ପଶ୍ଚିମବଙ୍ଗ ନିଯୁକ୍ତି ପ୍ୟାନେଲକୁ ଖାରଜ କଲେ ହାଇକୋର୍ଟ; ୨୪ ହଜାର ଚାକିରି ଅବୈଧ

ପଶ୍ଚିମବଙ୍ଗ ନିଯୁକ୍ତି ପ୍ୟାନେଲକୁ ଖାରଜ କଲେ ହାଇକୋର୍ଟ; ୨୪ ହଜାର ଚାକିରି ଅବୈଧ

www.indiatoday.in

ନୂଆଦିଲ୍ଲୀ: ଚାକିରି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଡବ୍ଲୁବିଏସ୍‌ସିସି) ଦ୍ୱାରା ଗଠିତ ସ୍କୁଲ ଶିକ୍ଷକମାନଙ୍କ ପାଇଁ ସୋମବାର କଲିକତା ହାଇକୋର୍ଟ ୨୦୧୬ ନିଯୁକ୍ତି ପ୍ୟାନେଲକୁ ବାତିଲ କରି ଦେଇଛନ୍ତି। ଫଳରେ ପ୍ରାୟ ୨୪,୦୦୦ ଚାକିରି ଅବ‌ୈଧ ହୋଇଛି।

ଶୁଣାଣି ସମୟରେ ଜଷ୍ଟିସ ଦେବଙ୍ଗସୁ ବାସାକ ଏବଂ ଏମ.ଡି ଶବର ରଶିଦିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ କୁହାଯାଇଛି ଯେ ବେଆଇନ ଭାବେ ନିଯୁକ୍ତି ପାଇଥିବା ସ୍କୁଲ ଶିକ୍ଷକମାନେ ସେମାନଙ୍କର ଦରମା ଚାରି ସପ୍ତାହ ମଧ୍ୟରେ ଫେରସ୍ତ କରିବେ। ଶିକ୍ଷକମାନଙ୍କଠାରୁ ଟଙ୍କା ସଂଗ୍ରହ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି।

ବାତିଲ ହୋଇଥିବା ନିଯୁକ୍ତି ପ୍ୟାନେଲରେ ପଶ୍ଚିମବଙ୍ଗର ୨୦୧୬ ମସିହାରେ ହୋଇଥିବା ଡବ୍ଲୁବିଏସ୍‌ସିସି ପ୍ରବେଶିକା ପରୀକ୍ଷା ମାଧ୍ୟମରେ ନିଯୁକ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ଅନ୍ତର୍ଭୁକ୍ତ।

ତେବେ ଖଣ୍ଡପୀଠ ନିଯୁକ୍ତି ପ୍ୟାନେଲକୁ ବାତିଲ କରିବା ସହିତ ନିଯୁକ୍ତି ପ୍ରବେଶିକା ପରୀକ୍ଷାର ୨୩ ଲକ୍ଷ ଓଏମ୍‌ଆର୍‌ ସିଟ୍‌ (ପରୀକ୍ଷା କାଗଜ)ର ପୁଣି ଥରେ ମୂଲ୍ୟାଙ୍କନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ଅଧିକ ତଦନ୍ତ କରିବାକୁ ଏବଂ ତିନି ମାସ ମଧ୍ୟରେ ଏକ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଡବ୍ଲୁବିଏସ୍‌ସିସିକୁ ଏକ ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି।

୨୪ ହଜାରରୁ ଅଧିକ ଖାଲି ପଦବୀ ପାଇଁ ଡବ୍ଲୁବିଏସ୍‌ସିସି ଦ୍ୱାରା ପରିଚାଳିତ ୨୦୧୬ ରାଜ୍ୟ ସ୍ତରୀୟ ଚୟନ ପରୀକ୍ଷାରେ ୨୩ ଲକ୍ଷରୁ ଅଧିକ ପ୍ରାର୍ଥୀ ହାଜର ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe