ପଶ୍ଚିମବଙ୍ଗ ‘ତୃଣମୂଳ କଂଗ୍ରେସ’ ନେତାଙ୍କ ଘରେ ବୋମା ବିସ୍ଫୋରଣ; ୩ ମୃତ, ୨ ଆହତ

Advertisment
ପଶ୍ଚିମବଙ୍ଗ ‘ତୃଣମୂଳ କଂଗ୍ରେସ’ ନେତାଙ୍କ ଘରେ ବୋମା ବିସ୍ଫୋରଣ; ୩ ମୃତ, ୨ ଆହତ

Image Courtesy of NDTV

କୋଲ୍‌କାତା: ଶୁକ୍ରବାର ରାତିରେ ପଶ୍ଚିମବଙ୍ଗ ଅନ୍ତର୍ଗତ ପୂର୍ବ ମେଦିନୀପୁର ଜିଲ୍ଲାସ୍ଥିତ ଜଣେ ‘ତୃଣମୂଳ କଂଗ୍ରେସ’ ନେତାଙ୍କ ଘରେ ବୋମା ବିସ୍ଫୋରଣ ଘଟି ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଘଟଣାଟି ପୂର୍ବ ମେଦିନୀପୁରର ଭଗବାନପୁର ଅଞ୍ଚଳ ଅନ୍ତର୍ଗତ ନରିୟାବିଲା ଗ୍ରାମରେ ଥିବା ‘ତୃଣମୂଳ କଂଗ୍ରେସ’ ବୁଥ୍‌ ଅଧ୍ୟକ୍ଷଙ୍କ ଘରେ ଘଟିଛି। ବିସ୍ଫୋରଣ ଯୋଗୁଁ ଘର ଭାଙ୍ଗିଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ବିସ୍ଫୋରଣର କିଛି ଘଣ୍ଟା ପୂର୍ବେ ଜିଲ୍ଲାର କୋଣ୍ଟିଆ ଅଞ୍ଚଳରେ ଅଭିଷେକ ବାନାର୍ଜୀ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ।

publive-image Image Courtesy of ANI

ବିସ୍ଫୋରଣ ଯୋଗୁଁ ରାଜକୁମାର ମାନ୍ନା ନାମକ ଉକ୍ତ ‘ତୃଣମୂଳ କଂଗ୍ରେସ’ ନେତାଙ୍କ ସମେତ ୩ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଆଶଙ୍କା ହେଉଥିବା ବେଳେ ଅନ୍ୟ ଦୁଇଜଣ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ବିସ୍ଫୋରଣଟି କେଉଁ ଧରଣର ତାହା ଏଯାବତ୍‌ ପୁଲିସ ସୁନିଶ୍ଚିତ କରିପାରିନାହିଁ। କିନ୍ତୁ, ଘର ଉପରେ ବିସ୍ଫୋରକ ଆକ୍ରମଣ କରାଯାଇଥିବା କଥାକୁ ଏଡ଼ାଇ ଦିଆଯାଇ ନ ପାରେ। ଆହୁରି ମଧ୍ୟ କୁହାଯାଉଛି ଯେ, ଘରେ ଗଚ୍ଛିତ ରଖା ଯାଇଥିବା ଦେଶୀ ବ‌ୋମା ଫୁଟିବା ଯୋଗୁଁ ଉପରୋକ୍ତ ଅଘଟଣ ଘଟିଛି।

ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ରାଜକୁମାର ମାନ୍ନାଙ୍କ ଘର ଛାତ ଉଡ଼ିଯିବା ସହ ସମଗ୍ର ଗାଁ ଥରି ଉଠିଥିଲା। ଔପଚାରିକ ଭାବେ ବିସ୍ଫୋରଣଜନିତ ମୃତ୍ୟୁସଂଖ୍ୟା ଘୋଷଣା କରାଯାଇ ନ ଥିଲେ ବି ପୁଲିସ ବିସ୍ଫୋଣସ୍ଥଳକୁ ସିଲ୍‌ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe