Image Courtesy: OutLook India
ଶ୍ରୀନଗର: ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଦିନ କହିଛନ୍ତି ଯେ ସଂପ୍ରତି ପାକ୍ ଆତଙ୍କବାଦୀମାନଙ୍କର ଦେଶ ମଧ୍ୟକୁ ଅନୁପ୍ରବେଶ ବହୁ ପରିମାଣରେ ହ୍ରାସ ପାଇଛି। ତଥାପି ବର୍ତ୍ତମାନ ୨୦୦ରୁ ଅଧିକ ପାକ୍ ତାଲିମ ପ୍ରାପ୍ତ ଆତଙ୍କବାଦୀ ଜମ୍ମୁ- କଶ୍ମୀର ମଧ୍ୟକୁ ଅନୁପ୍ରବେଶ ପାଇଁ ସୀମାନ୍ତ ଆରପଟେ ସୁଯୋଗ ଅପେକ୍ଷାରେ ରହିଥିବା ସେନା ଗୁଇନ୍ଦା ସୂଚନା ପାଇଛି।
ଫେବ୍ରୁଆରି ୨୦୨୧ ଚୁକ୍ତି ପରଠାରୁ ଭାରତ-ପାକ୍ ସୀମାରେ ଅସ୍ତ୍ରବିରତି ‘ଭଲ’ କାର୍ଯ୍ୟ କରୁଛି ବୋଲି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଦୃଢୋକ୍ତି ପ୍ରକାଶ କରଛନ୍ତି। ସେ କହିଛନ୍ତି ଯେ ସ୍ଥାନୀୟ ଆଶ୍ରୟ ସ୍ଥଳ ଏବଂ ସମର୍ଥନ ଅଭାବରୁ ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୧ ଜଣ ବିଦେଶୀ ଆତଙ୍କବାଦୀଙ୍କୁ ଭାରତୀୟ ସେନା ନିପାତ କରିଛି। ଏବେ ଜମ୍ମୁ- କଶ୍ମୀରରେ ତାଲିମପ୍ରାପ୍ତ ଆତଙ୍କବାଦୀଙ୍କ ସଂଖ୍ୟା ହ୍ରାସ ପାଇଛି।
Image Courtesy: OutLook Indiaନିୟନ୍ତ୍ରଣ ରେଖା (ଏଲଓସି) ଏବଂ ଜମ୍ମୁ-କଶ୍ମୀର ସୀମା ପାର ସୁରକ୍ଷା ପରିସ୍ଥିତି ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ ଭାରତ-ପାକ୍ ସୀମାରେ ପାକିସ୍ତାନ ପଟରେ ବିଭିନ୍ନ ଲଞ୍ଚପ୍ୟାଡ୍ରେ ୨୦୦ ତାଲିମପ୍ରାପ୍ତ ଆତଙ୍କବାଦୀ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ପାଇଁ ସୁଯୋଗ ଖୋଜୁଛନ୍ତି। କିନ୍ତୁ, ଆମର ସେନା ପ୍ରତିରକ୍ଷାର ସର୍ବୋଚ୍ଚ ସ୍ତରରେ କାର୍ଯ୍ୟ କରୁଛନ୍ତି ଯାହା ଫଳରେ ଆତଙ୍କବାଦୀମାନଙ୍କ କୌଣସି ଅନୁପ୍ରବେଶ କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ସେ କହିଛନ୍ତି।
ସେ କହଛନ୍ତି ଯେ ସୀମା ସେପଟେ ଆତଙ୍କବାଦୀଙ୍କ ଭିତ୍ତିଭୂମି କିନ୍ତୁ ଅକ୍ଷୁଣ୍ଣ ଥିବା ଜଣାପଡିଛି। ସୀମା ସେପଟେ ଛଅଟି ପ୍ରମୁଖ ଆତଙ୍କବାଦୀ ଶିବିର ଏବଂ ୨୯ଟି ଛୋଟ ଶିବିର ରହିଥିବା ନେଇ ଭାରତୀୟ ସେନାର ଗୁଇନ୍ଦା ବିଭାଗ ସୂଚନା ପାଇଛି। ପାକିସ୍ତାନର ବିଭିନ୍ନ ସାମରିକ ପ୍ରତିଷ୍ଠାନ ନିକଟରେ ଆତଙ୍କବାଦୀଙ୍କ ଅସ୍ଥାୟୀ ଲଞ୍ଚିଂ ପ୍ୟାଡ୍ ଅବସ୍ଥିତ ବୋଲି ସେ କହିଛନ୍ତି। ଆତଙ୍କବାଦୀ ଭିତ୍ତିଭୂମି ବଜାୟ ରଖିବା ପାଇଁ ସେ ପାକିସ୍ତାନ ସେନାକୁ ଦାୟୀ କରି କହିଛନ୍ତି ଯେ ଭାରତ ସୀମା ମଧ୍ୟକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ ସେନା ଏବଂ ଏହାର ଏଜେନ୍ସିଗୁଡ଼ିକର ସହଯୋଗକୁ ପ୍ରତ୍ୟାଖ୍ୟାନ କରାଯାଇ ପାରିବ ନାହିଁ।
Follow Us