ଜମ୍ମୁ-କଶ୍ମୀରରେ ୩ ପର୍ଯ୍ୟାୟ ମତଦାନ: ରାଜ୍ୟ ମାନ୍ୟତା ହରାଇବା ପରେ ପ୍ରଥମ

Advertisment

ମହାରାଷ୍ଟ୍ର ନିର୍ବାଚନ ଅଟକାଇ ଦେଲେ

ମହାରାଷ୍ଟ୍ର ନିର୍ବାଚନ ଅଟକାଇ ଦେଲେ

ଜମ୍ମୁ-କଶ୍ମୀରରେ ୩ ପର୍ଯ୍ୟାୟ ମତଦାନ: ରାଜ୍ୟ ମାନ୍ୟତା ହରାଇବା ପରେ ପ୍ରଥମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ପ୍ରଥମ ବଡ଼ ରାଜନୈତିକ ଲଢ଼େଇ ଭାବେ ହରିୟାଣା ଓ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୧୮ରୁ ଜମ୍ମୁ-କଶ୍ମୀରରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଅକ୍ଟୋବର ୧ରେ ଗୋଟିଏ ପର୍ଯ୍ୟାୟରେ ହରିୟାଣା ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ହେବ। ନିକଟରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗର ଅଧିକାରୀମାନେ ଉଭୟ ରାଜ୍ୟ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ତଦାରଖ କରିବା ପରେ ଏହି ଘୋଷଣା କରାଯାଇଛି। ଜମ୍ମୁ କଶ୍ମୀରରେ ସେପ୍‌ଟେମ୍ବର ୧୮, ୨୫ ଏବଂ ଅକ୍ଟୋବର ୧ ତାରିଖରେ ମତଦାନ ହେବ। ଅକ୍ଟୋବର ୪ରେ ଉଭୟ ଜମ୍ମୁ-କଶ୍ମୀର ଏବଂ ହରିୟାଣାରେ ଭୋଟ୍ ଗଣତି ହେବ। ଚଳିତ ବର୍ଷ ନଭେମ୍ବରରେ ହରିୟାଣା ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୁପ୍ରିମକୋର୍ଟ ୨୦୨୪ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଛନ୍ତି।

ସେପ୍‌ଟେମ୍ବର ୧୮, ୨୫, ଓ ଅକ୍ଟୋବର ୧ରେ ଜମ୍ମୁ-କଶ୍ମୀର ଭୋଟ୍‌
ଅକ୍ଟୋବର ୧ରେ ହରିୟାଣାରେ ଭୋଟ
ଅକ୍ଟୋବର ୪ରେ ଫଳାଫଳ

ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରି ନିର୍ବାଚନ ଆୟୋଗ କହିଛନ୍ତି ଯେ ଏହି ଦୁଇ ରାଜ୍ୟ ସହିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବନାହିଁ। ସୁରକ୍ଷା ବାହିନୀର ଉପଲବ୍ଧତା, ମୌସୁମୀ ସ୍ଥିତି ଏବଂ ଅନ୍ୟ କେତେକ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି । ନିର୍ବାଚନ କମିସନଙ୍କ କହିବା ଅନୁଯାୟୀ, ପ୍ରଥମେ ମହାରାଷ୍ଟ୍ର ଓ ହରିୟାଣାରେ ଏକାଠି ନିର୍ବାଚନ ପ୍ରକ୍ରିୟା ରଖାଯାଇଥିଲା। ତେବେ ଜମ୍ମୁ-କଶ୍ମୀରର ସ୍ଥିତି ଅତିରିକ୍ତ ଜଟିଳତା ସୃଷ୍ଟି କରିଥିବାରୁ ଏହା ସହିତ ମହାରାଷ୍ଟ୍ର ନିର୍ବାଚନ ହେବନାହିଁ। ଏହା ସହିତ ମହାରାଷ୍ଟ୍ରରେ ଚାଲିଥିବା ଲଗାଣ ବର୍ଷା ଯୋଗୁଁ ଭୋଟର ତାଲିକା ଅପଡେଟ୍ କରିବାରେ ବିଳମ୍ବ ହୋଇଛି, ଯାହା ନିର୍ବାଚନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କମିସନ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ପାଳନ କରାଯାଉଛି, ଯେଉଁଥିପାଇଁ ନିର୍ବାଚନ ସ୍ଥଗିତ ରଖିବାକୁ ପଡ଼ିବ ବୋଲି ନିର୍ବାଚନ କମିସନ କହିଛନ୍ତି। ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ ଏବଂ ଏହାର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ହେବା ପରେ ଏହା ହେଉଛି ୯୦ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ପ୍ରଥମ ନିର୍ବାଚନ। ୨୦୧୪ ନଭେମ୍ବର-ଡିସେମ୍ବରରେ ଏହି ଉତ୍ତରାଞ୍ଚଳ ରାଜ୍ୟରେ ଶେଷ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା। ବିଜେପି ଓ ଜମ୍ମୁ କଶ୍ମୀର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମିଳିତ ସରକାର ଗଠନ କରିଥିବା ବେଳେ ମୁଫ୍‌ତି ମହମ୍ମଦ ସୟିଦ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଜାନୁଆରୀ ୨୦୧୬ରେ ସୟିଦଙ୍କ ମୃତ୍ୟୁ ପରେ ମେହବୁବା ମୁଫ୍‌ତି ମୁଖ୍ୟମନ୍ତ୍ରୀ ହୋଇଥିଲେ। ଜୁନ୍ ୨୦୧୮ରେ ବିଜେପି ପିଡିପି ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା, ଯାହା ଫଳରେ ସେହି ବର୍ଷ ନଭେମ୍ବରରେ ତତ୍କାଳୀନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ରାଜ୍ୟ ବିଧାନସଭା ଭଙ୍ଗ କରିଥିଲେ। ସେବେଠାରୁ ରାଜ୍ୟରେ ବିଧାନସଭା ହୋଇନାହିଁ। ୨୦୧୯ ଡିସେମ୍ବରରେ ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ-କଶ୍ମୀରରେ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା ସହ ଯଥାଶୀଘ୍ର ରାଜ୍ୟର ମାନ୍ୟତା ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।

ହରିୟାଣା ବିଜେପି ସରକାରଙ୍କ କାର୍ଯ୍ୟକାଳ ନଭେମ୍ବରରେ ଶେଷ ହେବ, ସେଠାରେ ବିଜେପି, କଂଗ୍ରେସ, ଜନନାୟକ ଜନତା ପାର୍ଟି (ଜେଜେପି), ଆଇଏନ୍‌ଏଲଡି ଏବଂ ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟରେ ପଞ୍ଚମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ସମ୍ଭାବନା ରହିଛି। ୨୦୧୯ ନିର୍ବାଚନ ପରେ ବିଜେପି ଜେଜେପି ସହ ମେଣ୍ଟ କରି ସରକାର ଗଠନ କରିଥିଲା ଏବଂ ବିଜେପିର ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଚଳିତ ବର୍ଷ ବିଜେପି ଏବଂ ଜେଜେପି ମେଣ୍ଟ ଭାଙ୍ଗିବା ପରେ ଖଟ୍ଟର ଇସ୍ତଫା ଦେଇଥିଲେ ଏବଂ ବିଜେପିର ନାଇବ ସୈନି ଦାୟିତ୍ୱ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe