ନୂଆଦିଲ୍ଲୀ: ବିଶ୍ବରେ ଘୂରି ବୁଲୁଥିବା ପିମ୍ପୁଡ଼ିଙ୍କ ସଂଖ୍ୟା ୨୦ ‘କ୍ବାଡ୍ରିଲିୟନ୍’ (୨୦ରେ ୧୫ଟି ଶୂନ୍ ଦେଲେ ଯେତେ ହେବ) ବୋଲି ହଙ୍ଗ୍କଙ୍ଗ୍ର ଗବେଷକମାନେ ଆକଳନ କରିଛନ୍ତି।
ଗବେଷକ ଦଳ କହିଛନ୍ତି, ପିମ୍ପୁଡ଼ିମାନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟାବଳି ଅନେକ ପ୍ରକୃତିବିତ୍ଙ୍କୁ ସେମାନଙ୍କର ପ୍ରକୃତ ସଂଖ୍ୟା ଜାଣିବାକୁ ପ୍ରେରିତ କରିଥିଲା। କିନ୍ତୁ, ସେଥିରେ ସୁବ୍ୟବସ୍ଥିତ ଏବଂ ପର୍ଯ୍ୟବେକ୍ଷଣ ଆଧାରିତ ହିସାବ ନ ଥିଲା।
ବିଶ୍ବର ବିଭିନ୍ନ ପ୍ରାନ୍ତରେ ଥିବା ପିମ୍ପୁଡ଼ିଙ୍କ ସାନ୍ଦ୍ରତା (ଗହଳି) ମାପ କରାଯାଇ ୪୮୯ ଅଧ୍ୟୟନରୁ ପ୍ରାପ୍ତ ତଥ୍ୟାବଳିକୁ ଏକତ୍ର କରାଯିବା ପରେ ସେମାନଙ୍କ ସଂଖ୍ୟା ୨୦ କ୍ବାଡ୍ରିଲିୟନ୍ ବୋଲି ଗବେଷକମାନେ ଉଲ୍ଲେଖ କରିଛନ୍ତି।
ଗବେଷକମାନଙ୍କର ଏହି ଅଧ୍ୟୟନର ସାରାଂସ ‘ଜର୍ଣ୍ଣାଲ୍ ପ୍ରୋସିଡିଙ୍ଗ୍ସ୍ ଅଫ୍ ଦି ନ୍ୟାସ୍ନାଲ୍ ଏକାଡେମି ଅଫ୍ ସାଇନ୍ସେସ୍’ରେ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ଅଛି ଯେ, ପୃଥିବୀର ସବୁ ପ୍ରାନ୍ତରେ ପିମ୍ପୁଡ଼ିଙ୍କ ସଂଖ୍ୟାରେ ଆକାଶପାତାଳ ପ୍ରଭେଦ ଅଛି। ବିଷୁବକ୍ରାନ୍ତୀୟ ଅଞ୍ଚଳରେ ସବୁଠୁ ଅଧିକ ସଂଖ୍ୟକ ପିମ୍ପୁଡ଼ି ଥିବା ବେଳେ ସେଠାରେ ସେମାନଙ୍କ ବସତିରେ ମଧ୍ୟ ୬ ଗୁଣ ଫରକ ରହିଛି।
Image Courtesy of TmZହଙ୍ଗ୍କଙ୍ଗ୍ ବିଶ୍ବବିଦ୍ୟାଳୟର ‘ସ୍କୁଲ୍ ଅଫ୍ ବାୟୋଲୋଜିକାଲ୍ ସାଇନ୍ସେସ୍’ର ଏହି ଗବେଷକ ଦଳ ଆହୁରି ମଧ୍ୟ ହିସାବ କରିଛନ୍ତି ଯେ, ବିଶ୍ବରେ ଥିବା ସମୁଦାୟ ପିମ୍ପୁଡ଼ିଙ୍କ ଓଜନ ୧୨ ନିୟୁତ ଟନ୍। ଏହି ଅଧ୍ୟୟନ ସ୍ଥଳଭାଗର ଜୀବଜଗତ୍ ବ୍ୟବସ୍ଥାରେ ପିମ୍ପୁଡ଼ିମାନେ ନିର୍ବାହ କରୁଥିବା ପ୍ରମୁଖ ଭୂମିକା ଦର୍ଶାଇଛନ୍ତି।
ପରିବେଶ ପାଇଁ ଏତେ ସଂଖ୍ୟକ ପିମ୍ପୁଡ଼ିଙ୍କର ଯଥେଷ୍ଟ ଗୁରୁତ୍ବ ରହିଛି। ୧୦୦ ନିୟୁତ ବର୍ଷରୁ ଅଧିକ ବର୍ଷ ତଳୁ ପିମ୍ପୁଡ଼ିମାନଙ୍କର ବିଭିନ୍ନ ପ୍ରଜାତି ବିଶ୍ବରେ ବସବାସ କରିଆସୁଛନ୍ତି ଓ ହଜାର ହଜାର ବର୍ଷର ଧରି ବିବର୍ତ୍ତିତ (ଧୀରେ ଧୀରେ ଉନ୍ନତସ୍ତରକୁ ଆସିବା) ହୋଇଆସୁଛନ୍ତି। ସମଗ୍ର ବିଶ୍ବରେ ୧୨,୦୦୦ ପ୍ରଜାତିର ପିମ୍ପୁଡ଼ି ଥିବା କଥା ଗବେଷକମାନେ କହିଛନ୍ତି।
Follow Us