ନଇଡ଼ା: ଗୁରବାର ସକାଳେ ସେକ୍ଟର୍ ୬୩ ଅନ୍ତର୍ଗତ ଏକ ମୋବାଇଲ୍ ଫୋନ୍ ତିଆରି କାରଖାନା ବାହାରେ ୧୦୦୦ ରୁ ଅଧିକ ଶ୍ରମିକ ଏକତ୍ର ହୋଇ କାରଖାନାକୁ ଟେକାପଥର ଫିଙ୍ଗିଛନ୍ତି। କମ୍ପାନି ୨୦୦ ଶ୍ରମିକଙ୍କୁ ଛୁଟିରେ ରହିବାକୁ କହିବାରୁ ପ୍ରତିବାଦ ସ୍ୱରୂପ ଶ୍ରମିକମାନେ କାରଖାନା ବାହାରେ ସମବେତ ହୋଇ ଟେକାପଥର ପକାଇ କାରଖାନା ଘରର ଝରକା ଆଦିକୁ ଭାଙ୍ଗି ପକାଇଛନ୍ତି।
ଘଟନାଟି ଘଟିଛି ସେକ୍ଟର୍ ୬୩ ବ୍ଲକ୍ ଏ’ରେ ଥିବା ଚୀନ୍ର ଫୋନ୍ କମ୍ପାନି ହାଇପ୍ୟାଡ୍ ଟେକ୍ନୋଲଜି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ବାହାରେ। ପ୍ରାୟ ୨୦୦ ଶ୍ରମିକଙ୍କୁ ୧୫ ଦିନ ସକାଶ ଛୁଟିରେ ରହିବାକୁ କୁହାଯାଇଥିଲା।
ସେମାନଙ୍କୁ କାମରୁ ବାହାର କରିଦିଆଯାଉଛି ବୋଲି ବିଚାରି ଶ୍ରମିକମାନେ ହିଂସ୍ର ପାଲଟି ଯାଇଥିଲେ।
ସେ କାରଖାନାରେ ଓପୋ ଏବଂ ଜିଓମି ଫୋନ୍ ତିଆରି ହୁଏ। ଦୀପାବଳି ପରେ ଉତ୍ପାଦନ ଚାହିଦା କମିଯାଇଥିଲା। ତେଣୁ ଗୁରୁବାର ଦିନ ମ୍ୟାନେଜ୍ମେଣ୍ଟ୍ କଣ୍ଟ୍ରାକ୍ଟର୍କୁ କହିଥିଲା କିଛି ଶ୍ରମିକଙ୍କୁ ବାହାର କରି ଦେବାକୁ। କିଛି ଦିନ ପରେ ସେମାନଙ୍କୁ ଦ୍ୱିତୀୟ ପ୍ଲାଣ୍ଟ୍ରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା।
କିନ୍ତୁ, ଶ୍ରମିକମାନଙ୍କ କହିବା କଥା କି, ତାଙ୍କୁ ଏ କଥା ପୂର୍ବରୁ ଜଣାଇ ଦିଆଯାଇ ନ ଥିଲା। ସେମାନେ ସକାଳ ୮:୩୦ରେ ଆସି ଦେଖିଲେ କି ସେମାନଙ୍କର ବାୟୋମେଟ୍ରିକ୍ସ୍ କାମ ଦେଉନି। ତେଣୁ ପ୍ରତିବାଦ ସ୍ୱରୂପ ସେମାନେ କାରଖାନା ବାହାରେ ଜମା ହୋଇଥିଲେ।
ପୁଲିସ ପହଞ୍ଚିବାରୁ ପରିସ୍ଥିତି ଶାନ୍ତ ପଡ଼ିବା ପରେ ଘୋଷଣା କରାଯାଇଥିଲା କି, କାରଖାନା ବନ୍ଦ ରହିଲା ଏବଂ ସୋମବାର ଠାରୁ ସେଠାରେ କାମ ଆରମ୍ଭ ହେବ।
Follow Us