୨୦୦ ସ୍ବାସ୍ଥ୍ୟକର୍ମୀ, ୫୦ ଡାକ୍ତର କରୋନା ଆକ୍ରାନ୍ତ: ମୁମ୍ବାଇରେ ସର୍ବାଧିକ ୧୦୦

Advertisment
୨୦୦ ସ୍ବାସ୍ଥ୍ୟକର୍ମୀ, ୫୦ ଡାକ୍ତର କରୋନା ଆକ୍ରାନ୍ତ: ମୁମ୍ବାଇରେ ସର୍ବାଧିକ ୧୦୦

ନୂଆଦିଲ୍ଲୀ: କରୋନା ଚିକିତ୍ସାରେ ନିୟୋଜିତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ ଅଧିକ ସଂଖ୍ୟାରେ ଭାଇରସ୍‌ ଆକ୍ରାନ୍ତ ହେବାପରେ ଏହା ଭାରତ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। ଦେଶବ୍ୟାପୀ ଏବେ ୨୦୦ ସ୍ବାସ୍ଥ୍ୟକର୍ମୀ ଏବଂ ୫୦ରୁ ଅଧିକ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା ପାଇଁ ୧୨ଟି ହସ୍ପିଟାଲ୍‌ ସିଲ୍‌ ହୋଇଛି। ମୁମ୍ବାଇରେ ସର୍ବାଧିକ ୧୦୦ ଜଣ ସ୍ବାସ୍ଥ୍ୟକର୍ମୀ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ତେବେ କରୋନା ବିଶ୍ବ ମହାମାରୀ ସହ ଲଢ଼ିବାପାଇଁ ହସ୍ପିଟାଲ୍‌ଗୁଡ଼ିକ କିଭଳି ପ୍ରସ୍ତୁତ ସେନେଇ ପ୍ରଶ୍ନ ଉଠିଛି। ମୁମ୍ବାଇରେ ୮ ଘରୋଇ ସୁପର୍‌ ସ୍ପେସା‌ଲିଟି ହସ୍ପିଟାଲ୍‌ରେ ୧,୫୦୦ ବେଡ୍‌ ସିଲ୍‌ କରାଯାଇଛି। ଇନ୍ଦୋରରେ ୨ ଜଣ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି। ଅନ୍ୟପ‌କ୍ଷେ ଭାଇରସ୍‌ ସଂକ୍ରମିତ ୨୦୦ ସ୍ବାସ୍ଥ୍ୟକର୍ମୀ ଏବେ କ୍ବାରାଣ୍ଟିନ୍‌ରେ ଅଛନ୍ତି। ଭାରତରେ ୧୨ଟି ହସ୍ପିଟାଲ୍‌କୁ ସିଲ୍‌ କରିଦିଆଯାଇଛି। ଗୋଟିଏ ପଟେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତି ଗତିରେ ବଢ଼ିଥିବାବେଳେ ଅନ୍ୟପକ୍ଷେ ହସ୍ପିଟାଲ୍‌ଗୁଡ଼ିକ ଅବ‌‌ରୋଧ ଅଞ୍ଚଳ ପାଲଟିବା ଚିନ୍ତା ବଢ଼ାଇଛି।

