ ଦିଆଯାଇଛି। ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ମନୋହର ଅଗ୍‌ନାନି, ଯୁଗ୍ମ ସଚିବ ସୁଶ୍ରୀ ହେକାଲୀ ଝିମୋମି ଓ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe