Image Courtesy of Zee News
ଶ୍ରୀନଗର: ଦକ୍ଷିଣ କଶ୍ମୀରର ପୁଲ୍ୱାନା ଜିଲ୍ଲା ଅନ୍ତର୍ଗତ ଚନ୍ଦଗାମ୍ରେ ବୁଧବାର ପ୍ରାକ୍-ପାହାନ୍ତି ଏନ୍କାଉଣ୍ଟର୍ରେ ନିରାପତ୍ତା ବଳଙ୍କ ଗୁଳି ଚୋଟରେ ‘ଜୈଶ୍-ଏ-ମହମ୍ମଦ୍’ର ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ପୂର୍ବରୁ କଶ୍ମୀର ଜୋନ୍ ପୁଲିସ ଟୁଇଟ୍ କରିଥିଲା, ପୁଲ୍ୱାମା ଅନ୍ତର୍ଗତ ଚନ୍ଦଗାମ୍ରେ ଏନ୍କାଉଣ୍ଟର୍ ଆରମ୍ଭ ହୋଇଛି। ପୁଲିସ ଓ ନିରାପତ୍ତା ବଳ ଏହି ଅଭିଯାନ ଚଳାଇଛନ୍ତି। ପରେ ପରେ ଅଧିକ ବିବରଣୀ ପ୍ରଦାନ କରାଯିବ।
କଶ୍ମୀର ଆଇ.ଜି.ପି. ବିଜୟ କୁମାର କହିଛନ୍ତି, ପୁଲ୍ୱାମାର ଚନ୍ଦଗାମ୍ରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ୩ଜଣ ‘ଜୈଶ୍-ଏ-ମହମ୍ମଦ୍’ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ନାଗରିକ। ସେମାନଙ୍କ ପାଖରୁ ୨ଟି ଏମ୍-୪ କାର୍ବାଇନ୍ ଓ ୧ଟି ଏକେ ସିରିଜ୍ ରାଇଫଲ୍ ସମେତ ବହୁ ଆପତ୍ତିଜନକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରାଯାଇଛି।
ଅଧିକ ବିବରଣୀ ଦେଇ ଜମ୍ମୁ ଓ କଶ୍ମୀରର ଜଣେ ପୁଲିସ ଅଧିକାରୀ କହିଥିଲେ, ଉକ୍ତ ଗାଁରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୁନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ମଧ୍ୟ-ରାତ୍ରରେ ମିଳିତ ‘କର୍ଡନ୍-ଆଣ୍ଡ୍-ସର୍ଚ’ ଅଭିଯାନ ଆରମ୍ଭ ହୋଇଥିଲା। ତଲାସକାରୀ ଦଳ ସନ୍ଦିଗ୍ଧ ସ୍ଥାନକୁ ଘେରିଯାଇ ଆତ୍ମଗୋପନକାରୀ ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ କହିବାରୁ ସେମାନେ ଗୁଳି ଚଳାଇଥିଲେ। ଆତ୍ମରକ୍ଷା କରିବାକୁ ଯାଇ ତଲାସକାରୀ ଦଳ ପାଲଟା ଗୁଳି ଚଳାଇବାରୁ ଏନ୍କାଉଣ୍ଟର୍ର ସୂତ୍ରପାତ ହୋଇଥିଲା।
Image Courtesy of The Hinduପ୍ରାପ୍ତ ପ୍ରାରମ୍ଭିକ ସୂଚନା ଅନୁସାରେ, ସେ ଅଞ୍ଚଳରେ ୨ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିଲେ। କିନ୍ତୁ, ଅଭିଯାନ ଶେଷ ହେବା ପରେ ଯାଇ ଆତଙ୍କବାଦୀମାନଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ।
ଉଲ୍ଲେଖଯୋଗ୍ୟ, ଏହା ହେଉଛି ନବବର୍ଷ ୨୦୨୨ର ପ୍ରଥମ ୫ ଦିନରେ ୫ମ ଏନ୍କାଉଣ୍ଟର୍। କଶ୍ମୀରରେ ହୋଇଥିବା ବାକି ୪ଟି ଏନ୍କାଉଣ୍ଟର୍ରେ ନିରାପତ୍ତା ବଳ ପ୍ରାୟ ୫ଜଣ ଆତଙ୍କବାଦୀଙ୍କୁ ମାରିବାରେ ସମର୍ଥ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ ‘ଏଲ୍ଇଟି/ଟିଆର୍ଏଫ୍’ ସହ ସମ୍ପୃକ୍ତ ଥିଲେ।
Follow Us