RTER
ନୂଆଦିଲ୍ଲୀ: ତିବ୍ବତରେ ମଙ୍ଗଳବାର ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନେପାଳ-ତିବ୍ବତ ସୀମା ନିକଟସ୍ଥ ଜିଜାଙ୍କ ଅଞ୍ଚଳରେ ଗତକାଲି ପ୍ରଥମେ ୭.୧ ତୀବ୍ରତାର ଏକ ଭୂକମ୍ପ ହେବାପରେ ୨୪ ଘଣ୍ଟା ମଧ୍ୟରେ ୨୦ରୁ ଅଧିକ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ବୁଧବାର ସକାଳ ୬.୫୮ରେ ଆଜି ଶେଷ ଝଟ୍କା ଅନୁଭୂତ ହୋଇଥିଲା। ରିଚର ସ୍କେଲ୍ରେ ଏହି କମ୍ପନର ତୀବ୍ରତା ୪.୦ ଥିଲା।
ସିରିଜ୍ ଭୂକମ୍ପ ମଧ୍ୟରୁ ୧୦ଟି ଭୂକମ୍ପର ତୀବ୍ରତା ୬ରୁ ଅଧିକ ରହିଥିଲା। ତିବ୍ବତ ହେଉଛି ଏକ ଜଣାଶୁଣା ଭୂକମ୍ପ ପ୍ରବଣ ଅଞ୍ଚଳ। ଏଠାରେ ଗତ ବର୍ଷ ୧୦୦ରୁ ଅଧିକ ଭୂକମ୍ପ ହୋଇଥିଲା ଯାହାର ତୀବ୍ରତା ରିଚର ସ୍କେଲ୍ରେ ୩.୦ରୁ ୫.୦ ମଧ୍ୟରେ ରହିଥିବା ବେଳେ ୭.୦ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ଭୂକମ୍ପ ଖୁବ୍ କମ୍ ସମୟରେ ହୋଇଛି। ବିଂଶ ଶତାବ୍ଦୀ ଆରମ୍ଭରୁ ଏଭଳି ଭୂକମ୍ପ ୯ ଥର ହୋଇଛି। ଗତକାଲିର ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୀଷଣ କ୍ଷୟକ୍ଷତି ହୋଇଥିବା ବେଳେ ବିଭିନ୍ନ କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ୩ ହଜାରରୁ ଅଧିକ ଘର ଭାଙ୍ଗିଯାଇଛି ଏବଂ ଧ୍ବଂସାବଶେଷ ଭିତରେ ଏବେ ଉଦ୍ଧାରକାରୀ ଦଳ ଜୀବନର ସନ୍ଧାନ କରୁଛନ୍ତି।
Follow Us