Image Courtesy of India Today
ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଥିବା ଅବୁ ସଲେମ୍ଙ୍କ ୨୫ ବର୍ଷ ଜେଲ୍ ଦଣ୍ଡାଦେଶ ପୂରଣ ହେଲେ ପର୍ତ୍ତୁଗାଲ୍କୁ ଦେଇଥିବା କଥା ରକ୍ଷା କରି କେନ୍ଦ୍ର ସରକାର ତାଙ୍କୁ ମୁକ୍ତ କରିବାକୁ ବାଧ୍ୟ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି।
ସଲେମ କହିଥିଲେ ଯେ, ୨୦୦୨ ପ୍ରତ୍ୟର୍ପଣ ବେଳେ ଭାରତ ପର୍ତ୍ତୂଗାଲ୍କୁ ଦେଇଥିବା ନିର୍ଭର ପ୍ରତିଶ୍ରୁତି ଅନୁସାରେ, ତାଙ୍କ ପ୍ରତି ହୋଇଥିବା ଦଣ୍ଡାଦେଶ ୨୫ ବର୍ଷ ଟପି ପାରିବ ନାହିଁ।
ବିଚାରପତି ଏସ୍.କେ. କୌଲ୍ ଏବଂ ଏମ୍.ଏମ୍. ସୁନ୍ଦ୍ରେଶଙ୍କ ଖଣ୍ଡପୀଠ କହିଛନ୍ତି, ସମ୍ବିଧାନର ଧାରା ୭୨ରେ ଥିବା କ୍ଷମତା ପ୍ରୟୋଗ କରିବା ଲାଗି ଓ ସଲେମ୍ଙ୍କ ଦଣ୍ଡାଦେଶ ପୂରଣ ହେବା ସଂକ୍ରାନ୍ତ ଦେଶର ପ୍ରତିବଦ୍ଧତା ସଂକ୍ରାନ୍ତରେ ଭାରତର ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବାକୁ କେନ୍ଦ୍ର ସରକାର ବାଧ୍ୟ।
Image Courtesy of NDTVଖଣ୍ଡପୀଠ କହିଛନ୍ତି, ୨୫ ବର୍ଷ ପୂରଣ ହେବାର ମାସକ ମଧ୍ୟରେ ଆବଶ୍ୟକ କାଗଜପତ୍ର ଗୃହୀତ ହେବା ଉଚିତ। ପ୍ରକୃତରେ କହିବାକୁ ଗଲେ, ୨୫ ବର୍ଷ ପୂରଣ ହେବାର ମାସକ ମଧ୍ୟରେ ସରକାର ଦଣ୍ଡାଦେଶ ଖାରଜ ପାଇଁ ‘ସିଆର୍ପିସି’ ବଳରେ ନିଜସ୍ବ କ୍ଷମତା ପ୍ରୟୋଗ କରିପାରିବେ।
ସୂଚନାଯୋଗ୍ୟ, ୨୦୧୫ ଫେବ୍ରୁଆରି ୨୫ରେ ଏକ ସ୍ବତନ୍ତ୍ର ‘ଟାଡା’ ଅଦାଲତ ଅନ୍ୟ ଏକ ମାମଲାରେ ସଲେମ୍ଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ସେ ମାମଲାଟି ଥିଲା ୧୯୯୫ରେ ମୁମ୍ବାଇର ବିଲ୍ଡର୍ ପ୍ରଦୀପ ଜୈନ୍ ଓ ତାଙ୍କ ଡ୍ରାଇଭର୍ ମେହେନ୍ଦୀ ହସନଙ୍କ ହତ୍ୟାକାଣ୍ଡ ଘଟଣା।
୧୯୯୩ ମୁମ୍ବାଇ ସିରିଜ୍ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ସଲେମ୍ଙ୍କୁ ୨୦୦୫ ନଭେମ୍ବର ୧୧ରେ ପର୍ତ୍ତୁଗାଲ୍ରୁ ଅଣାଯାଇଥିଲା। ଏଥିପାଇଁ ସରକାରଙ୍କୁ ଦୀର୍ଘ ଦିନ ଧରି ଆଇଗତ ଲଢ଼େଇ କରିବାକୁ ପଡ଼ିଥିଲା।
Follow Us