(Photo Credits: Twitter)
ବର୍ମର: ରାଜସ୍ଥାନର ବର୍ମର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକଙ୍କୁ ଜୋର୍ଜବରଦସ୍ତ ପରିଶ୍ରା ପିଇବାକୁ ବାଧ୍ୟ କରୁଥିବା ପରି ଏକ ଲଜ୍ଜାଜନକ ଘଟଣା ସଂପୃକ୍ତ ଅଞ୍ଚଳରୁ ସାମ୍ନାକୁ ଆସିଛି । ପୀଡ଼ିତ ବ୍ୟକ୍ତି ଜଣକ ମନ୍ଦିରରୁ ଫେରିବା ବେଳେ ତାଙ୍କୁ ୪ ଜଣ ଲୋକ ଅପହରଣ କରିନେଇ ତାଙ୍କ ସହ ଏପରି କାଣ୍ଡ ରଚିଥିବା ସୂଚନା ରହିଛି।
ତେବେ ଜାଣିବାକୁ ମିଳିଛି ଯେ ବ୍ୟକ୍ତିଙ୍କର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଥିବା କାରଣରୁ ତାଙ୍କୁ ଏପର ନିର୍ଯାତନାର ସାମ୍ନା କରିବାକୁ ପଡ଼ିଛି। ଏହି ଘଟଣା ଘଟିବା ପରେ ପୀଡ଼ିତ ବ୍ୟକ୍ତିଙ୍କ ବାପା ୪ ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଥିବା ଜାଣିବାକୁ ମିଳିଛି।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୪ ଜଣ ବ୍ୟକ୍ତି ପୀଡ଼ିତଙ୍କୁ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ। ସେଠାକୁ ନେଇ ତାଙ୍କ ହାତ ଗୋଡ଼ ବାନ୍ଧି ତାଙ୍କ ନିକଟରେ ଥିବା ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଛଡ଼ାଇ ନେଇଥିଲେ। ଅଭିଯୁକ୍ତମାନେ ତାଙ୍କୁ ନିର୍ଯାତନା ଦେବା ସହ ଯଦି ସେ ଏ ସଂପର୍କରେ କାହାକୁ କିଛି କହନ୍ତି ତେବେ ତାଙ୍କୁ ସେମାନେ ମାରିଦେବେ ବୋଲି ଧମକ ଦେଇଥିଲେ।
୨୨ ବର୍ଷୀୟ ପୀଡ଼ିତଙ୍କ ବୟାନ ମୁତାବକ ଅଭିଯୁକ୍ତମାନେ ତାଙ୍କଠାରୁ ୫ ହଜାର ଟଙ୍କା, ଏକ ମୋବାଇଲ୍, ଏକ ରୁପା ଚେନ୍ ଓ ଅନ୍ୟ କିଛି ଦାମୀ ସାମଗ୍ରୀ ଛଡ଼ାଇ ନେଇଛନ୍ତି। ପୀଡ଼ିତ ଜଣକ ପରବର୍ତ୍ତୀ ମୁହୂର୍ତ୍ତରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ୍ ଏବେ ସୁଦ୍ଧା ଜଣଙ୍କୁ ଗିରଫ କରିଛି।
Follow Us