Image Courtesy of Times of India
ଶ୍ରୀନଗର: ଢାଙ୍ଗ୍ରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଧରିବା ନିମନ୍ତେ ଜମ୍ମୁ ଓ କଶ୍ମୀରର ମେଣ୍ଢର୍ ତହସିଲ୍ ଅନ୍ତର୍ଗତ ବାଲାକୋଟ୍ରେ ଭାରତୀୟ ସେନା ଚଢ଼ଉ କରିବା ବେଳେ ଶନିବାର ସନ୍ଧ୍ୟାରେ ଦୁଇଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।
ସମଗ୍ର ଅଞ୍ଚଳକୁ କର୍ଡନ୍ କରାଯାଇ ଆତଙ୍କବାଦୀ ନିରୋଧୀ ଅଭିଯାନ ଚାଲିଥିବା କଥା ସେନା କହିଛି।
ଦୁଇ ଦିନ ତଳେ ରାଜୌରୀ ଅନ୍ତର୍ଗତ ଢାଙ୍ଗରୀ ଗ୍ରାମରେ ସଂଗଠିତ ଦୁଇଟି ଆତଙ୍କବାଦୀ ଆକ୍ରମଣରେ ପିଲାଙ୍କ ସମେତ ୬ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ସେଥିରେ ସମ୍ପୃକ୍ତ ଥିବା ଆତଙ୍କବାଦୀମାନଙ୍କୁ ଧରିବା ନିମନ୍ତେ ନିରାପତ୍ତା ବଳ ଜୋର୍ଦାର୍ ଚଢ଼ଉ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ୫୦ ମିଟର୍ ବ୍ୟବଧାନରେ ଥିବା ୩ଟି ଘର ଉପରକୁ ଦୁଇଜଣ ସନ୍ଦିଗ୍ଧ ‘ଜୈଶ୍-ଏ-ମହମ୍ମଦ’ ଆତଙ୍କବାଦୀ ଗୁଳି ଚଳାଇବାରୁ ୪ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ତହିଁ ଆର ଦିନ ଗୁଳି ଚଳାଯାଇଥିବା ଘର ନିକଟରେ ‘ଆଇଇଡି’ ବିସ୍ଫୋରଣ ହେବାରୁ ଜଣେ ୪ ଓ ଜଣେ ୧୬ ବର୍ଷିୟ ପିଲାଙ୍କର ମୃତ୍ୟୁ ଘଟିଥିଲା।
Image Courtesy of Zee Newsଏହି ଆତଙ୍କବାଦୀ ଗୁଳିକାଣ୍ଡରେ ଆହତ ହୋଇ ଜମ୍ମୁସ୍ଥି ‘ଜିଏମ୍ସି’ରେ ଚିକିତ୍ସାଧୀନ ଥିବା ପ୍ରିନ୍ସ୍ ନାମରେ ଜଣଙ୍କର ଆଜି ମୃତ୍ୟୁ ଘଟିବାରୁ ସମୁଦାୟ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି। ପ୍ରିନ୍ସ୍ ହେଉଛନ୍ତି, ଜାନୁଆରି ୧ ତାରିଖ ଦିନ ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ଦୀପକ କୁମାରଙ୍କ ଭାଇ।
ଆତଙ୍କବାଦୀ ନିରୋଧୀ ଅଭିଯାନ ତ୍ବରାନ୍ବିତ କରିବା ଲାଗି ସମ୍ପ୍ରତି ରାଜୌରୀ ଏବଂ ପୁଞ୍ଚ୍ରେ ଅନ୍ୟୂନ ୧୮ କମ୍ପାନି ‘ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ’ ମୁତୟନ କରାଯାଇଛି। ଏଥିପାଇଁ ଭାରତର ଗୃହ ବ୍ୟାପାର ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିଲା।
ଢାଙ୍ଗ୍ରୀ ଆକ୍ରମଣକାରୀଙ୍କ ସମ୍ବନ୍ଧରେ ସୂଚନା ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ଜମ୍ମୁ ଓ କଶ୍ମୀର ପୁଲିସ ଘୋଷଣା କରିଛି।
Follow Us