କୋଲ୍କାତା: ଦୁଇଜଣ ଏୟାର ଟ୍ରାଫିକ୍ କେଣ୍ଟ୍ରାଲ୍ (ଏଟିସି) କର୍ମଚାରୀଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁ ଆକାଶରେ ଦୁଇଟି ଯାତ୍ରୀବାହୀ ବିମାନ ମୁହାଁମୁହିଁ ସ୍ଥିତିକୁ ଚାଲିଆସିଥିଲେ। କିନ୍ତୁ ସୌଭାଗ୍ୟବଶତଃ ଏହି ସମ୍ଭାବ୍ୟ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଯାଇ ପାରିଛି। ଫଳରେ ଦୁଇଟି ବିମାନରେ ଥିବା ମୋଟ ୩୫୦ ଯାତ୍ରୀଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି। ଘଟଣାଟି ଅକ୍ଟୋବର ୧୫ ତାରିଖରେ କୋଲ୍କାତାର ଆକାଶମାର୍ଗରେ ଘଟିଥିଲା େବଳେ ଏବେ ଏହା ଲୋକଲୋଚନକୁ ଆସିଛି। ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦୁଇଜଣ ଏଟିସି କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।
କୋଲ୍କାତା ବିମାନବନ୍ଦର ଅଧିକାରୀଙ୍କ କହିବା ମୁତାବକ, ଇଣ୍ଡିଗୋ ଏୟାରଲାଇନ୍ସ ବିମାନ କୋଲ୍କାତାରୁ ରାଜ୍ୟର ବାଗ୍ଡୋଗ୍ରା ସହର ଅଭିମୁଖେ ଉଡ଼ାଣ କରିଥିଲା। ଏଟିସି ପକ୍ଷରୁ ଏହାକୁ ୨୯,୦୦୦ ଫୁଟ ଉଚ୍ଚତାରେ ଉଡ଼ାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେପଟେ ଏୟାରଏସିଆ ଇଣ୍ଡିଆ ବିମାନ ବାଗ୍ଡୋଗ୍ରାରୁ କୋଲ୍କାତା ଅଭିମୁଖେ ଆସୁଥିଲା। କିନ୍ତୁ ଭୁଲବଶତଃ ଏୟାରଏସିଆ ବିମାନକୁ ମଧ୍ୟ ୨୯,୦୦୦ ଫୁଟ ଉଚ୍ଚତାରେ ଉଡ଼ାଣ ପାଇଁ କୁହାଯାଇଥିଲା। ତେଣୁ ଦୁଇଟି ବିମାନ ସମାନ ଉଚ୍ଚତାରେ ପରସ୍ପର ପ୍ରତି ନିକଟତର ହେବାରେ ଲାଗିଥିଲେ। କ୍ରମେ ଉଭୟ ବିମାନ ମଧ୍ୟରେ ଦୂରତା ହ୍ରାସ ପାଇଥିଲା। କିନ୍ତୁ ନିର୍ଦ୍ଧାରିତ ହାରଠାରୁ ଉଚ୍ଚତା କମିବାରୁ ଆଭ୍ୟନ୍ତରୀଣ ସତର୍କ ବ୍ୟବସ୍ଥା ସକ୍ରିୟ ହୋଇଯାଇଥିଲା। ଦୁଇଟି ବିମାନ ମଧ୍ୟରେ ଯେତିକି ହାରାହାରି ଦୂରତା ରହିବା କଥା ତା’ଠାରୁ ଢେର ନିକଟବର୍ତ୍ତୀ ହୋଇଥିଲେ ଏହି ଦୁଇ ବିମାନ। ବିମାନଦ୍ବୟ ୨୦୦ ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ ସ୍ତରକୁ ଚାଲିଆସିବା ପରେ ଅନ୍ବୋର୍ଡ ଟ୍ରାଫିକ୍ କଲିଜନ୍ ଆଭଏଡାନ୍ସ ସିଷ୍ଟମ୍ (ଟିସିଏଏସ୍) ସତର୍କ କରାଇଥିଲା। ଏହାପରେ ଗୋଟିଏ ବିମାନ ଉପରକୁ ଉଠିଥିଲା ବେଳେ ଅନ୍ୟଟି ତଳକୁ ଖସିଥିଲା। ଏହାଦ୍ବାରା ବିମାନ ଦୁର୍ଘଟଣା ଟଳିଯାଇଥିଲା।
ଜଣେ ଅଧିକାରୀଙ୍କ କହିବାନୁସାରେ ଦୁଇଟି ବିମାନ ଅତିକମ୍ରେ ୧୦୦୦ ଫୁଟ ଉଚ୍ଚ ଏବଂ ୯ରୁ ୧୮ କିଲୋମିଟର ଦୂରତାରେ ଉଡ଼ାଣ କରିବା କଥା। ଏହାଦ୍ବାରା କୌଣସି ଦୁର୍ଘଟଣା ଘଟିବ ନାହିଁ। କିନ୍ତୁ ୨୦୦ ଫୁଟ ନିକଟକୁ ଚାଲିଆସିବା ଆଶ୍ଚର୍ଯ୍ୟର ବିଷୟ। ଏହାଯୋଗୁ ଉଭୟ ବିମାନ ମଧ୍ୟରେ ଧକ୍କା ହୋଇଥିଲେ, କେଇ ସେକେଣ୍ଡ ମଧ୍ୟରେ ଦୁଇଟି ବିମାନ ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇଯାଇଥାନ୍ତା। ବିମାନ ନିରାପତ୍ତା କ୍ଷେତ୍ରରେ ଏହା ଏକ ବିରାଟ ତ୍ରୁଟି ବୋଲି ଅଧିକାରୀ ଜଣକ ଦର୍ଶାଇଛନ୍ତି। ତେବେ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହିତ ଜଣେ ରାଡାର ନିୟନ୍ତ୍ରକ ଏବଂ ଜଣେ ପ୍ରୋସିଜିଓର୍ ନିୟନ୍ତ୍ରକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗଦେଇ ପାରିବେ ନାହିଁ। ଘଟଣା ସଂକ୍ରାନ୍ତରେ ଇଣ୍ଡିଗୋ ଏୟାରଲାଇନ୍ସ ଏବଂ ଏୟାରଏସିଆ ଇଣ୍ଡିଆ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।
Follow Us