ନାଗରିକତା ସଂଶୋଧନ ଆଇନ ନେଇ ହିଂସା ଜାରି, ୟୁପିରେ ମୃତ୍ୟୁସଂଖ୍ୟା ୧୬ ଛୁଇଁଲା, ୭୦୫ ଗିରଫ

ନାଗରିକତା ସଂଶୋଧନ ଆଇନ ନେଇ ହିଂସା ଜାରି, ୟୁପିରେ ମୃତ୍ୟୁସଂଖ୍ୟା ୧୬ ଛୁଇଁଲା, ୭୦୫ ଗିରଫ

India Today

କାନପୁର: ବିବାଦୀୟ ନାଗରିକତା ଆଇନକୁ ନେଇ ଉତ୍ତର ପ୍ରଦେଶର ୨୫ରୁ ଅଧିକ ସହରରେ ଆଜି ମଧ୍ୟ ହିଂସା ଜାରି ରହିଛି। ଗତ ଗୁରୁବାର ଠାରୁ ରାଜ୍ୟରେ ହିଂସାତ୍ମକ ବିକ୍ଷୋଭ ଯୋଗୁଁ ଏ ପର୍ଯ୍ୟନ୍ତ ୧୬ ଜଣ ପ୍ରାଣ ହରାଇଥିବା ରାଜ୍ୟ ‌ପୁଲିସ ସ୍ବୀକାର କରିଛି। ଏହି ହିଂସାରେ ପ୍ରାୟ ୫୦୦ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୦ରୁ ଅଧିକ ପୁଲିସ କର୍ମଚାରୀ ଥିବା କୁହାଯାଉଛି। ଏହି ମାମଲାରେ ୭୦୫ ଜଣଙ୍କୁ ଗିରଫ କରାଯାଇଛି।

ଆଜି କାନପୁର ଜିଲ୍ଲାର ୟତିମଖାନା ପୁଲିସ ଫାଣ୍ଡିକୁ ଆନ୍ଦୋଳନକାରୀମାନେ ଜାଳି ଦେବା ସହ ପୁଲିସ ବାହିନୀ ଉପରେ ପ୍ରବଳ ପଥର ମାଡ଼ କରିଛନ୍ତି। ଅନେକ ପୁଲିସ ଗାଡ଼ି ମଧ୍ୟ ଜାଳି ଦିଆଯାଇଛି। କାନପୁର‌ର ବିଭିନ୍ନ ଅଂଚଳରେ ହିଂସାକୁ ଉସୁକାଉଥିବା ଅଭିଯୋଗରେ ସମାଜବାଦୀ ପାର୍ଟି ବିଧାୟକ ଅମିତ ବାଜପେୟୀଙ୍କୁ ଗିରଫ କରାଯାଇଛି। କାନପୁରରେ ଆଜି ପୁଲିସ ଗୁଳିରେ ଜଣେ ଯୁବକର ମୃତ୍ୟୁ ଘଟିଛି। ଦଙ୍ଗା ପ୍ରଭାବିତ ଅଂଚଳରେ ରୢାପିଡ୍‌ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି। କାନପୁରରେ ପୁଲିସ ବାହିନୀ ଉପରେ ଯୋଜନାବଦ୍ଧ ଆକ୍ରମଣ ଯୋଗୁଁ ଜଣେ ପୁଲିସ କର୍ମୀ ଗୁରୁତର ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶରେ ସୁରକ୍ଷା ଦୃଷ୍ଟିରୁ ସପ୍ତାହକ ମଧ୍ୟରେ ୪୫୦୦ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ ପରବର୍ତ୍ତୀ ସମୟରେ ଛାଡ଼ି ଦିଆଯାଇଛି। ଅନ୍ୟପକ୍ଷରେ ୨୧୮ ଜଣ ଦଙ୍ଗାକାରୀଙ୍କୁ ପ୍ରମାଣ ଆଧାରରେ ଗିରଫ କରାଯାଇଥିବାରୁ ସେମାନଙ୍କ ସମ୍ପର୍କରେ ଅଧିକ ଖୋଳତାଡ଼ ଜାରି ରହିଛି। ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜଭବନରେ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ଭେଟି ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି। ରାଜ୍ୟରେ ହିଂସାକୁ ରୋକିବା ପାଇଁ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି। ଅନେକ ସହରରେ ଆନ୍ଦୋଳନକାରୀମାନେ ଅଚାନକ ଯୋଜନାବଦ୍ଧ ଆକ୍ରମଣ କରୁଥିବାରୁ ପୁଲିସର ଚିନ୍ତା ବଢ଼ିଯାଇଛି। ଦଙ୍ଗାକାରୀ ପୁଲିସକୁ ଟାର୍ଗେଟ୍‌ କରୁଥିବାରୁ ସେମାନଙ୍କ ଉପରେ ସତର୍କ ନଜର ରଖିବା ପାଇଁ କେତେକ ବିଶେଷ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe