ୟୁକ୍ରେନ୍‌ କ୍ଲିନିକ୍‌ରେ ପଡ଼ିଲା ରୁଷ୍‌ର ମିସାଇଲ୍‌; ୨ ମୃତ, ୩୦ ଆହତ

Advertisment
ୟୁକ୍ରେନ୍‌ କ୍ଲିନିକ୍‌ରେ ପଡ଼ିଲା ରୁଷ୍‌ର ମିସାଇଲ୍‌; ୨ ମୃତ, ୩୦ ଆହତ

କିବ୍‌: ଶୁକ୍ରବାର ଦିନ ରୁଷ୍‌ର ଗୋଟାଏ କ୍ଷେପଣାସ୍ତ୍ର ପୂର୍ବାଞ୍ଚଳ ୟୁକ୍ରେନ୍‌ ସହର ନିପ୍ରୋରେ ଥିବା ଏକ କ୍ଲିନିକ୍‌ରେ ପଡ଼ିବାରୁ ୨ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୩୦ଜଣ ଆହତ ହୋଇଛନ୍ତି।

ଆଞ୍ଚଳିକ ଗଭର୍ଣ୍ଣର୍‌ ସେର୍‌ହି ଲିସାକ୍‌ କହିଛନ୍ତି, କ୍ଷେପଣାସ୍ତ୍ର ପଡ଼ିବା ବେଳେ କ୍ଲିନିକ୍‌ ପାଖ ଦେଇ ଯାଉଥିବା ଜଣେ ୬୯ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ କ୍ଲିନିକ୍‌ର ଭଙ୍ଗାରୁଜା ଅଂଶ ଭିତରୁ ଆଉ ଜଣଙ୍କର ଶବ ଉଦ୍ଧାର କରାଯାଇଛି। ଏହାଛଡ଼ା, ୨ଜଣ ପିଲାଙ୍କ ସମେତ ଏହି ଆକ୍ରମଣରେ ୩୦ଜଣ ଲୋକ ଆହତ ହୋଇଛନ୍ତି। ଆକ୍ରମଣ ସମୟରେ କ୍ଲିନିକ୍‌ ଭିତରେ ଥିବା ଆଉ ୩ଜଣ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିବା ସମ୍ଭବ ହୋଇପାରି ନାହିଁ।

publive-image Image Courtesy of India Today

ଘଟଣା ସମୟର ଭିଡିଓ ଫୁଟେଜ୍‌ରେ ଦେଖାଯାଉଛି, ନଷ୍ଟ ହୋଇଯାଇଥିବା ଗୋଟାଏ କୋଠାଘରୁ ଧୂଆଁ ବାହାରୁ ଥିବା ବେଳେ ଉଦ୍ଧାରକାରୀମାନେ ନିରୁପାୟ ହୋଇ ଠିଆହୋଇଛନ୍ତି। ୩ ତାଲା କୋଠା ପରି ମନେହେଉଥିବା ଏହି କ୍ଲିନିକ୍‌ର ସବା ଉପର ମହଲାଟି ଅଧିକ କ୍ଷତିଗ୍ରସ୍ତ ହୋଇଛି।

publive-image Image Courtesy of BBC

କ୍ଲିନିକ୍‌ ଆକ୍ରମଣକୁ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି ‘ମାନବତା ପ୍ରତି ଅପରାଧ’ ବୋଲି କହିଛନ୍ତି। ଟୁଇଟ୍‌ କରି ଜେଲେନ୍‌ସ୍କି ଲେଖିଛନ୍ତି: ପୁଣି କ୍ଷେପଣାସ୍ତ୍ର ଆକ୍ରମଣ, ପୁଣି ମାନବତା ପ୍ରତି ଅପରାଧ।

ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ଗୋଟାଏ ମାନସିକ ରୋଗ ଚିକିତ୍ସାଳୟ (କ୍ଲିନିକ୍‌) ଏବଂ ପ୍ରାଣୀ ଚିକିତ୍ସାଳୟ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, ଗୋଟାଏ ଦୁଷ୍ଟ ରାଷ୍ଟ୍ର ହିଁ କ୍ଲିନିକ୍‌ ଉପରେ ଆକ୍ରମଣ କରିପାରେ। ଏହି ଆକ୍ରମଣରେ କ‌ୌଣସି ସାମରିକ ଉଦ୍ଦେଶ୍ୟ ନାହିଁ, ଅଛି ରୁଷ୍‌ର ଆତଙ୍କ।

ଗତ ରାତିରେ ନିପ୍ରୋ, କିବ୍‌ ଏବଂ ପୂର୍ବାଞ୍ଚଳର ଅନ୍ୟାନ୍ୟ ପ୍ରାନ୍ତରେ ରୁଷ୍‌ ଛାଡ଼ିଥିବା ୧୦ଟି କ୍ଷେପଣାସ୍ତ୍ର ଓ ୨୦ରୁ ଅଧିକ ଡ୍ରୋନ୍‌କୁ ଗୁଳି ମାରି ଖସାଇ ଦେଇଥିବା କଥା ୟୁକ୍ରେନ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe