Image Courtesy of India Today
ଦୁବାଇ: ଶୁକ୍ରବାର ରାତିରେ ଦକ୍ଷିଣ ଇରାନ୍ରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇ ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ରାଷ୍ଟ୍ରାୟତ ଟେଲିଭିଜନ୍ ରିପୋର୍ଟ କରିଛି।
ଇରାନ୍ର ଉପସାଗର ଉପକୂଳ ଅନ୍ତର୍ଗତ ହୋର୍ମୋଜ୍ଗାନ୍ ପ୍ରଦେଶର ଜରୁରୀକାଳୀନ ପରିଚାଳନା ମୁଖ୍ୟ ମେହଦାଦ୍ ହସନ୍ଜାଦେ ଟେଲିଭିଜନ୍କୁ କହିଛନ୍ତି, ଦୁଃଖର ବିଷୟ, ଏଯାବତ୍ ୩ଜଣଙ୍କର ମୃତ୍ୟୁ ଘଟିଥିବା ଏବଂ ୮ଜଣ ଆହତ ହୋଇଥିବା ଖବର ଆମର ହସ୍ତଗତ ହୋଇଛି।
ରିକ୍ଟର୍ ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୬.୧ ଥିଲା ବୋଲି ଇରାନୀୟ ଗଣମାଧ୍ୟମ ରିପୋର୍ଟ କରିଥିବା ବେଳେ ତୀବ୍ରତା ୬.୦ ଥିଲା ବୋଲି ‘ୟୁରୋପିୟାନ୍ ମେଡିଟେରିୟାନ୍ ସେସ୍ମୋଲୋଜିକାଲ୍ ସେଣ୍ଟର୍’ (ଇଏମ୍ଏସ୍ସି) କହିଛି।
Image Courtesy of Al Arabiya‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ମିଟେଓରୋଲୋଜି’ (ଏନ୍ସିଏମ୍) ସୂଚନା ଅନୁସାରେ, ରାତି ୧.୩୨ରେ ଦକ୍ଷିଣ ଇରାନ୍ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଉକ୍ତ ଭୂମିକମ୍ପ ଉତ୍ପତ୍ତି ହୋଇଥିଲା।
ଇରାନ୍ ଭୂଗର୍ଭରେ ଅଧିକାଂଶ ‘ଜିଓଲୋଜିକାଲ୍ ଫଲ୍ଟ୍’ ଛନ୍ଦିମନ୍ଦି ହୋଇ ରହିଥିବାରୁ ଗତ ଅଳ୍ପ କିଛି ବର୍ଷ ହେବ ଏଠାରେ କେତେଗୁଡ଼ିଏ ଭୟାବହ ଭୂମିକମ୍ପ ସଂଘଠିତ ହୋଇଛି।
ଆଜି ଇରାନ୍ରେ ସଂଘଠିତ ଭୂମିକମ୍ପର କମ୍ପନ ‘ସଂଯୁକ୍ତ ଆରବ ଏମିରେଟ୍ସ୍’ର କେତେକ ପ୍ରାନ୍ତରେ ବସବାସ କରୁଥିବା ଲୋକେ ମଧ୍ୟ ଅନୁଭବ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ‘ସଂଯୁକ୍ତ ଆରବ ଏମିରେଟ୍ସ୍’ରେ ଅନୁଭୂତ କମ୍ପନ ପ୍ରଭାବହୀନ ଥିଲା।
Follow Us