ରାଜ୍ୟମାନଙ୍କୁ ପଠାଗଲାଣି ୨୩ ହଜାର ଇଞ୍ଜେକ୍ସନ ‘ବ୍ଲାକ୍‌ ଫଙ୍ଗସ୍‌’ରେ ୮,୮୦୦ ଆକ୍ରାନ୍ତ

Advertisment
ରାଜ୍ୟମାନଙ୍କୁ ପଠାଗଲାଣି ୨୩ ହଜାର ଇଞ୍ଜେକ୍ସନ ‘ବ୍ଲାକ୍‌ ଫଙ୍ଗସ୍‌’ରେ ୮,୮୦୦ ଆକ୍ରାନ୍ତ

ନୂଆଦିଲ୍ଲୀ: ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା ଘାତକ 'ବ୍ଲାକ ଫଙ୍ଗସ୍‌' ବା ମ୍ୟୁକୋର୍ମାଇକୋସିସ୍‌ରେ ପାଖାପାଖି ୯,୦୦୦ ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତେବେ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଉକ୍ତ ସଂକ୍ରମଣରୁ ଉପଶମ ପାଇବା ପାଇଁ ଅତିରିକ୍ତ ୨୩,୬୮୦ ସଂଖ୍ୟକ ଲିପୋସୋମାଲ ଆମ୍ଫୋଟେରିସିନ୍‌ ବି ନାମକ ଭୂତାଣୁ ବିରୋଧୀ ଇଞ୍ଜେକ୍ସନ ପଠାଇ ସାରିଛନ୍ତି ବୋଲି ଆଜି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡ଼ା ସୂଚନା ଦେଇଛନ୍ତି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚିହ୍ନଟ ହୋଇଥିବା ପ୍ରାୟ ୮,୮୪୮ ଜଣ 'ବ୍ଳାକ୍‌ ଫଙ୍ଗସ୍‌' ରୋଗୀଙ୍କ ଉପଚାର ପାଇଁ ରୋଗୀ ସଂଖ୍ୟା ଅନୁଯାୟୀ ସମାନୁପାତିକ ଭାବେ ଏହି ଇଞ୍ଜେକ୍ସନ ଯୋଗାଇ ଦିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି।

ସର୍ବାଧିକ ୨,୨୮୧ଟି ମାମଲା ସହ ସବୁଠୁ ଅଧିକ କ୍ଷତିଗ୍ରସ୍ତ ଗୁଜରାଟକୁ ୫,୮୦୦ଟି ଇଞ୍ଜେକ୍ସନ ଦିଆଯାଇଥିବା ବେଳେ ମହାରାଷ୍ଟ୍ରକୁ ୫,୦୯୦, ଆନ୍ଧ୍ରପ୍ରଦେଶକୁ ୨,୩୦୦, ତେଲେଙ୍ଗାନାକୁ ୮୯୦ ଓ ଦିଲ୍ଲୀକୁ ୬୭୦ଟି ଇଞ୍ଜେକ୍ସନ୍‌ ପଠାଯାଇଛି। ଅନେକ ରାଜ୍ୟରେ ଏହି ଘାତକ ରୋଗର ଉପଶମ ପାଇଁ ଉକ୍ତ ଭୂତାଣୁ ବିରୋଧୀ ଇଞ୍ଜେକ୍ସନ୍‌ର ଉତ୍କଟ ଅଭାବ ରହିଛି। ଅପରପକ୍ଷେ, କୋଭିଡ୍‌ ପୀଡ଼ିତଙ୍କ ଠାରେ ଏହି ମ୍ୟୁକୋର୍ମାଇକୋସିସ୍‌ର ଲକ୍ଷଣ ବେଶୀ ଦେଖାଯାଉଥିବାରୁ ଏହାର ସଫଳ ପ୍ରତିକାର କରିନପାରିବା ଆଶଙ୍କାରେ ବିଭିନ୍ନ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ତେବେ ବିଭିନ୍ନ ରାଜ୍ୟରେ ଆବଶ୍ୟକ ପଡୁଥିବା ଇଞ୍ଜେକ୍ସନ କେନ୍ଦ୍ର ସରକାର ପଠାଇବା ସହ ଏହାର ଅଭାବ ପୂରଣ ପାଇଁ ଦେଶର ୧୧ଟି ଭେଷଜ କମ୍ପାନିକୁ ଉକ୍ତ ଇଞ୍ଜେକ୍ସନ୍‌ ପ୍ରସ୍ତୁତି ପାଇଁ ଅନୁମତି ଦିଆଯାଇଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସେହିପରି ଏହି ରୋଗ ଯୋଗୁଁ ବିଭିନ୍ନ ରାଜ୍ୟରେ ଯଦିଓ ମୃତ୍ୟୁସଂଖ୍ୟା ସେତେ ଅଧିକ ନୁହେଁ, ତେବେ ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ବିଭିନ୍ନ ରାଜ୍ୟ ଏହାକୁ ମହାମାରୀ ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାର ପରାମର୍ଶ କରିଛନ୍ତି। ଏହି ଅବସରରେ ରାଜସ୍ଥାନ ଓ ଗୁଜରାଟ ସରକାର ଏହାକୁ ମହାମାରୀ ଭାବେ ଘୋଷଣା କରିସାରିଥିବା ବେଳେ ପଞ୍ଜାବ, ହରିଆଣା, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ତେଲେଙ୍ଗାନା ଆଦି ରାଜ୍ୟ ଏହି 'ବ୍ଲାକ୍‌ ଫଙ୍ଗସ୍‌'କୁ ମହାମାରୀ ରୋଗ ନିୟନ୍ତ୍ରଣ ଆଇନରେ ଅଧିସୂଚିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe