Times of India
ନୂଆଦିଲ୍ଲୀ : ସଂସଦରେ ମୌସୁମୀ ଅଧିବେଶନର ଦ୍ବିତୀୟ ସପ୍ତାହର ୨ଟି କାର୍ଯ୍ୟଦିବସ ବି ପ୍ରବଳ ହଟ୍ଟଗୋଳ ଯୋଗୁଁ ଧୋଇ ଗଲାଣି। ଦର ବୃଦ୍ଧି ଏବଂ ଜିଏସଟି ବୃଦ୍ଧିକୁ ବିରୋଧ କରି ବିରୋଧୀ ସାଂସଦମାନେ ଲଗାତାର ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି। ଗତକାଲି ଲୋକସଭାରୁ ୪ ସାଂସଦ ନିଲମ୍ବିତ ହୋଇଥିବା ବେଳେ ଆଜି ରାଜ୍ୟସଭାରୁ ୧୯ ଜଣ ବିରୋଧୀ ଦଳ ସାଂସଦ ନିଲମ୍ବିତ ହୋଇଛନ୍ତି। ଜିଏସ୍ଟି ଏବଂ ଦର ବୃଦ୍ଧିକୁ ବିରୋଧ କରି ସେମାନେ ଗୃହରେ ଆଲୋଚନା ପାଇଁ ଦାବି କରିଥିଲେ ଏବଂ ଗୃହର ମଧ୍ୟଭାଗକୁ ଯାଇ ସ୍ଲୋଗାନ ଦେବା ସହ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଗୃହରେ ବିଶୃଙ୍ଖଳ ଆଚରଣ ପାଇଁ ସେମାନଙ୍କୁ ଅଧ୍ୟକ୍ଷ ଚଳିତ ସପ୍ତାହ ପାଇଁ ନିଲମ୍ବନ କରିଛନ୍ତି। ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଟିଏମ୍ସିର ୭, ଡିଏମ୍କେର ୬, ଟିଆରଏସ୍ର ୩, ସିପିଆଇ (ଏମ୍)ର ୨ ଏବଂ ସିପିଆଇର ଜଣେ ଅଛନ୍ତି। ନିଲମ୍ବିତ ସାଂସଦମାନେ ହେଲେ- ସୁସ୍ମିତା ଦେବ (ଟିଏମ୍ସି), ମୌସମ ନୁର (ଟିଏମ୍ସି), ଶାନ୍ତା ଛେତ୍ରି (ଟିଏମ୍ସି), ଡୋଲା ସେନ (ଟିଏମ୍ସି), ଶାନ୍ତନୁ ସେନ (ଟିଏମ୍ସି), ଅଭି ରଂଜନ ବିଶ୍ବାର (ଟିଏମ୍ସି), ମହମ୍ମଦ ନଦିମୁଲ ହକ୍ (ଟିଏମ୍ସି), ଏମ ଏଚ୍ ଅବଦୁଲ୍ଲା (ଡିଏମ୍କେ), ବି ଲିଙ୍ଗେୟା ଯାଦବ (ଟିଆରଏସ୍ ), ଏଏ ରହିମ( ସିପିଆଇ-ଏମ୍), ରବିନ୍ଦ୍ର ବଦ୍ଦିରାଜୁ (ଟିଆରଏସ୍), ଏସ କଲ୍ୟାଣସୁନ୍ଦରମ (ଡିଏମ୍କେ), ଆର୍ ଗିରିରଂଜନ (ଡିଏମ୍କେ), ଏନ୍ଆର୍ ଏଲଙ୍ଗୋ (ଡିଏମ୍କେ), ଭି ଶିବଦାସନ (ସିପିଆଇ-ଏମ୍), ଏମ ଶାନମୁଗମ (ଡିଏମ୍କେ), ଦାମୋଦର ରାଓ ଦେବକୋଣ୍ଡା (ଟିଆରଏସ୍), ଏସ୍ କୁମାର (ସିପିଆଇ), ଏବଂ ଏନଭିଏନ ସୋମୁ (ଡିଏମ୍କେ)।
ରାଜ୍ୟସଭାରେ ଗୃହର ନେତା ପୀୟୁଷ ଗୋୟଲ କହିଛନ୍ତି , ବିରୋଧୀ ଦଳ ସାଂସଦମାନେ ଲଗାତାର ଅଧ୍ୟକ୍ଷଙ୍କ ଅନୁରୋଧକୁ ଅଣଦେଖା କରି ବିଶୃଙ୍ଖଳା କରିବାରୁ ଅତ୍ୟନ୍ତ ଦୁଃଖର ସହ ସେମାନଙ୍କୁ ଗୃହରୁ ନିଲମ୍ବନ କରିବାପାଇଁ ନିଷ୍ପତ୍ତି ନିଆଯାଇଛି। ଅର୍ଥମନ୍ତ୍ରୀ ସୁସ୍ଥ ହୋଇ ସଂସଦକୁ ଫେରିବା ପରେ ସରକାର ଦର ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ତେବେ ବିରୋଧୀ ଦଳ ସାଂସଦ ନିଲମ୍ବନ ହେବା ପ୍ରସଙ୍ଗରେ ଟିଏମ୍ସି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଟିଏମ୍ସି ରାଜ୍ୟସଭା ସାଂସଦ ଡେରେକ ଓବ୍ରାଏନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଗଣତନ୍ତ୍ରର ନିଲମ୍ବନ କରିଛନ୍ତି। ଡେରେକ କହିଛନ୍ତି ଯେ ସରକାର ହିଁ ଗୃହକାର୍ଯ୍ୟ ସ୍ବାଭାବିକ କରାଇବାକୁ ଚାହୁନାହାନ୍ତି।
Follow Us