ପୁଣେ: ମହାରାଷ୍ଟ୍ର ଛତ୍ରପତି ଶମ୍ବାଜିନଗର ଜିଲ୍ଲାର କେକେତ ଜଲଗାଓଁ ଗାଁର ସରକାରୀ ବିଦ୍ୟାଳୟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଷ୍ଟିକର ଖାଦ୍ୟ ଯୋଗାଣ ଯୋଜନାରେ ସକାଳେ ବଣ୍ଟନ କରାଯାଇଥିବା ବିସ୍କୁଟ୍ ଖାଇ ୨୫୭ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଶନିବାର ସକାଳ ପ୍ରାୟ ସାଢ଼େ ୮ଟାରେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ବିସ୍କୁଟ୍ ବଣ୍ଟନ କରାଯାଇଥିଲା। ବିସ୍କୁଟ ଖାଇବା ପରେ ଛାତ୍ରଛାତ୍ରୀମାନେ ବାନ୍ତି କରିଥିଲେ। କେତେକ ଛାତ୍ରଛାତ୍ରୀ ମୁର୍ଚ୍ଛିତ ହୋଇଯାଇଥିଲେ। ଏହି ସୂଚନା ପାଇବା ପରେ ଗାଁ ମୁଖିଆ ଓ ଅନ୍ୟ ପଞ୍ଚାୟତସ୍ତରୀୟ ଅଧିକାରୀମାନେ ବିଦ୍ୟାଳୟରେ ପହଞ୍ଚି ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସାଳୟକୁ ପଠାଇବା ବ୍ୟବସ୍ଥା କରିଥିଲେ। ସ୍ଥାନୀୟ ହସ୍ପିଟାଲ୍ର ମୁଖ୍ୟ ଅଧିକାରୀ ଡା ବାବାସାହେବ ଘୁଘେ କହିଛନ୍ତି, ଖାଦ୍ୟ ବିଷକ୍ରିୟା ଯୋଗୁଁ ଏଭଳି ଘଟିଛି। ବିସ୍କୁଟ୍ ଖାଇବା ପରେ ୨୫୭ ଛାତ୍ରଛାତ୍ରୀଙ୍କ ଅଳ୍ପବହୁତେ ଅସୁସ୍ଥତା ଅନୁଭବ କରିଥିଲେ। ସେମାନଙ୍କ ମଧ୍ୟରୁ ୧୫୩ଜଣଙ୍କୁ ଚିକିତ୍ସାଳୟ ଅଣାଯାଇଥିଲା। ୭୩ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଗୁରୁତର ୭ଜଣଙ୍କୁ ଛତ୍ରପତି ଶମ୍ଭାଜିନଗର ସିଭିଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଛାତ୍ରଙ୍କ ଚିକିତ୍ସା ଜାରି ରହିଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଏହି ଘଟଣାରେ ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଛି।
ବିସ୍କୁଟ୍ ଖାଇ ୨୫୭ ଛାତ୍ରଛାତ୍ରୀ ଅସୁସ୍ଥ
Advertisment
Follow Us