କୋଚିଂ ସେଣ୍ଟରରେ ନିଆଁ, ୧୯ ଛାତ୍ର ମୃତ, ତଳକୁ ଡେଇଁ ଅନେକ ଛାତ୍ର ଗୁରୁତର

Advertisment
କୋଚିଂ ସେଣ୍ଟରରେ ନିଆଁ, ୧୯ ଛାତ୍ର ମୃତ, ତଳକୁ ଡେଇଁ ଅନେକ ଛାତ୍ର ଗୁରୁତର

ସୁରଟ : ଗୁଜରାଟର ସୁରଟ ସହରରେ ଥିବା ଏକ କୋଚିଂ ସେଣ୍ଟରରେ ଆଜି ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୯ ଜଣ ଛାତ୍ର ପ୍ରାଣ ହରାଇଛନ୍ତି ଏବଂ ବହୁସଂଖ୍ୟକ ଛାତ୍ର ଆହତ ହୋଇଛନ୍ତି। ଆହତମାନଙ୍କୁ ଏବେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଆହତଙ୍କ ମଧ୍ୟରେ ଅନେକ ଛାତ୍ର ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। କେତେକ ଛାତ୍ର ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଆଉ କେତେକ ଛାତ୍ର ଜୀବନ ବଞ୍ଚାଇବା ପାଇଁ କୋଠାରୁ ଡେଇଁ ପ୍ରାଣ ହରାଇଛନ୍ତି।

ସୂଚନା ଅନୁଯାୟୀ ସୁରଟର ସରଥନା ଅଞ୍ଚଳରେ ଥିବା ତକ୍ଷଶୀଳା କମ୍ପ୍ଲେକ୍ସର ତୃତୀୟ ଏବଂ ଚତୁର୍ଥ ମହଲାରେ ଏକ କୋଚିଂ ସେଣ୍ଟର ରହିଥିଲା। ଅଗ୍ନିକାଣ୍ଡ ଘଟିବା ପରେ ଘର ଧୂଆଁରେ ଭର୍ତ୍ତି ହୋଇଯିବାରୁ କେତେକ ଛାତ୍ର ଜୀବନ ବଞ୍ଚାଇବା ପାଇଁ ଝରକା ବାଟେ ତଳକୁ ଡେଇଁ ପଡ଼ିଥିଲେ। ସୁରଟ ପୁଲିସ କମିସନର ସତୀଶ କୁମାର ମିଶ୍ରଙ୍କ କହିବାନୁଯାୟୀ, ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।

ଏହି ଦୁର୍ଘଟଣାର ତଦନ୍ତ ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ନିର୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଛାତ୍ରଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଯାହା ଜଣାପଡ଼ିଛି ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଆହତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଗୁଜରାଟ ସରକାର ଏବଂ ସ୍ଥାନୀୟ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଆହତ ଛାତ୍ରମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ନିଆଁ ଲିଭାଇବା କାର୍ଯ୍ୟରେ ୧୯ଟି ଦମକଳ ଗାଡ଼ି ସମେତ ଦୁଇଟି ହାଇଡ୍ରୋଲିକ୍ ଗାଡ଼ି ବ୍ୟବହାର କରାଯାଇଥିଲା। ସ୍ଥାନୀୟ ଲୋକମାନେ ମଧ୍ୟ ଏହି କମ୍ପ୍ଲେକ୍ସ ଭିତରେ ଫସି ରହିଥିବା ଛାତ୍ରଙ୍କ ସମେତ ଅନ୍ୟ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ସହାୟତା ପ୍ରଦାନ କରିଥିବା ଦେଖାଯାଇଥିଲା।

ଉକ୍ତ କୋଠା ପାଇଁ ଅଗ୍ନି ନିରାପତ୍ତା ସମେତ ଅନ୍ୟାନ୍ୟ ଅନୁମତି ରହିଥିଲା କି ନାହିଁ ତାହାର ଅନୁଧ୍ୟାନ ସୁରଟ ମହାନଗର ନିଗମ କରୁଛି।‌ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ସହିତ କଥା ହେବା ସହିତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe