ଲୋକସଭା ବଜେଟ ଅଧିବେଶନର ପ୍ରଥମ ଦିନ, ଶପଥ ନେଲେ ୧୬ ଓଡ଼ିଆ ସାଂସଦ

Advertisment

ଭର୍ତୃହରି ଓଡ଼ିଆ, ପ୍ରତାପ ସଂସ୍କୃତ‌, ଚନ୍ଦ୍ରାଣୀ ସାନ୍ତାଳୀ ଭାଷାରେ ଶପଥ ନେଲେ

ଭର୍ତୃହରି ଓଡ଼ିଆ, ପ୍ରତାପ ସଂସ୍କୃତ‌, ଚନ୍ଦ୍ରାଣୀ ସାନ୍ତାଳୀ ଭାଷାରେ ଶପଥ ନେଲେ

ଲୋକସଭା ବଜେଟ ଅଧିବେଶନର ପ୍ରଥମ ଦିନ, ଶପଥ ନେଲେ ୧୬ ଓଡ଼ିଆ ସାଂସଦ

YouTube

ନୂଆଦିଲ୍ଲୀ : ସପ୍ତଦଶ ଲୋକସଭାର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଂସଦ ଭାବେ କାମଚଳା ବାଚସ୍ପତି ଡକ୍ଟର ବୀରେନ୍ଦ୍ର କୁମାର ଶପଥପାଠ କରାଇଛନ୍ତି। ମୋଦୀଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଓଡ଼ିଶାର ୧୬ ଜଣ ସାଂସଦ ଶପଥ ନେଇଛନ୍ତି।

ସର୍ବ ପ୍ରଥମେ କାମଚଳା ବାଚସ୍ପତି ଲୋକସଭାର ୩ ଜଣ ବରିଷ୍ଠ ସଦସ୍ୟମାନଙ୍କୁ ବାଚସ୍ପତିଙ୍କ ପ୍ୟାନେଲ ପାଇଁ ଶପଥ ପାଠ କରାଇଥିଲେ। ଏହି ତିନି ଜଣଙ୍କ ମଧ୍ୟରେ ଓଡ଼ିଶାର ବିଜେଡି ସାଂସଦ ଭର୍ତୃହରି ମହତାବ ସାମିଲ ଥିଲେ। ଭର୍ତୃହରି ମହତାବ ଓଡ଼ିଆରେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ତାଙ୍କ ପରେ ବିଜେପିର ବାଲେଶ୍ବର ସାଂସଦ ତଥା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସଂସ୍କୃତରେ ଶପଥ ନେଇଥିଲେ। ଶ୍ରୀ ମହତାବ ଓ ଶ୍ରୀ ଷଡ଼ଙ୍ଗୀ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କରମର୍ଦ୍ଦନ କରିଥିବା ଦେଖିବାକୁ ମିଳିଥିଲା।

ତେବେ ଆଜି ଓଡ଼ିଶାର ସମୁଦାୟ ୨୧ ଜଣ ଲୋକସଭା ସଦସ୍ୟମାନଙ୍କ ମଧ୍ୟରୁ ୧୬ ଜଣ ଶପଥ ନେଇଥିଲେ। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ନବରଙ୍ଗପୁର ସାଂସଦ ରମେଶ ମାଝୀ, ପୁରୀ ସାଂସଦ ପିନାକୀ ମିଶ୍ର, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଆସିକା ସାଂସଦ ପ୍ରମିଳା ବିଶୋୟୀ ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପ୍ରମୁଖ ଓଡ଼ିଆରେ ଶପଥ ନେଇଥିବା ବେଳେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ସାନ୍ତାଳୀ ଭାଷାରେ ଓ କୋରାପୁଟ୍ ସାଂସଦ ସପ୍ତଗିରି ଉଲାକା ଇଂରାଜୀରେ ଶପଥ ନେଇଥିଲେ। ତେବେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ସାଂସଦ ଅନୁପସ୍ଥିତ ଥିବା ଯୋଗୁଁ ଶପଥ ନେଇପାରିନଥିଲେ। ଶପଥ ଗ୍ରହଣ ଆସନ୍ତାକାଲି ମଧ୍ୟ ଜାରି ରହିବ। ଆଜି କିଛି ଓଡ଼ିଆ ସାଂସଦମାନେ ଶପଥ ନେବା ପରେ ଜୟ ଜଗନ୍ନାଥ ବୋଲି କହିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe