୨୦୨୨ ସ୍ବାଧୀନତା ଦିବସ: ଆଗାମୀ ୨୫ ବର୍ଷ ପାଇଁ ୫ ସଂକଳ୍ପ

Advertisment

୧୦୦ତମ ସ୍ବାଧୀନତା ଦିବସ ବେଳକୁ ଭାରତ ବିକଶିତ ରାଷ୍ଟ୍ରରେ ଗଣା ହୋଇସାରିଥିବ

୧୦୦ତମ ସ୍ବାଧୀନତା ଦିବସ ବେଳକୁ ଭାରତ ବିକଶିତ ରାଷ୍ଟ୍ରରେ ଗଣା ହୋଇସାରିଥିବ

୨୦୨୨ ସ୍ବାଧୀନତା ଦିବସ: ଆଗାମୀ ୨୫ ବର୍ଷ ପାଇଁ ୫ ସଂକଳ୍ପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ‌େସାମବାର ଲାଲକିଲ୍ଲାରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ଶୁଭକାମନା ଜଣାଇବା ସହ କହିଥିଲେ ଯେ ସ୍ବାଧୀନତାର ୭୫ ବର୍ଷ ପୂରିଲା, ଆଉ ୨୫ ବର୍ଷ ପରେ ୨୦୪୫ରେ ଆମେ ୧୦୦ତମ ସ୍ବାଧୀନତା ବର୍ଷ ପାଳନ କରିବା। ଏହି ୨୫ ବର୍ଷରେ ଆମେ ସମସ୍ତେ କଠିନ ପରିଶ୍ରମ କରି ଭାରତକୁ ଉନ୍ନତ ରାଷ୍ଟ୍ରରେ ପରିଣତ କରିବା ଲାଗି ସେ ଦେଶବାସୀଙ୍କୁ ଆହ୍ବାନ କରିଥିଲେ। ଏହି ୨୫ ବର୍ଷ ପାଇଁ ସେ ୫ଟି ସଂକ‌ଳ୍ପ ନେବା ଲାଗି ଦେଶବାସୀଙ୍କୁ ନିବେଦନ କରିଥିଲେ। ସେହି ସଂକଳ୍ପଗୁଡ଼ିକ ହେଉଛି:

୧) ୨୦୪୫ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା:
ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ମୁଁ ପାଞ୍ଚଟି ଶପଥ କଥା କହୁଛି, ଏଥିମଧ୍ୟରେ ପ୍ରଥମ ଶପଥଟି ହେଉଛି ଦେଶ ବଡ଼ ସଂକଳ୍ପ ନେଇ ଆଗକୁ ବଢ଼ିବା। ସେହି ବଡ଼ ସଂକଳ୍ପ ହେଉଛି ବିକଶିତ ଭାରତ, ଏହାଠାରୁ କିଛି କମ୍ ହେବା ଉଚିତ ନୁହେଁ। ଆଗାମୀ ୨୫ ବର୍ଷରେ ଭାରତ ବିକଶିତ ରାଷ୍ଟ୍ର ହେବା ଦରକାର।

୨) ପରାଧୀନ ମାନସିକତାର ପରିହାର:
ଆମ ଭିତରେ, ଆମ ମନର କୌଣସି କୋଣରେ, ଅଭ୍ୟାସରେ ଯଦି ପରାଧୀନତାର ସାମାନ୍ୟ ଭାବନା ରହିଛି ତା’ହେଲେ ଆମକୁ ସେହି ଭାବନାକୁ ସମାପ୍ତ କରିବାକୁ ହେବ। ଶହ ଶହ ବର୍ଷର ପରାଧୀନତା ଆମକୁ ଦାସ ମନୋବୃତ୍ତିରେ ବାନ୍ଧି ରଖିଥିଲା। ଏବେ ବି ସେହି ଭାବନା ଆମ ମାନସିକତାରେ ବିକୃତି ସୃଷ୍ଟି କରୁଛି। ଆମ ଭିତରର କୌଣସି ବି ସ୍ଥାନରେ ସେହି ମାନସିକତା ଦେଖାଦେଲେ, ସେଥିରୁ ଆମକୁ ମୁକ୍ତି ପାଇବାକୁ ହେବ।

୩) ନିଜର ମୂଳ ଐତିହ୍ୟ ଓ ପରମ୍ପରାକୁ ନେଇ ଗର୍ବ କରିବା:
ଆମର ଏହି ସମୃଦ୍ଧ ଐତିହ୍ୟ ଓ ପରମ୍ପରା ହିଁ ଦିନେ ଭାରତକୁ ଏକ ସ୍ୱର୍ଣ୍ଣିମ କାଳ ପ୍ରଦାନ କରିଥିଲା। ଏହି ପରମ୍ପରାରେ ସମୟାନୁକୂଳ ପରିବର୍ତ୍ତନ ହୋଇଥାଏ। କିନ୍ତୁ ପ୍ରାଚୀନତାକୁ ସମ୍ପୂର୍ଣ୍ଣ ବାଦ୍ ଦେଇ ନୂତନତ୍ୱକୁ ଗ୍ରହଣ କରିବା ଉଚିତ ନୁହେଁ। ଆମେ ସଂସ୍କୃତିର ମୂଳ ସହିତ ବନ୍ଧା ହୋଇ ଯେତେ ଉପରକୁ ଉଡ଼ିବା ସେତେ ଭଲ।

