Image Courtesy of Geo News
ଇସ୍ଲାମାବାଦ୍: ମଙ୍ଗଳବାର ଦିନ ଖୈବର୍-ପଖ୍ତୁନ୍ଖ୍ବାର କୋହିସ୍ତାନ ଜିଲ୍ଲା ଦେଇ ପଡ଼ିଥିବା କାରାକୋରମ୍ ରାଜପଥରେ ପରସ୍ପର ସହିତ ଧକ୍କା ଖାଇବା ପରେ ଗୋଟିଏ ଯାତ୍ରୀବାହୀ ବସ୍ ଓ ଗୋଟିଏ କାର୍ ଗଭୀର ଖାଇରେ ପଡ଼ିଯିବାରୁ ପ୍ରାୟ ୩୦ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୫ଜଣ ଆହତ ହୋଇଥିବା କଥା ‘ଜିଓ ନିଉଜ୍’ ରିପୋର୍ଟ କରିଛି।
ସ୍ଥାନୀୟ ପୁଲିସ କହିବା ଅନୁସାରେ, ଯାତ୍ରୀବାହୀ ବସ୍ଟି ଗିଲ୍ଗିଟ୍ରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ବେଳେ ଶିତିୟାଲ୍ ଅଞ୍ଚଳରେ ସଡ଼କର ବିପରୀତ ଦିଗରୁ ଆସୁଥିବା ଗୋଟାଏ କାର୍ ସହିତ ମୁହାଁମୁହିଁ ଧକ୍କା ଖାଇଥିଲା। ଖବର ପାଇବା ପରେ ପୁଲିସ ଓ ଉଦ୍ଧାରକାରୀ କର୍ମଚାରୀମାନେ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ। ସେଠାରୁ ମୃତାହତମାନଙ୍କୁ ଉଦ୍ଧାର କରି ‘ଆର୍ଏଚ୍ସି’ ହସ୍ପିଟାଲ୍କୁ ପଠାଇଥିଲେ।
ଅନ୍ଧକାର ଯୋଗୁଁ ଉଦ୍ଧାରକାରୀ ଦଳ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ ବୋଲି ଉଦ୍ଧାରକାରୀ କର୍ମଚାରୀମାନେ କହିଛନ୍ତି।
ବସ୍ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତମାନଙ୍କ ପ୍ରତି ପାକିସ୍ତାନର ରାଷ୍ଟ୍ରପତି ଡକ୍ଟର୍ ଆରିଫ୍ ଅଲୱୀ ଶୋକବ୍ୟକ୍ତ କରିଛନ୍ତି। ସମବେଦନା ଜଣାଇବା ସହିତ ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ନିମନ୍ତେ ପ୍ରାର୍ଥନା କରିଛନ୍ତି।
ସେହିପରି, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍, ଗିଲ୍ଗିଟ୍ ବାଲ୍ତିସ୍ତାନ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ବସ୍ ଦୁର୍ଘଟଣା ପାଇଁ ଶୋକବ୍ୟକ୍ତ କରିଛନ୍ତି।
Follow Us