ଚାଷୀ ଆନ୍ଦୋଳନରେ ଫାଟ, ହିଂସା ବିରୋଧରେ ସୁପ୍ରିମକୋର୍ଟରେ ୩ ମାମଲା

ଆନ୍ଦୋଳନରୁ ଓହରିଲେ ୨ ସଂଗଠନ,

ଦିଲ୍ଲୀ ହିଂସା ପରେ ୪୦୦ ଚାଷୀ ନିଖୋଜ, ଦିଲ୍ଲୀ ପୁଲିସ ଅଟକ ରଖିଥିବା ଅଭିଯୋଗ

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନରେ ବଡ଼ ଫାଟ ଦେଖାଦେଇଛି । ଗତ କାଲିର ହିଂସା ପରେ ଆଜି ଦୁଇଟି ବଡ଼ କୃଷକ ସଂଗଠନ - ରାଷ୍ଟ୍ରୀୟ କିଷାନ ମଜଦୁର ସଂଘ ଓ ଭାରତୀୟ କିଷାନ ୟୁନିୟନ (ଭାନୁ) କୃଷକ ଆନ୍ଦୋଳନରୁ ନିଜକୁ ଅଲଗା କରିନେଇଛନ୍ତି ।

ଅନ୍ୟପକ୍ଷରେ ଗତକାଲି ହୋଇଥିବା ହିଂସା ବିରୋଧରେ ସୁପ୍ରିମକୋର୍ଟରେ ୨ଟି ମାମଲା ରୁଜ୍ଜୁ ହୋଇଛି । ଏହି ହିଂସା ମାମଲାରେ ପ୍ରଧାନ ବିଚାରପତିଙ୍କ ହସ୍ତକ୍ଷେପ ଦାବି କରି ସୁପ୍ରିମ କୋର୍ଟରେ ୩ଟି ଆବେଦନ ଦାଖଲ ହୋଇଛି । ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ଯେ ଟ୍ରାକ୍ଟର ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ହେବା ଉଚିତ । ଏହି ହିଂସା ପରେ ଦିଲ୍ଲୀକୁ ଲାଗିଥିବା ରାଜ୍ୟ ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ତାନ ଆଦିରେ ହାଇଆଲର୍ଟ ଜାରି କରାଯାଇଛି ।

ରାଷ୍ଟ୍ରୀୟ କିଷାନ ମଜଦୁର ସଂଘ ତଥା ଅଖିଳଭାରତ କିଷାନ ସଂଘର୍ଷ ସମନ୍ବୟ କମିଟିର ସଦସ୍ୟ ଭିଏମ ସିଂ କହିଛନ୍ତି ଯେ କୃଷକଙ୍କ ସ୍ବାର୍ଥ ହାସଲ ଲାଗି ଆନ୍ଦୋଳନ ଜାରି ରହିବ । କିନ୍ତୁ ବର୍ତ୍ତମାନ ଯେଉଁ ଧାରାରେ ଏହି ଆନ୍ଦୋଳନ ଚାଲିଛି, ତାହା ତାଙ୍କ ସଂଗଠନ ପାଇଁ ଗ୍ରହଣୀୟ ନୁହେଁ । ଏଣୁ ସେ ଏହି ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଆହୁରି ମଧ୍ୟ ଗତ କାଲି ହୋଇଥିବା ହିଂସା ସହ ତାଙ୍କ ସଂଗଠନର ଓ ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତଙ୍କ ଦ୍ବାରା ଚାଲିଥିବା ଆନ୍ଦୋଳନସହ ତାଙ୍କର କୌଣସି ସଂପର୍କ ନାହିଁ ବୋଲି ସେ କହିଛନ୍ତି ।

ସେହିପରି ଭାରତୀୟ କିଷାନ ୟୁନିୟନ (ଭାନୁ)ର ସଭାପତି ଠାକୁର ଭାନୁ ପ୍ରତାପ ସିଂ କହିଛନ୍ତି ଯେ ଗତ କାଲି ହୋଇଥିବା ହିଂସାକୁ ନେଇ ସେ ଦୁଃଖିତ ଅଛନ୍ତି ଓ ଏହି ଆନ୍ଦୋଳନରୁ ନିଜକୁ ଅଲଗା କରିନେଉଛନ୍ତି ।

ଅନ୍ୟପକ୍ଷରେ ଗତ କାଲି ହୋଇଥିବା ହିଂସା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ରୁଜ୍ଜୁ ଏଫଆଇଆରରେ ଏହି ହିଂସା ପାଇଁ ବିଭିନ୍ନ କୃଷକ ସଂଗଠନର ନେତାମାନଙ୍କୁ ଦାୟୀ କରିଛନ୍ତି । ଏଫଆଇଆରରେ ନାମିତ କୃଷକ ନେତାମାନଙ୍କ ମଧ୍ୟରେ ରହିଛନ୍ତି ରାକେଶ ଟିକାୟତ, ଯୋଗେନ୍ଦ୍ର ଯାଦବ, ମେଧା ପାଟେକର, ବିଜେନ୍ଦ୍ର ସିଂ ବିର୍କ, ଭିଏମ ସିଂ, ଗଜତାର ସିଂ ବାଜଓ୍ବା, ରାଶିପାଲ ସିଂ, ବିକେୟୁ ବାବନ ଗ୍ରୁପ, ହରପାଲ ସିଂ, ବିନୋଦ କୁମାର (ଜାଠ ମହାସଭା) ।

ଏବେ ବି ଆଲୋଚନା ପାଇଁ ସରକାରଙ୍କ ଦ୍ବାର ଖୋଲା ଅଛି : ଜାବଡ଼େକର

ସରକାର କେବେ ବି ଆଲୋଚନାର ବାଟ ବନ୍ଦ କରି ନାହାନ୍ତି । ଆଲୋଚନା ପାଇଁ ଏବେ ବି ବାଟ ଖୋଲା ଅଛି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି ।

ଗତ କାଲି ହିଂସାକାଣ୍ଡ ପରେ ଟ୍ବିଟର ପ୍ରାୟ ୫ ଶହରୁ ଅଧିକ ଟ୍ବିଟର ଆକାଉଣ୍ଟକୁ ବନ୍ଦ କରିଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe