Photo Courtesy of HT
ନୂଆଦିଲ୍ଲୀ: ରାଜ୍ୟରେ ୨୦୦୨ ଦଙ୍ଗାର ତଦନ୍ତ ଏବଂ ଏକ ବୃହତ୍ତର ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ୫୭ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାକିଆ ଜାଫ୍ରି କରିଥିବା ଆବେଦନକୁ ଗୁରୁବାର ଦିନ ଗୁଜରାଟ ଉଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି।
ଜାଫ୍ରି ଏବଂ ତୀସ୍ତା ସେତାଲଓ୍ଵାଡ୍ଙ୍କ ଏନ୍ଜିଓ ଫର୍ ଜଷ୍ଟିସ୍ ଆଣ୍ଡ୍ ପିସ୍ଙ୍କ ଦ୍ୱାରା ଫାଇଲ୍ କରାଯାଇଥିବା ପିଟିସନ୍କୁ ଖାରଜ କରି ହାଇ କୋର୍ଟ ରାୟ ଶୁଣାଇ କହିଛନ୍ତି ଯେ ଦଙ୍ଗାରେ କୌଣସି ବୃହତ୍ତର ଷଡ଼ଯନ୍ତ୍ର ହୋଇ ନାହିଁ।
ଜଷ୍ଟିସ୍ ସୋନିଆ ଗୋକନି କହିଛନ୍ତି ଯେ ଗୁଲ୍ବର୍ଗ ସୋସାଇଟି ନରସଂହାର ମାମଲାର ବିଚାର କରୁଥିବା ସ୍ପେସାଲ୍ କୋର୍ଟ ଦ୍ୱାରା ଷଡ଼ଯନ୍ତ୍ର ମାମଲାର ନିରପେକ୍ଷ ଅନୁଶୀଳନ କରାଯାଇଥିଲା।
କିନ୍ତୁ, ଏହି ମାମଲାର ତଦନ୍ତ କରିବାକୁ ଏସ୍ଆଇଟିକୁ ନିର୍ଦେଶ ଦେବାକୁ ନିଜର ଅକ୍ଷମତା ପ୍ରକାଶ କରି ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ଚାଲେଞ୍ଜ୍ କରିବାକୁ ଜାଫ୍ରିଙ୍କୁ ଅନୁମତି ଦେଇଛନ୍ତି।
ଜାକିଆଙ୍କ ସ୍ୱାମୀ ତଥା ପୂର୍ବତନ କଂଗ୍ରେସ ସାଂସଦ ଥିବା ଇଶାନ୍ ଜାଫ୍ରି ଗୁଲ୍ବର୍ଗ ସୋସାଇଟି ଗଣସଂହାରେ ନିହତ ହୋଇଥିଲେ। ଏହି ନରସଂହାର ସମ୍ପୃକ୍ତି ନ ଥିବା ଦର୍ଶାଇ ନିମ୍ନ ଅଦାଲତ୍ ମୋଦି, ଅନ୍ୟାନ୍ୟ ରାଜନେତା ଓ ଅମଲାମାନଙ୍କୁ ଦିଆଯାଇଥିବା କ୍ଲିନ୍ଚିଟ୍କୁ ବଳବତ୍ତର ରଖିଥିଲେ।
ଏହି ମାମଲାର ସାନି ତଦନ୍ତ କରାଇବାକୁ ପିଟିସନ୍ରେ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିଲା।
ଏସ୍ଆଇଟି ହାଇ କୋର୍ଟରେ ହାଜର ହୋଇ ଦର୍ଶାଇ ଥିଲା ଯେ ସୁପ୍ରିମ୍ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ କରାଯାଇଥିଲା ଏବଂ ତାହାର ରିପୋର୍ଟ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହୋଇଛି।
ଫେବ୍ରୁଆରି ୮, ୨୦୧୨ରେ ଫାଇଲ୍ ହୋଇଥିବା ଏସ୍ଆଇଟିର କ୍ଲୋଜର୍ ରିପୋର୍ଟରେ ମୋଦି ଏବଂ ଅନ୍ୟମାନଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଥିଲା। ଡିସେମ୍ବର ୨୦୧୩ରେ ଅହମଦାବାଦସ୍ଥିତ ମେଟ୍ରୋପଲିସିଆନ୍ ମାଜିଷ୍ଟ୍ରେଟ୍ କୋର୍ଟ ରିପୋର୍ଟ ବିରୋଧରେ ଜାଫ୍ରିଙ୍କ ପିଟିସନ୍ ଆବେଦନକୁ ଖାରଜ କରିଥିଲେ। ପରେ ୨୦୧୪ରେ ସେ ହାଇ କୋର୍ଟରେ ଅଭିଯୋଗ କରିଥିଲେ।
Follow Us