ଆସାମ: ଚଳନ୍ତା ଟ୍ରେନ୍‌ ମଧ୍ୟରେ ସ୍ପଷ୍ଟ ଦିବାଲୋକରେ ସପ୍ତାହକ ମଧ୍ୟରେ ୨ ପୃଥକ ପୃଥକ ଘଟଣାରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଭାଷଣ ମଧ୍ୟରେ ସୀମିତ ରହିଯାଇଛି ଟ୍ରେନ୍‌ ମଧ୍ୟରେ ଯାତ୍ରୀ ସୁରକ୍ଷା!

ଆସାମ: ଚଳନ୍ତା ଟ୍ରେନ୍‌ ମଧ୍ୟରେ ସ୍ପଷ୍ଟ ଦିବାଲୋକରେ ସପ୍ତାହକ ମଧ୍ୟରେ ୨ ପୃଥକ ପୃଥକ ଘଟଣାରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଗୌହାଟି: ଗୋଟିଏ ସପ୍ତାହ ମଧ୍ୟରେ ଚଳନ୍ତା ଟ୍ରେନ୍‌ ଭିତରେ ସ୍ପଷ୍ଟ ଦିବାଲୋକରେ ଆସାମରେ ଦୁଇଟି ପୃଥକ ପୃଥକ ଘଟଣାରେ ଦୁଇଜଣ ମହିଳାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଦୁଷ୍କର୍ମ କରିବା ପରେ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରି ଟ୍ରେନ୍‌ର ଶୌଚାଳୟ ମଧ୍ୟରେ ପକାଇଦେବା ଘଟଣା ଏବେ ଆସାମ ସମେତ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ କେନ୍ଦ୍ରକରି ସାଧାରଣରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ କରି ଏହି ଜଘନ୍ୟ ଅପରାଧରେ ସଂପୃକ୍ତ ଦୁଇଜଣ ଅପରାଧୀଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି।

publive-image

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପ୍ରଥମ ଘଟଣାରେ ଶିକାର ହୋଇଥିଲେ ଆସାମ କୃଷି ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବିହାରର ଜନୈକା ୨୧ ବର୍ଷ ବୟସ୍କା ଛାତ୍ରୀ। ନୂତନ ଭାବେ ଚଳାଚଳ କରୁଥିବା ତିନ୍‌ସୁକିଆ- ରଙ୍ଗିଆ ଏକ୍ସପ୍ରେସ ଟ୍ରେନ୍‌ରେ ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଏକ କମ୍ପାଟମେଣ୍ଟର ଶୌଚାଳୟ ମଧ୍ୟରୁ ତାଙ୍କର ମୃତହେଦକୁ ଗତ ମଙ୍ଗଳବାର ଉଦ୍ଧାର କରାଯାଇଥିଲା। ସେ ଶିବସାଗର ଷ୍ଟେସନରୁ ଟ୍ରେନ୍‌ରେ ଚଢ଼ିବାର ମାତ୍ର ୨୦ ମିନିଟ ପରେ ସିମାଲୁଗୁରି ଷ୍ଟେସନରେ ପୂର୍ବାହ୍ନ ୯ଟା ୧୫ ମିନିଟ ସମୟରେ ଜଣେ ସଫେଇ କର୍ମଚାରୀ ତାଙ୍କ ମୃତ ଦେହକୁ ଠାବ କରିଥିଲେ। ତାଙ୍କୁ ଦୁଷ୍କର୍ମ କରାଯିବା ପରେ ତାଙ୍କ ବେକରେ ଗୋଟିଏ ଗାମୁଛା ଗୁଡ଼ାଯାଇ ତାଙ୍କୁ ହତ୍ୟା କରାଯାଇଥିଲା।

publive-image

ସେହିପରି ଦ୍ୱିତୀୟ ଘଟଣାରେ ସେଇ ବିହାରର ଅନ୍ୟ ଜଣେ ୪୮ ବର୍ଷ ମହିଲାଙ୍କୁ ସମାନ ଢ଼ଙ୍ଗରେ ଦୁଷ୍କର୍ମ ପରେ ହତ୍ୟା କରାଯାଇ ତାଙ୍କ ମୃତ ଶରୀରକୁ ଅଓ୍ଵଧ- ଆସାମ ଏକ୍ସପ୍ରେସ୍‌ ଟ୍ରେନ୍‌ର ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ କମ୍ପାଟମେଣ୍ଟର ଶୌଚାଳୟ ମଧ୍ୟରେ ପକାଇ ଦିଆଯାଇଥିବା ବେଳେ ବୁଧବାର ଅପରାହ୍ନ ୨ଟା ୧୫ ମିନିଟ ସମୟରେ ଜୋରହଟ ଜଙ୍କସନ୍‌ରେ ତାଙ୍କ ମୃତ ଶରୀରକୁ ଉଦ୍ଧାର କରାଯାଇଥିଲା।

publive-image

ଚଳନ୍ତା ଟ୍ରେନ୍‌ ମଧ୍ୟରେ ସ୍ପଷ୍ଟ ଦିବାଲୋକରେ ଘଟିଯାଇଥିବା ଏହି ଦୁଇ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ କେନ୍ଦ୍ର କରି ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ୍‌ ଘଟଣା ସଂପର୍କରେ ତନାଘନା ତଦନ୍ତ ଆରମ୍ଭ କରି ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତକୁ ଗିରଫ କରିଛି। ପ୍ରଥମ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ବିକାଶ ଦାସ ଜଣେ ଚା’ ଦୋକାନୀ ହୋଇଥିବା ବେଳେ ଦ୍ୱିତୀୟ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ବିପିନ୍‌ ପାଣ୍ଡେ ଜଣେ ଅଟୋଚାଳକ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ଡିଭିଜନାଲ ସୁରକ୍ଷା କମିଶନର ବି ଏସ୍‌ ମୀନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe