୨୦୧୯ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ, ଭୁଲ୍‌ ପ୍ରମାଣିତ ହେଲା ଏକ୍‌ଜିଟ୍‌ ପୋଲ୍‌

Advertisment
୨୦୧୯ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ, ଭୁଲ୍‌ ପ୍ରମାଣିତ ହେଲା ଏକ୍‌ଜିଟ୍‌ ପୋଲ୍‌

ନୂଆଦିଲ୍ଲୀ: ୨୦୧୯ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପରିଣାମ ଆଜି ପ୍ରକାଶ ପାଇଛି। ଉଭୟ ରାଜ୍ୟରେ ଗତ ୨୧ ତାରିଖ ଦିନ ଭୋଟ୍‌ ଗ୍ରହଣ ‌ହୋଇଥିଲା। ଏହାପରେ ପ୍ରକାଶ ପାଇଥିବା ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକରେ ମହାରାଷ୍ଟ୍ର ଏବଂ ହରିୟାଣାରେ ବିଜେପି ବିପୁଳ ବିଜୟ ହାସଲ କରିବ ବୋଲି କୁହାଯାଇଥିଲା। ହରିୟାଣା କ୍ଷେତ୍ରରେ ମଧ୍ୟ ଅଧିକାଂଶ ଏକ୍‌ଜିଟ ପୋଲ୍‌ ବିଜେପିକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ଦର୍ଶାଇଥିଲେ। କେବଳ ଇଣ୍ଡିଆଟୁଡେ-ଆକ୍ସିସ୍‌-ମାଇଁ ଇଣ୍ଡିଆ ଏକ୍‌ଜିଟ୍‌ ପୋଲ୍‌ ହରିୟାଣାରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଦର୍ଶାଇଥିଲା। ଉଭୟ ରାଜ୍ୟରେ ଗୋଟିଏ ଦୁଇଟି ସଂସ୍ଥାକୁ ବାଦ୍‌ ଦେଇ ସବୁ ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି।

ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ୨୮୮ ଆସନରୁ ୨୩୦ ଆସନ ଦଖଲ କରିବ ଏବଂ କଂଗ୍ରେସ-ଏନ୍‌ସିପି ମେଣ୍ଟକୁ ମାତ୍ର ୪୮ ଆସନ ମିଳିବ ବୋଲି ଟାଇମ୍‌ସ ନାଓ ଏକ୍‌ଜିଟ୍‌ ପୋଲ ପରିଣାମରେ କୁହାଯାଇଥିଲା। ନ୍ୟୁଜ୍‌ ୧୮-ଆଇପିଏସ୍‌ଓଏସ୍‌ ବିଜେପିକୁ ଏଠାରେ ୧୪୨ ଏବଂ ଏବଂ ଶିବସେନାକୁ ୧୦୨ ଆସନରେ ବିଜୟୀ ହେବ ବୋଲି ଦର୍ଶାଇଥିଲା। କଂଗ୍ରେସ ଏବଂ ଏନ୍‌ସିପି ଯଥାକ୍ରମେ ୧୭ ଓ ୨୨ ଆସନ ପାଇବେ ବୋଲି ପୂର୍ବାନୁମାନ କରାଯାଇଥିଲା। ଏବିପି ନ୍ୟୁଜ୍‌-ସି ଭୋଟ୍‌ର ସର୍ଭେ ହରିୟାଣାରେ ବିଜେପିକୁ ୭୨ ଆସନ ମିଳିବ ବୋଲି କହିଥିଲା। ସିଏନ୍‌ଏନ୍‌ ଆଇପିଏସ୍‌ଓଏସ୍‌ ହରିୟାଣାରେ ବିଜେପି ୭୫ ଆସନ ଏବଂ କଂଗ୍ରେସ ୧୦ ଆସନ ପାଇବ ବୋଲି କହିଥିଲା। ଇଣ୍ଡିଆଟୁଡେ-ଆକ୍ସିସ୍‌-ମାଇଁ ଇଣ୍ଡିଆ ଏକ୍‌ଜିଟ୍‌ ପୋଲ ହରିୟାଣାରେ ବିଜେପି ୩୨ରୁ ୪୪ ଆସନ ଏବଂ କଂଗ୍ରେସ ୩୦ରୁ ୪୨ ଆସନ ପାଇବ ବୋଲି କହିଥିଲା ଏବଂ ଏହି ସଂସ୍ଥାର ପୂର୍ବାନୁମାନ ସଠିକ୍‌ ସାବ୍ୟସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe