ନୂଆଦିଲ୍ଲୀ : ଦିଲ୍ଲୀର ବଓ୍ଵାନା ଶିଳ୍ପାଞ୍ଚଳରେ ଥିବା ଏକ ତିନି ମହଲା ବିଶିଷ୍ଟ ବାଣ ତିଆରି କାରଖାନାରେ ଆଜି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୭ ଜଣ ପ୍ରାଣ ହରାଇଛନ୍ତି। କାରଖାନା ମଧ୍ୟରେ କିଛି ମହିଳା ଶ୍ରମିକଙ୍କ ସମେତ ଅନ୍ୟୂନ ୧୫ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା କର୍ମଚାରୀ ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ବିଦ୍ୟୁତ ସର୍ଟସର୍କିଟ୍ ଏହାର କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଆଜି ସନ୍ଧ୍ୟା ବେଳେ କାରଖାନାର ଗ୍ରାଉଣ୍ଡ ଫ୍ଲୋରେ ପ୍ରଥମେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡ ପ୍ରଥମେ ବଡ଼ ଧରଣର ହୋଇ ନଥିଲେ ମଧ୍ୟ ବିସ୍ଫୋରଣ ଯୋଗୁଁ ଏହା ଭୟଙ୍କର ହୋଇପଡ଼ିଥିଲା। ଦେଖୁଦେଖୁ ନିଆଁ ପ୍ରଥମ ମହଲା ଏବଂ ବେସମେଣ୍ଟକୁ ବ୍ୟାପିଯାଇଥିଲା। କେତେକ ଲୋକ ନିଆଁରେ ପୋଡ଼ିହୋଇ ପ୍ରାଣ ହରାଇଥିବା ବେଳେ ଅନ୍ୟ କେତେକଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। କେତେକ ଲୋକ ବାହାରି ନପାରି ଉପର ମହଲାରୁ ଡେଇଁ ପଡ଼ିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି।
ଅଗ୍ନିକାଣ୍ଡ ଖବର ପାଇ ୨୦ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିଶମ ବାହିନୀ ୧୭ଟି ମୃତଦେହ ଉଦ୍ଧାର କରିଥିବା ବିଭାଗୀୟ ମୁଖ୍ୟ ଅଧିକାରୀ ଅତୁଲ ଗର୍ଗ କହିଛନ୍ତି। ପ୍ରଥମ ମହଲାରୁ ୧୩ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଦ୍ୱିତୀୟ ମହଲାରୁ ୩ ଜଣଙ୍କ ଶବ ମିଳିଛି।
ଖବର ମୁତାବକ ଆଜି ସନ୍ଧ୍ୟା ୬ଟା ୨୦ ମିନିଟରେ ବଓ୍ଵାନା ଶିଳ୍ପାଞ୍ଚଳର ଏଫ୍ ବ୍ଲକ୍ରେ ଥିବା ଏହି କାରଖାନରେ ନିଆଁ ଲାଗିଥିବା ଖବର ମିଳିଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାବତ୍ ଜଣାପଡ଼ି ନଥିବା ବେଳେ ଶ୍ରମିକମାନେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା କୁହାଯାଉଛି । ପ୍ରାୟ ୨୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ପ୍ରାୟ ୧୫ ଜଣ ଶ୍ରମିକ କାରଖାନା ଭିତରେ ରହିଥିବା ଆଶଙ୍କା କରାଯାଉଛି । ଜୀବନ ବଞ୍ଚାଇବା ପାଇଁ କିଛି ଶ୍ରମିକ ତିନି ମହଲା ଛାତରୁ ଡେଇଁପଡ଼ି ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି ଯେ ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆହତଙ୍କ ଚିକିତ୍ସା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପଦକ୍ଷେପ ନିଆଯାଉଛି।
Follow Us