16 INDIAN Photograph: (Sambad.in)
ନୂଆଦିଲ୍ଲୀ: ଏମ୍ଟି ଭାଲିଆଣ୍ଟ ରୋର୍ ଜାହାଜର ୧୬ ଜଣ ଭାରତୀୟ ପରିଚାଳକ ସଦସ୍ୟ ଇରାନରେ ଅଟକ ରହିଛନ୍ତି। ଆଇଆରଜିସି ( ଇରାନିଆନ ରିଭୋଲ୍ୟୁସନାରି ଗାର୍ଡ କର୍ପ୍ସ) ୨୦୨୫ ଡିସେମ୍ବର ୮ ତାରିଖରେ ୟୁଏଇର ଦିବ୍ବା ବନ୍ଦର ନିକଟରେ ଅନ୍ତର୍ଜାତୀୟ ଜଳରାଶିରେ ଏମ୍ଟି ଭାଲିଆଣ୍ଟ ରୋର୍ ଜାହାଜକୁ କବ୍ଜାକୁ ନେଇଥିଲା। ଏହି ଜାହାଜରେ ୬ ହଜାର ଏମ୍ଟି ତୈଳ ଚୋରାଚାଲାଣ କରାଯାଉଥିଲା ବୋଲି ଇରାନୀୟ କର୍ତ୍ତୃପକ୍ଷମାନେ ଅଭିଯୋଗ କରିଥିଲେ। ତେବେ ଇରାନ କର୍ତ୍ତୃପକ୍ଷଙ୍କ ଦ୍ବାରା ଅଟକ ରହିଥିବା ଜଣେ ଭାରତୀୟ ଇଞ୍ଜିନିୟର କେତନ ମେହେଟାଙ୍କ ପରିବାର ସଦସ୍ୟ ତାଙ୍କ ପୁଅକୁ ଫେରାଇ ଆଣିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। କେତନଙ୍କ ବାପା ମୁକେଶ ମେହଟା କହିଛନ୍ତି, ସେ ଶେଷଥର ପାଇଁ ଡିସେମ୍ବର ୩୧ ତାରିଖରେ ପୁଅ ସହ କଥା ହୋଇଥିଲେ।
ସେ ସମୟରେ ସେ ସୁରକ୍ଷିତ ଥିବା ନେଇ ତାଙ୍କ ବାପା ମା’ଙ୍କୁ କହିଥିଲେ। କେତନ ତାଙ୍କ ଫୋନ୍ ହଜାଇ ଦେଇଥିବାରୁ ଜଣେ ସହକର୍ମୀ ପୋଥି ଦିବାକରଙ୍କ ଫୋନ୍ରୁ ସେ ତାଙ୍କ ବାପାଙ୍କୁ ଫୋନ୍ କରିଥିଲେ। ତେବେ ତାଙ୍କ ବାପା ନିକଟରେ ଦିବାକରଙ୍କୁ ଫୋନ୍ ଲଗାଇବାବେଳେ ସେ କହିଥିଲେ ଯେ ଆଇଆରଜିସି କେତନଙ୍କ ସମେତ ୧୦ ଜଣଙ୍କୁ ଔପଚାରିକ ଭାବେ ଗିରଫ କରିଛି। କେତନଙ୍କ ପରିବାର ସଦସ୍ୟ ସହଯୋଗ ପାଇଁ ବିଦେଶ ବ୍ୟାପାର ମନ୍ତ୍ରାଳୟ ସହ ଯୋଗାଯୋଗ କରିଥିଲେ। ଏମ୍ଇଏ କେତନଙ୍କର ପାସପୋର୍ଟ ଡିଟେଲ୍ସ ମାଗିଥିଲା ଏବଂ କେତନଙ୍କ ପରିବାର ସଦସ୍ୟ ମଧ୍ୟ ଦେଇଥିଲେ। କିନ୍ତୁ ସେବେଠାରୁ କେତନଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନି। ପରିବାର ସଦସ୍ୟ ଏବେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ଏହା ଅତ୍ୟନ୍ତ ବିଳମ୍ବ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ କେତନଙ୍କୁ ଫେରାଇ ଆଣିବାପାଇଁ ତାଙ୍କ କୂଟନୈତିକ ପ୍ରଭାବ ବ୍ୟବହାର କରନ୍ତୁ ବୋଲି ପରିବାର ସଦସ୍ୟ ଅନୁରୋଧ କରିଛନ୍ତି।
Follow Us