ndtv.com
ମଦୁରାଇ: ତାମିଲନାଡୁର ମଦୁରାଇରେ ଆଜି ପାରମ୍ପରିକ ପର୍ବ ଜାଲିକାଟ୍ଟୁ ବେଳେ ଅଘଟଣ ଘଟିଛି । ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ୫୫ଜଣ ଆହତ ହୋଇଥିବା ଖବର ମିଳିଛି। ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ସେମାନଙ୍କୁ ମଦୁରାଇର ସକରାରୀ ଡାକ୍ତରଖାନାକୁ ପଠାଯାଇଛି। ମକର ସଂକ୍ରାନ୍ତି ଦିନ ଅନୁଷ୍ଠିତ ହେଉଥିବା ଏହି ପର୍ବ ଅତ୍ୟନ୍ତ ବିପଜ୍ଜନକ ହେବା ସହ ଜୀବନ ଯିବାର ଆଶଙ୍କା ଥିଲେ ମଧ୍ୟ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ଅଂଶଗ୍ରହଣ କରିଥାଆନ୍ତି। ଆଜି ତାମିଲନାଡୁର ମଦୁରାଇର ଅବନୀପୁରମରେ ଅନୁଷ୍ଠିତ ହେଉଥିବା ଜାଲିକାଟ୍ଟୁରେ ପ୍ରାୟ ୭୦୦ଷଣ୍ଢଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ଏହି ଲଢ଼େଇରେ ୨,୦୦୦ରୁ ଅଧିକ ଷଣ୍ଢ ଭାଗ ନେବେ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଜାଲିକାଟ୍ଟୁରେ ନିର୍ଦ୍ଧାରିତ ବାଟ ଦେଇ ଷଣ୍ଢକୁ ଭିଡ ଭିତରକୁ ଛଡା ଯିବା ପରେ ଏହା ମଧ୍ୟରେ ଯିଏ କୌଶଳ ଓ ବଳ ଖଟାଇ ଷଣ୍ଢକୁ କାବୁ କରିପାରେ ସେ ହିଁ ବିଜେତା ହୋଇଥାଏ। ବିଜେତାଙ୍କୁ ଉପହାର ମଧ୍ୟ ମିଳିଥାଏ। ତେବେ ଏହି ଖେଳରେ ପୂର୍ବରୁ ଅନେକଙ୍କ ଜୀବନ ଯାଇଥିବା ବେଳେ ଏହାକୁ ବନ୍ଦ କରିବା ନେଇ ଅନେକ ଥର ସ୍ବର ଉତ୍ତୋଳନ କରାଯାଇଛି। ପଶୁମାନଙ୍କ କ୍ଷେତ୍ରରେ ଏହା କ୍ରୁରତା ମାନି ସୁପ୍ରିମକୋର୍ଟ ଏହି ଖେଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ ବି ଲୋକ ଏହାକୁ ମାନିନାହାନ୍ତି। ଯାହା ପାଇଁ ପ୍ରତି ବର୍ଷ ଏହି ଲଢ଼େଇରେ ଭାଗ ନେଇ ଲୋକେ ଆହତ ହେବା ସହ ପ୍ରାଣ ହରାଇଥାନ୍ତି। ଚଳିତବର୍ଷ ଆରମ୍ଭ ହେଉ ହେଉ ୫୫ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି।
Follow Us