Zee News
ଜୟପୁର : ମେ ୨୦୦୮ରେ ରାଜସ୍ଥାନର ଜୟପୁର ସିରିଜ୍ ବିସ୍ଫୋରଣରେ ଥରି ଉଠିଥିଲା। ଏଥିରେ ୭୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୦ରୁ ଅଧିକ ଆହତ ହୋଇଥିଲେ। ଏହି ମାମଲାରେ ଟ୍ରାୟଲ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡାଦେଶ ପାଇଥିବା ୪ ଜଣଙ୍କୁ ଆଜି ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି। ତଳ କୋର୍ଟ ଦ୍ବାରା ୪ ଦୋଷୀଙ୍କୁ ଦିଆଯାଇଥିବା ଫାଶୀ ଦଣ୍ଡାଦେଶକୁ ହାଇକୋର୍ଟ ଖାରଜ କରିଦେବା ସହ ଯେଉଁ ସବୁ ପ୍ରମାଣ ଆଧାରରେ ସେମାନଙ୍କୁ ଦଣ୍ଡାଦେଶ ହୋଇଥିଲା ତାହାକୁ ମଧ୍ୟ ଖାରଜ କରିଦେଇଛନ୍ତି।
ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଦୋଷୀମାନଙ୍କ ଓକିଲ ସୟଦ ଅଲ୍ଲୀ କହିଛନ୍ତି ଯେ ଶେଷରେ ନ୍ୟାୟର ବିଜୟ ହୋଇଛି। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ଏହି ରାୟ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଝଟ୍କା ହୋଇଛି । ୨୦୧୯ରେ ଟ୍ରାୟଲ କୋର୍ଟ ଜୟପୁର ବୋମା ବିସ୍ଫୋରଣ ମାମଲାର ରାୟ ଶୁଣାଇ ୪ ଅଭିଯୁକ୍ତ ମହମ୍ମଦ ସୈଫ୍, ସୈଫୁଇ ରହମାନ, ସରବର ଆଜମୀ ଓ ମହମ୍ମଦ ସଲମାନକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଦାଲତ ଅଭିଯୁକ୍ତମାନଙ୍କୁ ୟୁଏପିଏ ଧାରା ଅଧୀନରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଏହି ମାମଲାରେ ମୋଟ ୧୩ ଜଣ ଅଭିଯୁକ୍ତ ଥିବା ବେଳେ ୩ ଜଣ ଏବେ ବି ଫେରାର୍ ଅଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ ପୁଲିସ ଅନେକ ବଳିଷ୍ଠ ପ୍ରମାଣ ଦାଖଲ କରିଥିବାରୁ ଟ୍ରାୟଲ କୋର୍ଟ ୪ ମୁଖ୍ୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।
Follow Us