୪) ଏକତା ଓ ଅଖଣ୍ଡତା:
୧୩୦ କୋଟି ଦେଶବାସୀଙ୍କ ମଧ୍ୟରେ ଏକତା ରହିବା ଉଚିତ। ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘ଇଣ୍ଡିଆ ଫାଷ୍ଟ’ର ମନ୍ତ୍ର ନେଇ ଆମେ ଆଗକୁ ବଢ଼ିବା ଉଚିତ। ବିବିଧତା ମଧ୍ୟରେ ଏକତାକୁ ସୁନିଶ୍ଚିତ କରିବା ପାଇଁ ଆମକୁ ଲିଙ୍ଗଗତ ସମାନତା ପ୍ରତି ଧ୍ୟାନ ଦେବାକୁ ହେବ। ଆମ ଘର ଭିତରେ ବି ଆମେ ପୁଅ ଓ ଝିଅଙ୍କ ଭିତରେ ଭେଦ ଆଣିବା ଉଚିତ ନୁହେଁ। ସେହିପରି ଜାତି, ବର୍ଣ୍ଣ ଓ ଧର୍ମଗତ ଭେଦଭାବ ଆମକୁ ପରିତ୍ୟାଗ କରିବାକୁ ହେବ।

୫) ନାଗରିକମାନଙ୍କର କର୍ତ୍ତବ୍ୟଜ୍ଞାନ:
ନାଗରିକଙ୍କ କର୍ତ୍ତବ୍ୟରୁ ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ମଧ୍ୟ ବାହାରେ ନୁହନ୍ତି, କାରଣ ସେମାନେ ମଧ୍ୟ ନାଗରିକ। ଆଗାମୀ ୨୫ ବର୍ଷର ସ୍ୱପ୍ନକୁ ସାକାର କରିବା ଲାଗି ଆମ ସମସ୍ତଙ୍କ ଭିତରେ ଦେଶ ଲାଗି କର୍ତ୍ତବ୍ୟଜ୍ଞାନ ରହିବା ଉଚିତ। ଶୃଙ୍ଖଳିତ ଓ କର୍ତ୍ତବ୍ୟରତ ନାଗରିକଙ୍କ ପାଇଁ ପ୍ରତ୍ୟେକ ଦେଶ ଅଗ୍ରଗତି କରିଥାଏ।

ପରିବାରବାଦ ଓ ଦୁର୍ନୀତି ବିରୋଧୀ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ
ନୂଆଦିଲ୍ଲୀ: ସୋମବାର ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ୭୬ତମ ସ୍ବାଧୀନତା ଦିବସକୁ ଆଜାଦୀର ଅମୃତ ମହୋତ୍ସବ ରୂପରେ ପାଳନ କରିଛି। ଏହି ଅବସରରେ ବିଶ୍ବନେତାମାନେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି। ଆମେରିକା ‌ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ ଗଣତନ୍ତ୍ରର ୭୫ ବର୍ଷର ଜୟଯାତ୍ରାକୁ ପ୍ରଶଂସା କରିବା ସହ ମହାତ୍ମା ଗାନ୍ଧୀଙ୍କ ‘ସତ୍ୟ ଓ ଅହିଂସାର ବାର୍ତ୍ତା’କୁ ସ୍ମରଣ କରିଥିଲେ ଏବଂ କହିଥିଲେ ଭାରତ ଆମେରିକାର ଅପରିହାର୍ଯ୍ୟ ବନ୍ଧୁ। ବିଲ୍ ଗେଟ୍‌ସ ମଧ୍ୟ ସ୍ବାସ୍ଥ୍ୟସେବାରେ ଭାରତର ଅଗ୍ରଗତିକୁ ପ୍ରଶଂସା କରିବା ସହ ଭାରତର ଡିଜିଟାଲ ‘ରୂପାନ୍ତର’ ପ୍ରେରଣାଦାୟୀ ବୋଲି କହିଥିଲେ।

ଲାଲକିଲ୍ଲାରୁ ୭୬ତମ ସ୍ବାଧୀନତା ଦିବସରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତର ଦୁଇଟି ବଡ଼ ପାପ ହେଉଛି ଦୁର୍ନୀତି ଓ ପରିବାରବାଦ- ଏ ଦୁଇଟିର ଅନ୍ତ ଘଟାଇବା ଜରୁରୀ। ଭାଇ-ଭତିଜାବାଦ (ସ୍ବଜନପ୍ରୀତି) ଭାରତର ଅନୁଷ୍ଠାନଗୁଡ଼ିକୁ ଭିତରୁ ଖୋଳ କରିଦେଉଛି ଏବଂ ଦୁର୍ନୀତିକୁ ବୃଦ୍ଧି କରୁଛି।
ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଭିତରେ ଦେଶାତ୍ମବୋଧ ଭାବନାରେ ଦେଶବାସୀ ଭିଜିଯିବା ଦେଖାଯାଇଥିଲା। ନିଜ ସୋସିଆଲ ମିଡ଼ିଆ ପ୍ରୋଫାଇଲ ବଦଳାଇବାଠାରୁ ଆରମ୍ଭ କରି ଜାତୀୟ ପତାକା ଧରି ମାର୍ଚ୍ଚ କରିବା ଓ ଘରେ ଘରେ ଜାତୀୟ ପତାକା ଉଡ଼ାଇବା ପର୍ଯ୍ୟନ୍ତ ଅନେକ କିଛି ନୂଆ କଥା ଏବର୍ଷ ଦେଖିବାକୁ ମିଳିଛି। ମୋଟ ଉପରେ କହିଲେ ଏ ବର୍ଷର ଭାରତ ସ୍ବାଧୀନତା ଦିବସଟି ସ୍ବତନ୍ତ୍ର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe