Image Courtesy of India Today
ଇସ୍ଲାମାବାଦ୍: ଶନିବାର ଦିନ ପାକିସ୍ତାନ ଅନ୍ତର୍ଗତ ଗିଲ୍ଗିଟ୍-ବାଲ୍ତିସ୍ତାନ ଅଞ୍ଚଳରେ ହିମ ସ୍ଖଳନ ଯୋଗୁଁ ଅନ୍ୟୂନ ୧୦ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨୫ଜଣ ଆହତ ହୋଇଥିବା କଥା ପୁଲିସ କହିଛି।
ପୁଲିସ କହିବା ଅନୁସାରେ, ପାର୍ବତ୍ୟାଞ୍ଚଳ ଅନ୍ତର୍ଗତ ଆସ୍ତୋର ଜିଲ୍ଲାର ସୁଣ୍ଟର୍ ଟପ୍ ଅଞ୍ଚଳରେ ଘଟିଥିବା ଏହି ପ୍ରାକୃତିକ ଦୁର୍ବିପାକରେ ୩ଜଣ ମହିଳାଙ୍କ ସମେତ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ପାକିସ୍ତାନ ସେନାର ଯବାନମାନେ ଉଦ୍ଧାର ଅଭିଯାନରେ ସାମିଲ ହୋଇଛନ୍ତି।
ଏହି ଅଘଟଣ ଘଟିଛି ବୋଲି ଗିଲ୍ଗିଟ୍-ବାଲ୍ତିସ୍ତାନ୍ର ମୁଖ୍ୟ ଶାସନ ସଚିବ ମୋହିଉଦ୍ଦିନ୍ ୱାନି ସୁନିଶ୍ଚିତ କରିବା ସହିତ କହିଛନ୍ତି ଯେ, ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଟିମ୍ କାର୍ଯ୍ୟରତ ଅଛନ୍ତି।
 Image Courtesy of PardaPhashଜୀବନହାନି ଯୋଗୁଁ ଗିଲ୍ଗିଟ୍-ବାଲ୍ତିସ୍ତାନ୍ର ମୁଖ୍ୟମନ୍ତ୍ରୀ ଖଲିଦ୍ କୁର୍ଶିଦ ଖାଁ ଗଭୀର ଶୋକ ପ୍ରକାଶ କରି ଉଦ୍ଧାର ଅଭିଯାନ ଚଳାଇବା ଲାଗି ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।
ଏହି ହିମ ସ୍ଖଳନ ଜନିତ ଜୀବନହାନୀ ଯୋଗୁଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ ମଧ୍ୟ ଟୁଇଟ୍ କରି ଶୋକବ୍ୟକ୍ତ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାକିସ୍ତାନରେ ଏଭଳି ଘଟଣା ବୃଦ୍ଧି ପାଉଛି। ପାକିସ୍ତାନ ଭଳି ପ୍ରଗତିଶୀଳ ଦେଶମାନଙ୍କୁ ଏସବୁ ହାନିକାରକ ପ୍ରଭାବରୁ ସୁରକ୍ଷା ଦେବା ଲାଗି ସମଗ୍ର ବିଶ୍ବ ଦାୟିତ୍ବ ନିର୍ବାହ କରିବା କଥା ବୋଲି ସେ କହିଛନ୍ତି।
  
 Follow Us