ରାଜସ୍ଥାନ ରାଜଧାନୀ ଜୟପୁରର ଏକ ଘରୋଇ ହସ୍ପିଟାଲ୍‌ ଗତ ଗୁରୁବାର ଦିନ ସିଲ୍‌ ହୋଇଛି। ହସ୍ପିଟାଲ୍‌ର କିଛି ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହେବାପରେ ହସ୍ପିଟାଲ୍‌ଟିକୁ ସିଲ୍‌ କରିଦିଆଯାଇଛି। ରାଜସ୍ଥାନରେ ସମୁଦାୟ ୫୦ ଜଣ ସ୍ବାସ୍ଥ୍ୟକର୍ମୀ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହୋଇଛନ୍ତି। ତେବେ ପୂର୍ବରୁ ଭିଲ୍‌ୱାଡ଼ାରେ ୩ ଜଣ ଡାକ୍ତର ଏବଂ ୧୪ ସ୍ବାସ୍ଥ୍ୟକର୍ମୀ ଭାଇରସ୍‌ ଆକ୍ରାନ୍ତ ହୋଇଥିଲେ। ଦିଲ୍ଲୀରେ ୩୫ ସ୍ବାସ୍ଥ୍ୟକର୍ମୀ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ହରିୟାଣାରେ ପଞ୍ଚକୁଳା ଜେନେରାଲ୍‌ ହସ୍ପିଟାଲ୍‌ର ଜଣେ ନର୍ସ‌୍ ଏବଂ ଫରିଦାବାଦ୍‌ର ଜଣେ ମ୍ୟାଲେରିଆ କର୍ମୀ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଉତ୍ତରପ୍ରଦେଶରେ ଜଣେ ଘରୋଇ ଡାକ୍ତର କ‌ରୋନା ସଂକ୍ରମିତ ହୋଇଛନ୍ତି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମୁମ୍ବାଇ। ଶୁକ୍ରବାର ମୁମ୍ବା‌ଇରେ ୧୯ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ଏଥିସହ ସହରରେ ସମୁଦାୟ ୧୦୦ ଜଣ ସ୍ବାସ୍ଥ୍ୟ କର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ମୁମ୍ବାଇରେ କେତେକ ପ୍ରମୁଖ ହସ୍ପିଟାଲ୍‌ ତଥା ଜସଲକ୍‌, ୱକ୍‌ହର୍ଡ ଏବଂ ଭାଟିଆରେ ଅଧିକାଂଶ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହେବାପରେ ଏହି ସବୁ ହସ୍ପିଟାଲ୍‌ ଗୁଡ଼ିକୁ ସିଲ୍‌ କରିଦିଆଯାଇଛି। ଭାଟିଆ ହସ୍ପିଟାଲ୍‌କୁ ବୁଧବାରଠାରୁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି। ଏଠାରେ ୧୦ ନର୍ସ, ୨ ଡାକ୍ତର ଏବଂ ଜଣେ ଫିଜିଓଥେରାପିଷ୍ଟ୍‌ କରୋନା ସଂକ୍ରମିତ ହେବାପରେ ହସ୍ପିଟାଲ୍‌କୁ ସିଲ୍‌ କରାଯାଇଛି। ଦାଦର୍‌ର ଏକ ହସ୍ପିଟାଲ୍‌ରେ ୨ ଜଣ ନର୍ସ‌୍ ଭାଇରସ୍ ଆକ୍ରାନ୍ତ ହେବାପରେ ଏଠାରେ ନୁଆ ରୋଗୀଙ୍କୁ ଆଡମିଟ୍‌ କରିବାପାଇଁ ମନା କରାଯାଇଛି। ଏଥିସହ‌ ଚିକିତ୍ସାଧୀନ ଥିବା ସମସ୍ତ ରୋଗୀଙ୍କୁ ୪୮ ଘଣ୍ଟା ମଧ୍ୟ‌ରେ ଡିସଚାର୍ଜ କରିବାକୁ କୁହାଯାଇଛି। କିଛି ହସ୍ପିଟାଲ୍‌ରେ ପିପିଇର ଅଭାବ ଯୋଗୁଁ ପରିସ୍ଥିତି ଅତି ଜଟିଳ ହୋଇଯାଉଛି ବୋଲି କୁହାଯାଉଛି। ବ୍ରିଚ୍‌ କ୍ୟାଣ୍ଡିରେ ୨ ଜଣ ନର୍ସ‌୍ ଭାଇରସ୍‌ ଆକ୍ରାନ୍ତ ହେବାପରେ ଏଠାରେ ୧୮୦ ଜଣ ନର୍ସ‌୍ କ୍ବାରାଣ୍ଟିନ୍‌ରେ ଅଛନ୍ତି। ତେବେ ମୁମ୍ବାଇରେ କରୋନା ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ୬୦ ରୁ ଅଧିକ ନର୍ସ‌୍ , ୧୦ ଜଣ ଡାକ୍ତର ଏବଂ ଅନ୍ୟମାନେ ‌ଟେକ୍‌ନିସିଆନ୍‌ ଅଛନ୍ତି। ଅନ୍ୟ ସହର ତୁଳନାରେ ମୁମ୍ବାଇରେ ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି। କେରଳରେ ଜଣେ ଡାକ୍ତର, କୋଟ୍ଟାୟମର ୨ ଜଣ ନର୍ସ‌୍ ଏବଂ ଏର୍ନାକୁଲମ୍‌ରେ ଜଣେ ନର୍ସ‌୍ ଭାଇରସ୍‌ ସଂକ୍ରମିତ ହୋଇଛନ୍ତି। ତାମିଲନାଡ଼ୁରେ ୫ ଜଣ ଡାକ୍ତର ଭାଇରସ୍‌ ସଂକ୍ରମିତ ହୋଇଛନ୍ତି। ମୋଟ୍‌ ଉପରେ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟ ବିଗିଡ଼ିବା ଏବେ ଭାରତ ପାଇଁ ଏକ ବଡ଼ ଚ୍ୟାଲେଂଜ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe