Image Courtesy of The Times of India
ଶ୍ରୀନଗର: ରବିବାର ରାତିରେ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍ ଜିଲ୍ଲା ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ନକଟରେ ଆକସ୍ମିକ ଗ୍ରେନେଡ୍ ବିସ୍ଫୋରଣ ଘଟିବାରୁ ଭାରତୀୟ ସେନାର ଜଣେ କ୍ୟାପ୍ଟେନ୍ ଏବଂ ଜଣେ ଜୁନିୟର୍ କମିସନ୍ଡ୍ ଅଫିସର୍ ସହିଦ ହୋଇଯାଇଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ସହିଦ ସେନା କର୍ମଚାରୀମାନେ ହେଲେ, କ୍ୟାପ୍ଟେନ୍ ଆନନ୍ଦ ଏବଂ ନାଏବ୍ ସୁବେଦାର୍ ଭଗବାନ ସିଂହ। ସେମାନେ ମେଣ୍ଢର୍ ସେକ୍ଟର୍ ପାଟ୍ରୋଲ୍ ପାର୍ଟିରେ ଥିଲେ।
ସେନାର ଜଣେ ଜନସମ୍ପର୍କ ଅଧିକାରୀ କହିଛନ୍ତି, ରବିବାର ବିଳମ୍ବିତ ରାତ୍ରରେ ଆକସ୍ମିକ ଗ୍ରେନେଡ୍ ବିସ୍ଫୋରଣ ବେଳେ ସେନା କର୍ମଚାରୀଦ୍ବୟ ପୁଞ୍ଚ୍ର ମେଣ୍ଢର୍ ସେକ୍ଟର୍ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାଟ୍ରୋଲିଙ୍ଗ୍ ପାର୍ଟିରେ ଡିୟୁଟି କରୁଥିଲେ।
Image Courtesy of Reutersସେ ଆହୁରି ମଧ୍ୟ କହିଛନ୍ତି ଯେ, ବିସ୍ଫୋରଣ ହେତୁ ଯବାନଦ୍ବୟ ଆହତ ହୋଇଥିଲେ। ତୁରନ୍ତ ହେଲିକପ୍ଟର୍ ଯୋଗେ ସେମାନଙ୍କୁ ଉଧମପୁର କମାଣ୍ଡ୍ ହସ୍ପିଟାଲ୍କୁ ନିଆଯାଇଥିଲା। ଚିକିତ୍ସାଧୀନ ଥିବା ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିଲା।
ଉଲ୍ଲେଖଯୋଗ୍ୟ, ମେଣ୍ଢର୍ ସେକ୍ଟର୍ ଦେଇ ଆତଙ୍କବାଦୀମାନେ ଦେଶ ମଧ୍ୟକୁ ଅନୁପ୍ରବେଶ କରିଥାଆନ୍ତି।
ସ୍ମରଣଯୋଗ୍ୟ, ଜୁଲାଇ ୬ ତାରିଖରେ ପୁଞ୍ଚ୍ ଜିଲ୍ଲାର ଝୁଲାସ୍ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଭେରା ଅଞ୍ଚଳରେ ରକେଟ୍ ଲଞ୍ଚର୍ ନିକ୍ଷେପ ଅଭ୍ୟାସ ବେଳେ ଅଚାନକ ବିସ୍ଫୋରଣ ଘଟିବାରୁ ସେନାର ୨ଜଣ ଯବାନ ଆହତ ହୋଇଥିଲେ।
Follow Us